Odiapua.com

ଭଦ୍ରକର ଭିଭିଆଇପି କଲୋନୀ ଗବସାହି ରାସ୍ତା ବିପର୍ଯ୍ୟସ୍ତ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣତଃ କୌଣସି ଜିଲା ସଦର ମହକୁମାରେ ଥିବା ବଡ ବଡୁଆ ଅଧିକାରୀଙ୍କ ସରକାରୀ ବାସଭବନ ରାସ୍ତା ଅନ୍ୟ ରାସ୍ତା ଠାରୁ ବେଶ୍ ଚକ୍‌ଚକ୍ ରହିଥାଏ। କିନ୍ତୁ ଭଦ୍ରକ ଜିଲାରେ ତାହାର ବ୍ୟତିକ୍ରମ ଦେଖାଦେଇଛି। ଭଦ୍ରକ ଜିଲା ପ୍ରଶାସନିକ ମୁଖ୍ୟ ଜିଲାପାଳ, ପୁଲିସ୍ ପ୍ରଶାସନର ମୁଖ୍ୟ ଜିଲା ଆରକ୍ଷୀ ଅଧୀକ୍ଷକ, ଜିଲା ବିଚାର ବିଭାଗୀୟ ମୁଖ୍ୟ ଜିଲା ଜଜ୍‌, ଜିଲା ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ସିଡିଏମ୍‌ଓ ଓ ପିଏଚ୍‌ଓଙ୍କ ସମେତ ଅତିରିକ୍ତ ଜିଲାପାଳ, ଜିଲା ଉନ୍ନୟନ ଅଧିକାରୀଙ୍କ ଭଳି ଭିଆଇପି ମାନଙ୍କ ଆବାସିକ କାର୍ଯ୍ୟାଳୟ ସହିତ ଅନ୍ୟ ପଦାଧିକାରୀଙ୍କ ସରକାରୀ କ୍ୱାଟର୍ସ ଗୁଡିକ ଯାଇଥିବା ରାସ୍ତାର ଅବସ୍ଥା ନକହିବା ଭଲ। ବିଶେଷକରି ଭଦ୍ରକ ସହରାଂଚଳର ଭିଭିଆଇପି ଅଂଚଳ କୁହାଯାଉଥିବା ଏହି ପଦାଧିକାରୀଙ୍କ ଆବାସ ସ୍ଥଳ ଗବସାହି ରାସ୍ତାଟିର ଅବସ୍ଥା ଏବେ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ। ୧୬ନଂ ଜାତୀୟ ରାଜପଥରୁ ଗବସାହିକୁ ଯାଇଥିବା ଏହି ଭିଭିଆଇପି ରାସ୍ତା ପାଶ୍ୱର୍ରେ ଉପରୋକ୍ତ ଅଧିକାରୀମାନଙ୍କର ସରକାରୀ ବାସଭବନ ରହିଛି। ତେବେ ଦୀର୍ଘଦିନ ଧରି ଏହି ପ୍ରମୁଖ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଗତ ୨/୩ ଦିନର ସାମାନ୍ୟ ବର୍ଷାରେ ଏହି ରାସ୍ତାଟିର ପିଚୁ ଗୋଡି ଉଠିଯାଇ କାଦୁଅ ଓ ବଡବଡ ଗର୍ତମାନ ହେବା ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି। ଏବେ ସହରରେ ସରକାରୀ ଜମିରୁ ଉଚ୍ଛେଦ ଅଭିଯାନ କରୁଥିବା ଜିଲା ପ୍ରଶାସନ ଏହି ରାସ୍ତାରେ ଥିବା ଜବରଦଖଲକୁ ଚିହ୍ନଟ କରିବା ପରେ ବି କୌଣସି ପଦକ୍ଷେପ ନେଇନାହିଁ। ଏହି ରାସ୍ତାଦେଇ ଦୈନିକ ଉପରୋକ୍ତ ଭିଭିଆଇପିମାନଙ୍କ ସମେତ ଭଦ୍ରକ ହେଡ୍‌କ୍ୱାର୍ଟରକୁ ଆସୁଥିବା ଗେଲଟୁଆ, ବଗମରା, ଜଳଙ୍ଗା ଓ କାଉପୁର ଭଳି ଅଂଚଳର ଲୋକେ ଏବେ ରାସ୍ତାର ଦୁର୍ଦ୍ଦଶା ଯୋଗୁଁ ଅକଥନୀୟ ଯନ୍ତ୍ରଣା ଭୋଗୁଛନ୍ତି। ତେବେ ଏହି ରାସ୍ତାର ମରାମତି ସହ ଜବରଦଖଲ ଉଚ୍ଛେଦ ପୂର୍ବକ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ତୁରନ୍ତ ଗ୍ରହଣ କରାନଗଲେ ଆଗାମୀ ଦିନରେ ଦାନ ବାନ୍ଧୁଥିବା ଜନ ଅସନ୍ତୋଷ ବ୍ୟାପକ ଆନ୍ଦୋଳନର ଉଗ୍ରରୂପ ନେବ ବୋଲି ଜିଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି ଚେତାବନୀ ଦେଇଛନ୍ତି।