Odiapua.com

ଭଦ୍ରକ ଅଂଚଳର ବନ୍ୟା ଦୁର୍ଦ୍ଦଶା ପାଇଁ ଦାୟୀ କିଏ!ବନ୍ୟା ପରିଚାଳନାରେ ଅବହେଳା ଓ ଦୁର୍ନୀତି ଅଭିଯୋଗ,ଦୁଇ ଯନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଭଦ୍ରକ ଜିଲ୍ଲା କଂଗ୍ରେସ

ଭଦ୍ରକ, ୩୧ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀସ୍ତରୀୟ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଅଂଚଳର ବନ୍ୟା ଜନିତ ଦୁର୍ଦ୍ଦଶା ପାଇଁ ବୈତରଣୀ ଅବବାହିକାର ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ନାୟକଙ୍କ ଉପରେ ବର୍ଷିଛନ୍ତି ଜିଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ମୁଖ୍ୟଯନ୍ତ୍ରୀ ଶ୍ରୀ ନାୟକଙ୍କର ହେଡ଼୍‌କ୍ୱାର୍ଟର କେନ୍ଦୁଝର ହୋଇଥିଲେ ମଧ୍ୟ ସେ ସେଠାରେ ଗତ ୬ମାସ ମଧ୍ୟରେ ମାତ୍ର ୨/୩ଦିନ ରହିଛନ୍ତି। ଏହାଦ୍ୱାରା ଲୋକଙ୍କ ଜଳସେଚନ ସମସ୍ୟା କିପରି ବୁଝୁଥିବେ ଏହା ଜଣାପଡ଼ୁଛି। ସେ ବୈତରଣୀ ଓ ସାଳନ୍ଦୀ ନଦୀ ବନ୍ଧ ଗୁଡ଼ିକ ବର୍ଷା ପୂର୍ବରୁ କ୍ଷେତ୍ର ପରିଦର୍ଶନ ନକରି ଜଳସଂପଦ ବିଭାଗକୁ ସବୁ ଠିକ୍ ଅଛି ବୋଲି ଭୁଲ୍ ରିପୋର୍ଟ ଦେଇଛନ୍ତି, ଯାହାଦ୍ୱାରା ତାଙ୍କ ଅଧିନରେ ଥିବା ଡ଼ିଭିଜନସ୍ତରୀୟ ଅଧିକାରୀମାନେ ପୂର୍ବ ପ୍ରସ୍ତୁତି ହୋଇପାରିନଥିଲେ। ଏହି ମୁଖ୍ୟଯନ୍ତ୍ରୀଙ୍କର ବନ୍ୟା ପରିଚାଳନା ଦିଗରେ କୌଣସି ଜ୍ଞାନ କିମ୍ବା ଅଭିଜ୍ଞତା ନାହିଁ। କେବଳ ତଳ ଅଫିସରଙ୍କ ଜ୍ଞାନ ଓ ପରାମର୍ଶକୁ ଅପେକ୍ଷା କରିଥାନ୍ତି। ଏଭଳି ମୁଖ୍ୟଯନ୍ତ୍ରୀଙ୍କୁ ବହୁ ନଦନଦୀ ଥିବା ଭଦ୍ରକ ଜିଲା ଭଳି ବନ୍ୟା ବହୁଳ ଅଂଚଳ ସମେତ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲାରେ କ’ଣ ପାଇଁ ଅବସ୍ଥାପିତ କରାଯାଇଛି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ଏଭଳି ଏକ ଅନଭିଜ୍ଞ ଯନ୍ତ୍ରୀଙ୍କୁ ମଧ୍ୟ ସୁବର୍ଣ୍ଣରେଖା ଭଳି ଯୋଜନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଯେଉଁ ମହାନ୍ ବ୍ୟକ୍ତିଙ୍କ ପରାମର୍ଶରେ ଏଭଳି ଜଣେ ନିକମା ମୁଖ୍ୟଯନ୍ତ୍ରୀଙ୍କୁ ଦୁଇ ଦୁଇଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଛି, ତାହା ଭାବିଲେ ଦୁଃଖ ଲାଗେ। ନିଜ ଅଂଚଳର ପ୍ରବାହିତ ହେଉଥିବା ବୈତରଣୀ, ସାଳନ୍ଦୀ, କାନଝାରୀ ଓ ରେମାଳ ଭଳି ନଦୀରେ ବନ୍ୟା ବିଭୀଷିକା ସୃଷ୍ଟି ହୋଇଥିବାବେଳେ ତାହାର ସୁପରିଚାଳନା ନକରି ସୁବର୍ଣ୍ଣରେଖା ସରକାରୀ ଆଇ.ବି.ରେ ଯାଇ ରହୁଛନ୍ତି। ବନ୍ୟାର ସୁପରିଚାଳନା ଏହି ମୁଖ୍ୟ ଯନ୍ତ୍ରୀଙ୍କ ପାଇଁ ଜରୁରୀ ନୁହେଁ, ସୁବର୍ଣ୍ଣରେଖା ପରିଯୋଜନାର ଠିକାଦାରମାନଙ୍କଠାରୁ ପି.ସି. ନେବା ହିଁ ତାଙ୍କର ମୁଖ୍ୟ କାମ। ତେଣୁ ସେ ସବୁବେଳେ ସୁବର୍ଣ୍ଣରେଖା ଅବବାହିକାର ଗେଷ୍ଟହାଉସରେ ରହିବାକୁ ପସନ୍ଦ କରନ୍ତି। କେନ୍ଦୁଝରର ଚାଷୀମାନେ ସୁଦୂର ବାରିପଦାକୁ ଯାଇପାରନ୍ତି ନାହିଁ। ଫୋନ୍ କଲେ ଏହି ମହାଶୟ ଫୋନ୍ ଉଠାନ୍ତି ନାହିଁ। ଏହି ମୁଖ୍ୟଯନ୍ତ୍ରୀ କେବେ କୌଣସି କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ କରନ୍ତି ନାହିଁ। ସବୁ କାମ ତଳ ଅଫିସରଙ୍କ ଉପରେ ଛାଡ଼ିଦେଇଥାନ୍ତି। ତେଣୁ କାମ ନିମ୍ନ ମାନର ହେଉଛି ବୋଲି ସେଠାକାର ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି। ସୁବର୍ଣ୍ଣରେଖା ପ୍ରକଳ୍ପର କାର୍ଯ୍ୟ ଗତ ୬ମାସ ମଧ୍ୟରେ ଆଖିଦୃଶିଆ ଅଗ୍ରଗତି ହୋଇପାରିନାହିଁ। ଯାହା ଜଣାଯାଏ ଆସନ୍ତା ୪ବର୍ଷ ମଧ୍ୟରେ ଏହାକୁ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବାବେଳେ ଏହିଭଳି ଅନଭିଜ୍ଞ ମୁଖ୍ୟଯନ୍ତ୍ରୀଙ୍କ ଯୋଗୁ ଆହୁରି ୧୫ବର୍ଷ ଲାଗିବ। ତେଣୁ ବନ୍ୟା ପରିଚାଳନା ଓ ବନ୍ୟା ସମ୍ବନ୍ଧୀୟ କ୍ଷେତୀୟ ସ୍ତରରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଉପଯୁକ୍ତ ବୈଷୟିକ ଜ୍ଞାନ ଅଭାବରୁ ଗତ ଜୁଲାଇ ୨୮, ୨୯,୩୦ରେ ନିଜର ହଦଗଡ଼ ଡ଼୍ୟାମ୍ ବନ୍ୟାପାଣି ଛାଡ଼ିବାର ଭୁଲ୍ ପରିଚାଳନା ଯୋଗୁ ଭଦ୍ରକ ଅଂଚଳର ବିଶେଷ ବର୍ଷା ନଥାଇ ମଧ୍ୟ ପାଣି ଆସି ଘରଦ୍ୱାର ରାସ୍ତାଘାଟର ପ୍ରଭୂତ କ୍ଷତି ଘଟାଇଛି। ସେଥିପାଇଁ ଶ୍ରୀ ନାୟକଙ୍କ ଅପାରଗତା ଯୋଗୁଁ ଏସ୍‌.ଆର.ସି., ଓ ଆଇ.ଏମ୍‌.ଡ଼ି. ଠାରୁ ୨୭,୨୮ ତାରିଖରେ ଉପର ମୁଣ୍ଡରେ ପ୍ରବଳ ବର୍ଷାର ଆଗୁଆ ସୂଚନା ସତ୍ୱେ ମୁଖ୍ୟଯନ୍ତ୍ରୀ ଏହାକୁ ଆଦୌ ଧ୍ୟାନ ନଦେଇ ହଦଗଡ଼ ବନ୍ଧରେ ଅତିରିକ୍ତ ପାଣି ମହଜୁଦ୍ ରଖିବା ପାଇଁ ଖାଲିସ୍ଥାନ ନଥିବାରୁ ଏକାବେଳେ ଅଧିକା ଜଳ ଛଡ଼ାଗଲା । ଏଥିପାଇଁ ଯେଉଁ କ୍ଷୟ କ୍ଷତି ହେଲା ସେଥିପାଇଁ ହଦଗଡ଼ ଡ଼୍ୟାମ୍ କତୃପକ୍ଷ ଶ୍ରୀ ନାୟକ ଓ ଡ଼୍ୟାମ୍ ପରିଚାଳନା ଦାୟିତ୍ୱରେ ଥିବା ବିଦ୍ୟାଧରପୁର ଏସ୍‌.ଇ. ହିତେଶ କୁମାର ସାହୁଙ୍କୁ ନିଲମ୍ବନ କରାଯାଉ ବୋଲି କଂଗ୍ରେସ ଜିଲା ସଭାପତି ଶ୍ରୀ ମହାନ୍ତି ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ବିଶେଷକରି ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ହିତେଶ କୁମାର ସାହୁ ଏବଂ ବୈତରଣୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ସଞ୍ଜିବ କୁମାର ନାୟକଙ୍କ ବିରୋଧରେ ବନ୍ୟା ପରିଚାଳନାରେ ଅବହେଳା, ସ୍ୱଜନପୋଷଣ ଏବଂ ପ୍ରଶାସନିକ ଅନିୟମିତତା ସମ୍ପର୍କିତ ଗୁରୁତର ଅଭିଯୋଗ ଉଠାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଏହି ଅଭିଯୋଗ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସରକାରଙ୍କୁ ଦାବି କରିଛନ୍ତି। ସାଳନ୍ଦୀ କେନାଲ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ସାହୁ ଦୀର୍ଘ ସମୟ ଧରି ନିଜ ଘର ନିକଟସ୍ଥ ସାଳନ୍ଦୀ କେନାଲ ଡିଭିଜନରେ କାର୍ଯ୍ୟରତ ରହିଛନ୍ତି। ତାଙ୍କ ବିରୋଧରେ ସରକାରୀ ନିୟମ ଉଲ୍ଲଂଘନ, ସ୍ୱଜନପୋଷଣ ଏବଂ କେନାଲ କାର୍ଯ୍ୟରେ ଅନିୟମିତତା ଘଟିଥିବା ନେଇ କଂଗ୍ରେସ ଅଭିଯୋଗ କରିଛି। ବନ୍ୟା ସମୟରେ ହଦଗଡ଼ ଡ୍ୟାମର ଜଳ ଛାଡ଼ିବାରେ ଭୁଲ ପରିଚାଳନା ହେବାରୁ ସାଳନ୍ଦୀ ନଦୀରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଦଳ ପକ୍ଷରୁ ଦାବି କରାଯାଇଛି। କଂଗ୍ରେସର ଅଭିଯୋଗ ଅନୁସାରେ, ବନ୍ୟା ଯୋଗୁଁ ହଜାର ହଜାର ହେକ୍ଟର ଚାଷଜମିର ତଳି ନଷ୍ଟ ହୋଇଥିବାରୁ ଚାଷୀମାନେ ଭାରି କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ କ୍ଷତିପୂରଣ, ମାଗଣା ବିହନ ଓ ସାର ଯୋଗାଇବାକୁ ସରକାରଙ୍କୁ ଦାବି କରାଯାଇଛି। ଏହାସହ ବୈତରଣୀ ଅବବାହିକାର ମୁଖ୍ୟ ଯନ୍ତ୍ରୀ ସଞ୍ଜିବ କୁମାର ନାୟକଙ୍କ ବିରୋଧରେ ମଧ୍ୟ ବନ୍ୟା ପୂର୍ବ ପ୍ରସ୍ତୁତିରେ ଅବହେଳା ଏବଂ ହଦଗଡ଼ ଡ୍ୟାମର ଜଳ ପରିଚାଳନାରେ ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି। ଏସ୍‌ଆରସି ଓ ଆଇଏମ୍‌ଡି ପକ୍ଷରୁ ପୂର୍ବରୁ ପ୍ରବଳ ବର୍ଷା ସମ୍ପର୍କରେ ସତର୍କ ସୂଚନା ମିଳିଥିଲେ ମଧ୍ୟ ତାହାକୁ ଯଥାଯଥ ଭାବେ ଗୁରୁତ୍ୱ ନଦେବାରୁ ଏକାଥରେ ଅଧିକ ପରିମାଣର ଜଳ ଛାଡ଼ିବାକୁ ପଡ଼ିଥିଲା ଏବଂ ଏହା ଫଳରେ ଭଦ୍ରକ ଅଂଚଳରେ ବନ୍ୟା ପରିସ୍ଥିତି ଅଧିକ ଗୁରୁତର ହୋଇଥିବା ବୋଲି କଂଗ୍ରେସ ଦାବି କରିଛି। ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଦାବି କରିଛନ୍ତି ଯେ, ଉଭୟ ଅଧିକାରୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ କରାଯାଇ ଦୋଷ ପ୍ରମାଣିତ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ନିଲମ୍ବନ କରାଯାଉ। ଦାବି ପୂରଣ ନହେଲେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ବୃହତ୍ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ମହାନ୍ତିଙ୍କ ସମେତ ଏ.ଆଇ.ସି.ସି. ମେମ୍ବର ନବଜ୍ୟୋତି ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ମନୋଜ କୁମାର ବିଶ୍ୱାଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ସଭାପତି ବନ୍ତ ମଣ୍ଡଳ ପଂଚାନନ ମଣ୍ଡଳ, ସଭାପତି ଭଣ୍ଡାରିପୋଖରୀ ବ୍ଲକ ଅଜୟ କୁମାର ସାହୁ, ଯୁବ କଂଗ୍ରେସ ସଭାପତି ବଳରାମ ରାଉତ, ଜିଲ୍ଲା ଉପସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ରାଜ୍ୟ ଏସି.ସେଲ୍ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଯେନା, ଭଣ୍ଡାରିପୋଖରୀ ବ୍ଲକର ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ଏସି.ସି.ସେଲ୍‌ର ସମ୍ପାଦକ ଶଶିକାନ୍ତ ଯେନା, ମହିଳା ସଭାନେତ୍ରୀ ସବିତା ଚନ୍ଦ, ସନ୍ଦୀପ କୁମାର ଜେନା, ସାଦ୍ ସିଦ୍ଦିକ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।