Odiapua.com

ଭଦ୍ରକ : ଏହି ଜିଲାର କାଣ୍ଡବା ମୌଜାରେ ବେଆଇନ୍ ଭାବେ ସରକାରୀ ଜମି ଜବରଦଖଲ, ବାଲି ଓ ଇଟାର ଖୋଲମଖୋଲା ବେପାର, ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ତହସିଲ ଅଧୀନସ୍ଥ କାଣ୍ଡବା ମୌଜାର ସରକାରୀ ଜମିକୁ ବଳପୂର୍ବକ ଦଖଲ କରି ନିଜ ସ୍ୱାର୍ଥ ସାଧନ କରିବା ସହ ଗୋଚର ଜମିକୁ ଅକ୍ତିଆର କରିବା, ନଦୀପଠାକୁ ତାଡି ଗ୍ରାମ ପ୍ରତି ବନ୍ୟା ବିପତ୍ତି ଟାଣିଆଣିବା, ଲଘୁ ଖଣିଜର ଲଗାମଛଡା ଉତ୍ତୋଳନ କରି ଟିକସ ଫାଙ୍କି ବ୍ୟବସାୟ କରିବା, ମୂଲ୍ୟବାନ ସରକାରୀ ଜମିରେ ଇଟାଭାଟି କରି ସରକାରୀ ନିୟମାବଳୀର ଖୋଲମଖୋଲା ଉଲ୍ଲଂଘନ ପ୍ରତିବାଦରେ ଆଜି ସ୍ଥାନୀୟ ଅଂଚଳର ଅଜୟ ଚୌଧୁରୀ, ଆନନ୍ଦ ଚନ୍ଦ୍ର ଦାସ, ଦୀନମୋହନ ଦାସ ପ୍ରମୁଖ ଏକ ପ୍ରତିନିଧି ଦଳ ଉକ୍ତ ଅଂଚଳର ଶତାଧିକ ଗ୍ରାମବାସୀଙ୍କ ସ୍ୱାକ୍ଷର ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କୁ ସାକ୍ଷାତ୍ କରି ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ସିପିଆଇ(ଏମ୍‌) ର ପୂର୍ବତନ ଜିଲା ସଂପାଦକ ଚନ୍ଦ୍ରଶେଖର ନାୟକ, ଯୁବନେତା ଶ୍ରୀରାମ ସ୍ୱରୂପ ମହାପାତ୍ର, ଦୀନବନ୍ଧୁ ଦାସ, ଭଗବାନ ଦାସ, କୈଳାସ ଚୌଧୁରୀ, ପ୍ରଶାନ୍ତ ଦାସ, ଦାମୋଦର ଦାସ, ଘନଶ୍ୟାମ ପାଳ, ସୁରେନ୍ଦ୍ର ପାଳ, ଅଜୟ ଚୌଧୁରୀ ପ୍ରମୁଖ ଅଂଶଗ୍ରହଣ କରି ଜିଲା ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଫଳରେ ଅତିରିକ୍ତ ଜିଲାପାଳ ଶ୍ରୀ ମିଶ୍ର ଓ ଉପଜିଲାପାଳ ଶ୍ରୀ ସାମଲ ଏ ସଂପର୍କରେ ବନ୍ତ ତହସିଲଦାରଙ୍କୁ ଫୋନ୍ ଯୋଗେ ପ୍ରକୃତ ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ସଂପର୍କରେ କ୍ଷେତ୍ରୀୟ ତଦନ୍ତ କରିବା ସହ ବେଆଇନ୍ ବାଲି ଓ ମାଟି ଉତ୍ତୋଳନ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ । ତେବେ ଉକ୍ତ ସ୍ମାରକପତ୍ରରେ ଉଲ୍ଲେଖ ଥିବା ଅଭିଯୋଗ ମୂଳେ ସମସ୍ତ ଗ୍ରାମବାସୀମାନେ ବନ୍ତ ତହସିଲ ଆଗରପଡା ଥାନା ଅଧୀନସ୍ଥ ବଙ୍ଗାଳିସାହି, କାଣ୍ଡବା ଓ ବରହମପୁର ଭଳି ୩ଟି ଗ୍ରାମର ଅଧିବାସୀ ଅଟନ୍ତି ।

କାଣ୍ଡବା ମୌଜାର ଅର୍ଦ୍ଧାଧିକ ସରକାରୀ ଜମିକୁ ଜଣେ ପ୍ରଭାବଶାଳୀ ବ୍ୟକ୍ତି ମନୋରଂଜନ ଘଡେଇ ଏବଂ ତାଙ୍କ ଭାଇ ଚିତ୍ତରଂଜନ ଘଡେଇ ବଳପୂର୍ବକ ଦଖଲ କରି ପ୍ରାକୃତିକ ସଂପଦ ଏବଂ ଲଘୁ ଖଣିଜ ଦ୍ରବ୍ୟ ଭାବେ ବାଲି ଓ ମାଟିକୁ ବେଆଇନ୍ ଭାବେ ଖନନ କରି ସରକାରୀ ତହବିଲକୁ ଟିକସ ଫାଙ୍କି ଚାଲିଛନ୍ତି । ଏବଂ ଉକ୍ତ ଗ୍ରାମଗୁଡିକୁ ନଦୀଗର୍ଭକୁ ଠେଲିଦେଇ ସାଧାରଣ ସ୍ୱାର୍ଥର ଘାତକ ସାଜିଛନ୍ତି । ଏହି ୩ଗୋଟି ଗ୍ରାମବାସୀ ଅତ୍ୟନ୍ତ ଦରିଦ୍ର ଓ ପଛୁଆ ବର୍ଗର ଥାଇ ଦୈନିକ ମଜୁରୀ ଲାଗିବା ସହ ଗାଇ, ଛେଳି, କୁକୁଡା ପାଳି ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାି ଆସୁଛନ୍ତି । ତେବେ ସଂପୃକ୍ତ ବ୍ୟକ୍ତି ଗୋଚର ପାଇଁ ସଂରକ୍ଷିତ ସରକାରୀ ଜମିକୁ ଘେରାବନ୍ଦୀ କରି ରଖିଥିବା ଯୋଗୁଁ ଗୃହପାଳିତ ପଶୁମାନେ ଭୋକ ଦାଉରୁ ମୃତ୍ୟୁମୁଖରେ ପଡୁଛନ୍ତି । ଏହାବ୍ୟତୀତ ଗ୍ରାମର ସୀମାକୁ ଲାଗି ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀପଠାର ସମସ୍ତ ସରକାରୀ ଜମିକୁ ଘେରି ବେଧଡକ ଭାବେ ଲଘୁ ଖଣିଜ (ବାଲି, ମାଟି) ଉତ୍ତୋଳନ କରି ଆଗରପଡା-କୁପାରୀକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ପାଶ୍ୱର୍ରେ ମହଜୁଦ କରି ରଖି ଆଇନ୍‌କୁ ଆଖିଠାର ମାରି ନିଜର ବ୍ୟବସାୟ ବଢାଇ ଚାଲିଛନ୍ତି । ନଦୀପଠାରେ ୩୦ ଫୁଟ୍‌ରୁ ଉର୍ଦ୍ଧ୍ୱ ଗର୍ତ୍ତମାନ ଖୋଳିବା ହେତୁ ନଦୀର ଦିଗ ପରିବର୍ତ୍ତନ ହେବାରେ ଲାଗିଛି । ବନ୍ୟା ସମୟରେ ଗାଁ ଭାସିଯିବାର ମଧ୍ୟ ଭୟ ସଂଚାର ହେଉଛି । ଏଥିପୂର୍ବରୁ ବହୁବାର ଗୃହପାଳିତ ପଶୁମାନେ ଗାତରେ ପଡି ମରିବାର ନଜିର ରହିଛି । ଏତଦ୍‌ବ୍ୟତୀତ ସରକାରୀ ଜମିକୁ ଘେରିନେଇ ବିଭିନ୍ନ ନିର୍ମାଣ କାର୍ଯ୍ୟ ଯଥା ବେଆଇନ୍ ଇଟାଭାଟି କରିବା ଫଳରେ ବଳକା ଜଳ ଚାଷଜମିରୁ ନିଷ୍କାସିତ ହୋଇନପାରି କୃତ୍ରିମ ବନ୍ୟା ସୃଷ୍ଟି ହେଉଅଛି । ଏ ସଂପର୍କରେ ପୂର୍ବରୁ ବହୁବାର ବନ୍ତ ତହସିଲଦାରଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ କୌଣସି ସଫଳତା ମିଳିପାରିନାହିଁ । ମୌସୁମୀ ଓ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେଉଥିବା ହେତୁ ନଦୀର ଜଳପତ୍ତନ ବୃଦ୍ଧି ପାଇବା ଉକ୍ତ ଅଂଚଳରେ କୋକୁଆଭୟ ମଧ୍ୟରେ ରହିଛୁ ।

ସରକାରଙ୍କ ଦ୍ୱାରା ପାରିତ ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ ଅର୍ଡିନାନ୍ସ ରେ ଏ ଦିଗରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରାବଧାନ ଥିଲେ ମଧ୍ୟ ସରକାରୀ ପଦସ୍ଥ ଅଧିକାରୀମାନେ ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପ୍ରତି ଉପେକ୍ଷା କରୁଛନ୍ତି । ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ଆଇନ୍ ପ୍ରଣୟନ ହୋଇଥିଲା, ତାହା ସୂଚାରୁ ରୂପେ ସଂପାଦନା ହୋଇପାରୁନାହିଁ । ପରନ୍ତୁ ସଂପୃକ୍ତ ବ୍ୟକ୍ତି କେତେକ ବାହୁବଳୀ ମାଫିଆ ସ୍ଥାନୀୟ ପୁଲିସ୍‌କୁ ବ୍ୟବହାର କରି ଗଣତାନ୍ତ୍ରିକ ସ୍ୱରକୁ କଠୋର ଭାବେ ଦମନ କରିଚାଲିଛନ୍ତି । ଏଣୁ ସଂପୃକ୍ତ ଗ୍ରାମବାସୀମାନଙ୍କର ଜୀବନ ଜୀବିକା ମାଟି ମଣିଷର ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଉକ୍ତ ଜମିକୁ ଜବରଦଖଲକାରୀଙ୍କ କବଳରୁ ମୁକ୍ତ କରାଇବା ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଏହି ଅଭିଯୋଗ ପତ୍ରର ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ରାଜସ୍ୱ ବିପର୍ଯ୍ୟୟ ଓ ପ୍ରଶମନ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବଙ୍କ ସମେତ ଜିିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ ଓ ମାନ୍ୟବର ଭଦ୍ରକ ସାଂସଦଙ୍କୁ ପ୍ରଦାନ କରିଛନ୍ତି ।