Odiapua.com

ଭଦ୍ରକର ୨ ଦିନିଆ ସଟ୍‌ଡାଉନ୍ ଧର୍ମକୁ ଆଖିଠାର : କରୋନା କଟକଣା ଜନିତ ସରକାରୀ ନିୟମକୁ ଫୁ ..ରେ ଉଡାଉଛନ୍ତି ସହରବାସୀ, ପ୍ରଶାସନ ନୀରବଦ୍ରଷ୍ଟା

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡା କାଠ’ ଏହି ଉକ୍ତିଟି ଭଦ୍ରକ ସହରବାସୀଙ୍କ ପାଇଁ ଯଥାର୍ଥ ବୋଲି କରୋନା ଜନିତ ୨ ଦିନିଆ ସଟଡାଉନ୍‌ର ଅବଧି ସମୟରେ ଦେଖାଦେଇଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାରେ ଆଜିସୁଦ୍ଧା ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଦ୍ରୁତଗତିରେ ଏହା ବୃଦ୍ଧି ପାଉଥିବାରୁ ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ ହୋଇଛି । କେହି ବାହାରକୁ ବାହାରିଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ ହେବାର ଘୋଷଣା ହୋଇଥିଲେ ବି ସହରର ମୁଖ୍ୟ ରାସ୍ତାଗୁଡିକରେ ଯେଭଳି ଭାବେ ବିନା ମାସ୍କରେ ସଟ୍‌ଡାଉନ୍ ଭିତରେ ଯାତାୟତ କରୁଛନ୍ତି, ତାହା ନିଜେ ନଦେଖିଲେ ବିଶ୍ୱାସ କରିହେବନାହିଁ । ଏ ଦିଗରେ ପୁଲିସ୍ କେବଳ ନୀରବ ଦ୍ରଷ୍ଟା ସାଜିଛି । ଲୋକମାନେ ଘରୁ ନବାହାରିବା ପାଇଁ ମାଇକ୍ ପ୍ରଚାର ସତ୍ୱେ କେତେକ ସହରବାସୀ ସେମାନଙ୍କର ପୋଷା କୁକୁରକୁ ଧରି ସାନ୍ଧ୍ୟ ଭ୍ରମଣ କରୁଥିବାବେଳେ ବହୁ ଲୋକ ହାତ ଧରାଧରି ହୋଇ ବିନା ମାସ୍କରେ ସାଇକେଲ୍ ଓ ଗାଡିରେ ଯିବାଆସିବା କରୁଥିବାର ଦେଖାଯାଇଛି । ସଂପୂର୍ଣ୍ଣ ଦୃଶ୍ୟକୁ ଦେଖିଲେ ଲାଗୁଥିଲା ଯେଭଳି ସାମାଜିକ ଦୂରତ୍ୱକୁ ସମସ୍ତେ ଭୁଲିଯାଇଛନ୍ତି । ସେହିଭଳି ବହୁ ଜନସାଧାରଣ ନିୟମ ନମାନି ବାଇକ୍ ଚଳାଇ ମୁହଁରେ ମାସ୍କ ନବାନ୍ଧି ଗୋଟିଏ ଗୋଟିଏ ଗାଡିରେ ବିନା ହେଲମେଟରେ ୩ ଜଣ ଲେଖାଏଁ ବସି ଆସୁଥିବାର ଦେଖାଯାଇଛି ।