Odiapua.com

ଭଦ୍ରକର ପୁଲିସ୍ କାହା ଚାପରେ ମୁଣ୍ଡ ନୁଆଇଁଲା, ୩ ଦିନ ପରେ ପୁଣି ଠେଲା ଓ ଟ୍ରଲି ବ୍ୟବସାୟୀଙ୍କ ରାଜୁତି, ସାଧାରଣ ଲୋକ ଅଡୁଆରେ

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରରେ ଉଠା ଓ ଟ୍ରଲି ବ୍ୟବସାୟ ମୁକ୍ତହେବାର ୩ ଦିନ ପରେ ପୁଣି ଠେଲା ଓ ଟ୍ରଲି ବ୍ୟବସାୟୀଙ୍କ ରାଜୁତି ଦେଖିବାକୁ ମିଳିଛି। ଯାହାଫଳରେ ଭଦ୍ରକ ପୁଲିସ୍ ଓ ପୌର ପ୍ରଶାସନର ସଚ୍ଚୋଟପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ଏଠାରେ ସୂଚନାଯୋଗ୍ୟ ଗତ ୧୩ ତାରିଖ ଦିନ ଚରମ୍ପା ଅଂଚଳରୁ କିଛି ବ୍ୟକ୍ତି ଭଦ୍ରକ ସହରକୁ କିଣାକିଣି କରିବାକୁ ଆସି ଅପର୍ତ୍ତବିନ୍ଧା ଛକ ନିକଟରେ ଟ୍ରଲି ବ୍ୟବସାୟୀଙ୍କ ଠାରୁ ପରିବାର ରେଟ୍ ପଚାରି ବୁଝୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଟ୍ରଲି ବାଲା ଅନ୍ୟ ଟ୍ରଲିବାଲାଙ୍କ ଠାରୁ ରେଟ୍ କମ୍ କହିଥିଲା। ଏଥିପାଇଁ ୩/୪ ଜଣ ଟ୍ରଲିବାଲା ତାଙ୍କ ସହଯୋଗୀଙ୍କ ସହ ଆସି ଚରମ୍ପା ଅଂଚଳର ସୁରେଶ ସେଠୀଙ୍କୁ ଏତେ ରେଟ୍ ବୁଝୁଛ ବୋଲି କହି ନିସ୍ତୁକ ମାଡ ମାରିଥିଲେ। ଯାହାଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବଂ ଜିଲା ପୁଲିସ୍ ପ୍ରଶାସନ ହସ୍ତକ୍ଷେପରେ ଉକ୍ତ ଉତ୍ତେଜନା ପ୍ରଶମିତ ହୋଇ ସେଠାରେ ଏପର୍ଯ୍ୟନ୍ତ ପୁଲିସ୍ ମୁତୟନ କରାଯାଇଛି। ଏବଂ ସେହି ମାଡରେ ଗରାଖ ରାଜେଶ ସେଠୀ ଗୁରୁତର ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଛିି। ଏହି ଘଟଣାରେ ବୁଦ୍ଧିଜୀବୀ ଓ ସର୍ବସାଧାରଣଙ୍କ ପକ୍ଷରୁ ଉଠା ଓ ଟ୍ରଲି ବ୍ୟବସାୟୀଙ୍କ ପ୍ରତି ଅସନ୍ତୋଷ ଭାବ ଦେଖାଦେଇଥିଲା। ଏବଂ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ଭଦ୍ରକ ସହରକୁ ଠେଲା ଓ ଟ୍ରଲି ବ୍ୟବସାୟ ମୁକ୍ତ କରାଯାଉ ବୋଲି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗତ ୧୪ ତାରିଖ ଦିନ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଭଦ୍ରକ ସହରକୁ ସଂପୂର୍ଣ୍ଣ ଉଠା ଓ ଟ୍ରଲି ବ୍ୟବସାୟ ମୁକ୍ତ କରାଯାଇଥିଲା। ଏବଂ ଜିଲା ପ୍ରଶାସନର ଡାକବାଜି ଯନ୍ତ୍ର ଦ୍ୱାରା ସେମାନଙ୍କ ପାଇଁ ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ଜାଗା ଚିହ୍ନଟ କରାଯାଇଥିବାର ଘୋଷଣା କରାଯାଇଥିଲା। ମାତ୍ର ଏହି ଘଟଣାର ୩ ଦିନ ପୂରୁଣୁ ପୁଣି ବନ୍ତଛକ ନିକଟରେ ଟ୍ରଲି ଓ ଠେଲା ବ୍ୟବସାୟୀଙ୍କ ରାଜୁତି ଦେଖିବାକୁ ମିଳିଛି। ଯାହା ଜନସାଧାରଣଙ୍କ ପକ୍ଷରୁ ଭଦ୍ରକ ପୁଲିସ୍‌ର ପାରିବା ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି।