Odiapua.com

ଭଦ୍ରକର ବିଭିନ୍ନ ସ୍ଥାନରେ ବାହୁଡା ଯାତ୍ରା ସମାପିତ

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବିଭିନ୍ନ ସ୍ଥାନରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରା ଙ୍କ ର ବାହୁଡା ଯାତ୍ରା ଶେଷ ହୋଇଛି। କେଶପୁର, ଉତ୍ତରବାହୀନି, ବାଇପାସ, କୁଆଁସ, ସନ୍ଥିଆ, ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ପୀଠ, ଅପର୍ତ୍ତିବିନ୍ଧା, ଗବସାହି, ବାଗୁରାଇ, ରାନ୍ଦିଆ, ଚରମ୍ପାର ବରାଳପୋଖରୀ ଓ ଡଗରାସାହି ଆଦି ସ୍ଥାନମାନଙ୍କରେ ବାହୁଡାଯାତ୍ରା ମହାଆଡମ୍ବରସହକାରେ ସମାପିତ ହୋଇଛି। ପୀଠ ପାର୍ଶ୍ୱ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ର ବାହୁଡାଯାତ୍ରା ଶେଷ ହୋଇଛି। ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ସେବାୟତମାନେ ଠାକୁରଙ୍କୁ ରଥାରୁଢ କରାଇଥିଲେ। ପରେ ରଥ ମାଉସୀ ମା ମନ୍ଦିରରୁ ବାହାରି ମନ୍ଦିରରେ ପହଂଚିଥିଲା। ଭଦ୍ରକାଳୀପୀଠ ଓ ବରାଳପୋଖରୀ ଗୁଣ୍ଠୁଣିଆ ବଜାରସ୍ଥିତ ଦଧିବାମନ ମନ୍ଦିରରୁ ତିନି ଠାକୁରଙ୍କର ପହଣ୍ଡି ବିଜେ ପରେ ସେବାୟତମାନେ ଠାକୁରଙ୍କୁ ରଥାରୁଢ କରିଥିଲେ। ଡଗରାସାହି ମାଉସୀ ମା’ ମନ୍ଦିରରୁ ଭକ୍ତମାନେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ପହଣ୍ଡିବିଜେ କରାଇ ରଥାରୁଢ କରିଥିଲେ। ଉପସ୍ଥିତ ଭକ୍ତମାନେ ହରିବୋଲ ଓ କୀର୍ତ୍ତନ ସହ ରଥରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସମଗ୍ର ଅଂଚଳ ଶଂଖ ଓ ହରିବୋଲଧ୍ୱନିିରେ ମୁଖରିତ ହୋଇଥିଲା। କୁଆଁସ ବଡଦାଣ୍ଡ ରଥ ମାଉସୀମା ମନ୍ଦିର ପିଲାଗଣେଶ ଠାର ୁ କୁଆଁସ ଗ୍ରାମ ପରିକ୍ରମା କରାଯାଇ ବଡଦାଣ୍ଡରେ ପହଂଚିଥିଲା।

କୁଆଁସରେ ଦାସସାହି ରଥ, ମହାପାତ୍ରସାହି ରଥମାନ ମଧ୍ୟ ପାରମ୍ପାରିକ ରୀତିନୀତି ଅନୁସାରେ ମାଉସୀମା ମନ୍ଦିରରୁ ବାହାରି ମନ୍ଦିରରେ ପହଂଚିଥିଲା। ସେହିଭଳି ଭଦ୍ରକ ବ୍ଲକ୍‌ର କେଶପୁର-ହରିବୋଡଲ ପୀଠ ସ୍ଥିତ ଜଗନ୍ନାଥ ମନ୍ଦିରରୁ ରଥଯାତ୍ରା ଦିନ ଟଣା ହୋଇ ତିହିଡି ବ୍ଲକ୍‌ର ମାଉସୀ ମା’ ମନ୍ଦିରକୁ ଆସିଥିବା ତିନି ଦିଅଁଙ୍କ ଛେରାପହଁରା କାର୍ଯ୍ୟ ଭଦ୍ରକର ଜିଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ଏକ ଭାବ ଗମ୍ଭୀର ଓ ଆଧ୍ୟାତ୍ମିକ ପରିବେଶରେ କରାଯିବା ପରେ ରଥଟଣା କାର୍ଯ୍ୟ ହଜାରହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଆରମ୍ଭ ହୋଇଥିଲା। ଅନୁରୂପ ଉତ୍ତରବାହିନୀରେ ସଦାବର୍ତ୍ତ ମଠର ଟ୍ରଷ୍ଟି ତଥା ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଛେରା ପହଁରା ଏବଂ ଭଦ୍ରକାଳୀ ମନ୍ଦିର ପରିସରରେ ଥିବା ୩ ବିଗ୍ରହଙ୍କ ପହଣ୍ଡି ବିଜେ ଓ ବାହୁଡା ଯାତ୍ରା ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଚାନ୍ଦବାଲି ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିରର ସାଳନ୍ଦୀ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଚିତ୍ତରଂଜନ ଭୂୟାଁ ରାଜା ବେଶରେ ଛେରାପହଁରା କରିବା ପରେ ବାହୁଡାର ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।