Odiapua.com

ଭଦ୍ରକର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ପବିତ୍ର ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ବଳଭଦ୍ରପୁର, କୁଆଁସ, ସାହାପୁର, ସନ୍ଥିଆ-ନୀଳକଣ୍ଠପୁର, କାଉପୁର, ରାନ୍ଦିଆ, ବାଗୁରାଇ, ଚରମ୍ପା, ଅର୍ଣ୍ଣପାଳ, ମଠସାହି କୁଳଦେବତା ଶ୍ରୀ ଶ୍ରୀ ଗୋପାଳ ଜୀଉଙ୍କ ଚାଚେରୀ ସମେତ ୭ଟି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣଙ୍କର ଯୁଗଳମୂର୍ତି ବିମାନରେ ସଜ୍ଜିତ ହୋଇ ସ୍ଥାନୀୟ ଅଂଚଳ ପରିଭ୍ରମଣ କରିଥିଲା। ସମସ୍ତ ଶ୍ରଦ୍ଧାଳୁମାନେ ଏଥର ରଙ୍ଗ ପରିବର୍ତେ ଅଭିରକୁ ପ୍ରାଧାନ୍ୟ ଦେଇଥିଲେ। ଭଦ୍ରକ କଲେଇ ପଂଚାୟତର ବଳଭଦ୍ରପୁରସ୍ଥିତ ରାଧାମାଧବଙ୍କ ଏହି ଦୋଳ ମେଳଣ ବେଶ୍ ଚିତାକର୍ଷକ ହୋଇଥିଲା। ଅନୁରୂପ ସହରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭଦ୍ରକ ଶାଖା ପକ୍ଷରୁ ଏହି ଉତ୍ସବ ବେଶ୍ ଶୃଙ୍ଖଳାର ସହ ସମାପନ ହୋଇଛି। ସଂଘର କାର୍ଯ୍ୟକର୍ତା ଓ ସ୍ୱୟଂ ସେବକମାନେ ପରସ୍ପରକୁ ଅଭିର ବୋଳି ଶୁଭେଚ୍ଛା ଜଣାଇଥିଲେ। ସେହିଭଳି କୁଆଁସସ୍ଥିତ ସାଧନାପୀଠରେ ଏହି ହୋଲି ଉତ୍ସବକୁ ନିରାଡମ୍ବର ସହ ମନାଇଥିଲେ। ବାଗୁରାଇ ସାର୍ବଜନୀନ ଦୋଳମଣ୍ଡପର ହୋଲି ଉତ୍ସବ ଚଳିତବର୍ଷ ସବୁଠାରୁ ନିଆରା ଥିଲା। ସେଠାରେ ଦୁଇଦିନ ଧରି ଭଜନ ଓ ଆଧୁନିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଯାହା ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ବିମାନ ଗୁଡିକ ରାତି ୧୨ ଘଟିକା ଠାରୁ ଆରମ୍ଭ କରି ସକାଳ ୮ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ଭଳିକି ଭଳି ବାଜା ରୋଷଣି ଓ ସାଜ୍ଜସଜ୍ଜା ସହ ଝୁଲି ଝୁଲି ଆସି ବାଗୁରାଇ ଦୋଳମଣ୍ଡପରେ ପହଂôଚଥିଲେ। ଏହି ଉତ୍ସବକୁ ଓ ଠାକୁରଙ୍କ ସହ ରଙ୍ଗ ଖେଳିବାକୁ ସହରାଂଚଳ ଓ ଗ୍ରାମାଂଚଳରୁ ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣରେ ସେଠାରେ ପହଂଚିଥିଲେ। ତେବେ ବାଗୁରାଇ ଦୋଳ ମଣ୍ଡପ ମେଳଣ ପଡିଆଟି ସେଦିନ ଜନସମୁଦ୍ର ପାଲଟି ଯାଇଥିଲା। ଏବଂ ଠାକୁରଙ୍କ ସୁସଜ୍ଜିତ ବିମାନ ଓ ବାଜା ରୋଷଣିର ତାଳେ ତାଳେ ଦର୍ଶକମାନେ ମତୁଆଲା ହୋଇଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଜେପି ସଭାପତି ଭଗବାନ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଜିଲାର ବିଭିନ୍ନ ଦୋଳ ମଣ୍ଡପ ବୁଲି ଠାକୁରଙ୍କ ଆଶୀର୍ବାଦ ଲାଭ କରିଥିବାର ଦେଖାଯାଇଥିଲା। ଶେଷରେ ସମସ୍ତ ବିମାନ ମଣ୍ଡପରେ ପହଂଚିସାରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣ ଠାକୁରଙ୍କ ଉପରେ ଅଭିର ପକାଇ ରଙ୍ଗ ଖେଳିବା ସହ ଆଶୀର୍ବାଦ ଲାଭ କରିଥିଲେ।