Odiapua.com

ଭଦ୍ରକର ବିଭିନ୍ନ ସ୍ଥାନରେ ହୋଲି ଉତ୍ସବ ପାଳିତ

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କରୋନା କଟକଣା ପରେ ପବିତ୍ର ହୋଲି ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବିଶେଷକରି ବଳଭଦ୍ରପୁର, କୁଆଁସ, ସାହାପୁର, ସନ୍ଥିଆ-ନୀଳକଣ୍ଠପୁର, କାଉପୁର, ରାନ୍ଦିଆ, ବାଗୁରାଇ, ଚରମ୍ପା, ଅର୍ଣ୍ଣପାଳ ସମେତ ୭ଟି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ବିମାନରେ ସଜ୍ଜିତ ହୋଇ ସ୍ଥାନୀୟ ଅଂଚଳ ପରିଭ୍ରମଣ କରିଥିଲା। ସମସ୍ତ ଶ୍ରଦ୍ଧାଳୁମାନେ ଏଥର ରଙ୍ଗ ପରିବର୍ତ୍ତେ ଅଭିରକୁ ପ୍ରାଧାନ୍ୟ ଦେଇଥିଲେ। ଭଦ୍ରକ କଲେଇ ପଂଚାୟତର ବଳଭଦ୍ରପୁରସ୍ଥିତ ରାଧାମାଧବଙ୍କ ଏହି ଦୋଳ ମେଳଣ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଅନୁରୂପ ସହରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଭଦ୍ରକ ଶାଖା ପକ୍ଷରୁ ଏହି ଉତ୍ସବ ବେଶ୍ ଶୃଙ୍ଖଳାର ସହ ସମାପନ ହୋଇଛି। ସଂଘର କାର୍ଯ୍ୟକର୍ତ୍ତା ଓ ସ୍ୱୟଂ ସେବକମାନେ ପରସ୍ପରକୁ ଅଭିର ବୋଳି ଶୁଭେଚ୍ଛା ଜଣାଇଥିଲେ। ସେହିଭଳି କୁଆଁସସ୍ଥିତ ସାଧନାପୀଠରେ ଏହି ହୋଲି ଉତ୍ସବକୁ ନିରାଡମ୍ବର ସହ ମନାଇଥିଲେ। ବାଗୁରାଇ ସାର୍ବଜନୀନ ଦୋଳମଣ୍ଡପର ହୋଲି ଉତ୍ସବ ଚଳିତବର୍ଷ ସବୁଠାରୁ ନିଆରା ଥିଲା। ସେଠାରେ ଦୁଇଦିନ ଧରି ଭଜନ ଓ ଆଧୁନିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଯାହା ଲୋକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ବିମାନ ଗୁଡିକ ରାତି ୧୨ ଘଟିକା ଠାରୁ ଆରମ୍ଭ କରି ସକାଳ ୮ ଘଟିକା ପର୍ଯ୍ୟନ୍ତ ବିଭିନ୍ନ ଭଳିକି ଭଳି ବାଜା ରୋଷଣି ଓ ସାଜ୍ଜସଜ୍ଜା ସହ ଝୁଲି ଝୁଲି ଆସି ବାଗୁରାଇ ଦୋଳମଣ୍ଡପରେ ପହଞ୍ôଚଥିଲେ। ଏହି ଉତ୍ସବକୁ ଓ ଠାକୁରଙ୍କ ସହ ରଙ୍ଗ ଖେଳିବାକୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଓ ଜନସାଧାରଣରେ ସେଠାରେ ପହଞ୍ଚିଥିଲେ। ତେବେ ବାଗୁରାଇ ଦୋଳ ମଣ୍ଡପ ମେଳଣ ପଡିଆଟି ସେଦିନ ଜନସମୁଦ୍ର ପାଲଟି ଯାଇଥିଲା। ଏବଂ ଠାକୁରଙ୍କ ସୁସଜ୍ଜିତ ବିମାନ ଓ ବାଜା ରୋଷଣିର ତାଳେ ତାଳେ ଦର୍ଶକମାନେ ମତୁଆଲା ହୋଇଥିଲେ। ଶେଷରେ ସମସ୍ତ ବିମାନ ମଣ୍ଡପରେ ପହଞ୍ଚିସାରିବା ପରେ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣ ଠାକୁରଙ୍କ ଉପରେ ଅଭିର ପକାଇ ରଙ୍ଗ ଖେଳିବା ସହ ଆଶୀର୍ବାଦ ଲାଭ କରିଥିଲେ।