ଭଦ୍ରକ, ୨୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆଇନ୍ ମହାବିଦ୍ୟାଳୟରେ ୭୭ମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ପ୍ରାରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ରାୟ ଦେଶପାଇଁ ପ୍ରାଣବଳି ଦେଇଥିବା ନେତୃସ୍ଥାନୀୟ ବ୍ୟକ୍ତି, ଶହୀଦ ବୀର ଯବାନ ତଥା ଅଗଣିତ ଜନତା ଯେଉଁ ତ୍ୟାଗ ସ୍ୱୀକାର କରିଛନ୍ତି, ସେମାନଙ୍କୁ ନିଜର ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସମ୍ବିଧାନର ପ୍ରଣେତା ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଇନ୍ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଅଶୋକ କୁମାର ବେହେରା ଓ ଅଧ୍ୟାପକ ପ୍ରିୟଦର୍ଶୀ ରାୟ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଇନ୍ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସୁଶାନ୍ତ କୁମାର ମହାପାତ୍ର, ପଦ୍ମଲୋଚନ ବାରିକ, ନିମାଇଁ ଚରଣ ଜେନା, ଅବିନାଶ ଆଚାର୍ଯ୍ୟ, ସର୍ବେଶ୍ୱର ନାଥ ଓ ମହାବିଦ୍ୟାଳୟର ସୁରକ୍ଷା କର୍ମଚାରୀ ତଥା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।