Odiapua.com

ଭଦ୍ରକର ଶକ୍ତିପୀଠ ମା’ ଭଦ୍ରକାଳୀ ଏବେ ଖାଁ ଖାଁ, କରୋନା ପାଇଁ ଭଦ୍ରକର ଐତିହାସିକ କାଳୀପୂଜା ଏବେ ଭକ୍ତଶୂନ୍ୟ

ଭଦ୍ରକ, ୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ଓ ଭଦ୍ରକ କାଳୀପୂଜାର ପରମ୍ପରା ଇତିହାସ ଅପେକ୍ଷା କିମ୍ବଦନ୍ତୀ ଅଧିକ । ଭଦ୍ରକ ଜିଲାର ମା’ ଭଦ୍ରକାଳୀ, ଚାନ୍ଦବାଲିର ଦକ୍ଷିଣେଶ୍ୱରୀ କାଳୀ, ଶ୍ୟାମା କାଳୀ, ଭଦ୍ରକ ରେଳ ଷ୍ଟେସନର ପଥର କାଳୀ ଓ ରେଳ କର୍ମଚାରୀଙ୍କ ସହିତ ସ୍ଥାନୀୟ ଚରମ୍ପା ବଜାର କମିିଟି ସହଯୋଗରେ ବିଭିନ୍ନ କାଳୀପୂଜା ଦୀର୍ଘବର୍ଷ ଧରି ଚାଲିଆସୁଛି । ଏହି ପ୍ରସିଦ୍ଧ କାଳୀପୂଜାରେ ପଡୋଶୀ ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ ଦକ୍ଷିଣ ଭାରତର ବିଭିନ୍ନ ଅଂଚଳରୁ ବ୍ୟବସାୟୀ, ଯାତ୍ରା, ସର୍କସ, ମେଲୋଡି, ଦୋଳି, ମୀନାବଜାର, ଚିଡିଆଖାନା ଆଣି ପୂଜାକୁ ଅଧିକ ଆକର୍ଷଣ କରିବା ପାଇଁ ନିଜର ପସରା ମେଲାଇଥାନ୍ତି । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ହଜାର ହଜାର ଭକ୍ତ ପୂଜା ଦେଖିବା ପାଇଁ ଭିଡ ଜମାଇଥାନ୍ତି । ହେଲେ କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ଧରି ଭଦ୍ରକ କାଳୀପୂଜାର ଆକର୍ଷର କମିଯାଇଛି । ସରକାରଙ୍କ କଟକଣା ଏଠି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତା ବଢାଇ ଦେଇଛି । ଏହି ପ୍ରସିଦ୍ଧ କାଳୀପୂଜା ଭାରତରେ ବିଶେଷକରି ଓଡ଼ିଶାରେ ଖ୍ୟାତି ଅର୍ଜନ କରିଆସୁଥିଲା । ଭଦ୍ରକର ଆରାଧ୍ୟ ଦେବତା ମା’ ଭଦ୍ରକାଳୀ ପୀଠରେ ମଧ୍ୟ ଖାଁ ଖାଁ ଦେଖିବାକୁ ମିଳୁଛି । ଚଳିତବର୍ଷ ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜା ତାର ରଙ୍ଗ ହରାଇ ବସିଛି । ଚରମ୍ପା ଅଂଚଳ ଏବେ ଜନଶୂନ୍ୟ ପରି ଲାଗୁଛି । ସହରରେ ଅନେକ ପୂଜା ମଣ୍ଡପରେ ୭ ଜଣଙ୍କୁ ନେଇ ପୂଜାର୍ଚ୍ଚନା ଚାଲିଛି ଓ ଠାକୁରଙ୍କ ଆଗରେ ପରଦା ଝୁଲୁଛି, ଯାହା ଭକ୍ତଙ୍କ ମଧ୍ୟରେ ନିରାଶ ହେବାକୁ ପଡିଛି । କରୋନା ମହାମାରୀ ଏ ସଂସାରରୁ ଦୂରେଇ ଯାଉ ଏବଂ ଭଦ୍ରକର ଐତିହାସିକ କାଳୀପୂଜାର ତାର ପୂର୍ବପରି ଆକର୍ଷଣ ଫେରିଆସୁ ବୋଲି ଶ୍ରଦ୍ଧାଳୁମାନେ ମା’ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।