Odiapua.com

ଭଦ୍ରକର ବହୁ ଚର୍ଚ୍ଚିତ ଏରେଇଁ ସମବାୟ ସମିତି ନିର୍ବାଚନ ଶେଷ, ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଧରାଶାୟୀ କରି ବିରୋଧୀଙ୍କ ବାଜିମାତ୍

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇତିମଧ୍ୟରେ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ସେବା ସମବାୟ ସମିତିର ନିର୍ବାଚନ ସରିଲାଣି। ତେବେ ଭଦ୍ରକର ଚରମ୍ପାସ୍ଥିତ ୧୬ ଟି ମ୍ୟୁନସିପାଲଟି ୱାର୍ଡ ଓ ୩ଟି ପଞ୍ଚାୟତକୁ ନେଇ ଗଠିତ ଏରେଇଁ ସେବା ସମବାୟ ସମିତିର ନିର୍ବାଚନ କେତେକ ସମସ୍ୟା ନେଇ ସ୍ଥଗିତ ରହିଥିଲା। ପରବର୍ତ୍ତୀ ସମୟରେ ମାମଲା ଯାଇ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ପହଞ୍ଚିଥିଲା। ଏବେ ମାନ୍ୟବର ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଏଠାରେ ନିର୍ବାଚନ ସମାପନ ହୋଇଛି। ମାତ୍ର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଯେଉଁ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ଜିଲା ପ୍ରଶାସନକୁ ତାଗିଦ କରାଯାଇଥିଲା, ତାହା ଫଳପ୍ରସୂ ହୋଇପାରିନଥିଲା। ସକାଳ ୭ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ଭୋଟଦାନ ହୋଇ ୪ଟା ପରେ ଗଣତି ଆରମ୍ଭ ହୋଇଥିଲା। କିନ୍ତୁ ପ୍ରଥମ ପର୍ଯ୍ୟାୟର ଭୋଟଦାନ ସମୟରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା। ଏହାର ଖବର ପାଇ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ଶେଷ ହୋଇଥିଲା।

ସେବା ସମବାୟ ସମିତିର ଗୃହର ପରିତ୍ୟକ୍ତ ଅବସ୍ଥା ଯୋଗୁଁ ଏହି ମତଦାନ ଓ ଗଣତି ଏରେଇଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଂପନ୍ନ ହୋଇଥିଲା। ଏହି ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ ତାହା ଜିଲାର ସମସ୍ତ ବୁଦ୍ଧିଜୀବୀଙ୍କୁ ବିଜେଡି ସମର୍ଥିତ ପ୍ରାର୍ଥିୀଙ୍କ ପରାଜୟ ବିସ୍ମିତ କରିଛି। କାରଣ ଏଠାରେ ବିଜେଡି ବିରୋଧୀ ପ୍ରାର୍ଥୀ ପ୍ରକାଶ ଜ୍ୟୋତି ମହାକୁଡ, ବଣିଆ ସରପଞ୍ଚ ଅଜୟ ସାମଲ, ପରସିଙ୍ଗା ଯୁବନେତା ବାବୁଲି ମହାନ୍ତି, ଏରେଇଁରେ ଯୁବ ନେତା ଅମୂଲ୍ୟ ବେହେରାଙ୍କ ନେତୃତ୍ୱରେ ଏହି ସେବା ସମବାୟ ସମିତିର ୧୫ଟି ଆସନରୁ ବିରୋଧୀ ୧୦ ଟି ସିଟ୍ ହାତେଇ ବିରୋଧୀ ବିଜେଡି ପ୍ରାର୍ଥୀଙ୍କୁ ଚକ୍‌ମା ଦେଇଛନ୍ତି। ଯାହାଫଳରେ ବିଜେଡି ସମର୍ଥିତ ପ୍ରାର୍ଥୀ ମାତ୍ର ୫ରେ ସୀମିତ ରହିଯାଇଛି। ଏଠାରେ ସୂଚନାଯୋଗ୍ୟ ଏହି ସେବା ସମବାୟ ସମିତି ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ସମସ୍ତ ନେତା ଦିନରାତି ଏକ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଯାହା ନିର୍ବାଚନ ପଶାପାଲି ପ୍ରତିଯୋଗିତାରେ ବିରୋଧୀଙ୍କ ଗୋଟି ଚାଳନା ଶାସକ ଦଳକୁ ଧରାଶାୟୀ କରିଛି। ସବୁଠାରୁ ବିସ୍ମିତ କଥା ବିଜେଡି ସମର୍ଥିତ ପ୍ରାର୍ôଥନୀ ଏହି ନିର୍ବାଚନରେ ଖଣ୍ଡିଏ ବି ଭୋଟ ପାଇନାହାଁନ୍ତି। ଏଥିରେ ବିଜେପି ସମର୍ଥିତ ପ୍ରକାଶଜ୍ୟୋତି ମହାକୁଡଙ୍କ ପଲ୍ଲାକୁ ଭାରି କରିବା ସହ ତାଙ୍କର ନେତୃତ୍ୱ ପ୍ରତି ଭୋଟରମାନେ ଆସ୍ଥା ପ୍ରକଟ କରି ଜୟଯୁକ୍ତ କରାଇଛନ୍ତି। ଫଳରେ ଶ୍ରୀ ମହାକୁଡଙ୍କ ସଭାପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ନିଜର ବିଜୟକୁ ନେଇ ଶ୍ରୀ ମହାକୁଡ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଚାଷୀଙ୍କର ଧାନକ୍ରୟ ଓ ଋଣକୁ ନେଇ ଯେଉଁ ସମସ୍ୟା ରହିଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବା ସହ ସମବାୟ ସମିତିର ଭଗ୍ନ ଗୃହ ଓ ପାଚେରୀକୁ ମରାମତି କରିବେ ବୋଲି କହିଛନ୍ତି।