ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଅଧୀନସ୍ଥ ଗେଲପୁର ପଂଚାୟତ ସାମରାଇପୁର ମୌଜାରେ ନିର୍ମାଣ ହେଉଥିବା ନୂତନ ଡାକ୍ତରଖାନାର ପାଚେରୀ ନିର୍ମାଣକୁ ବିରୋଧ କରି ଆଜି ସ୍ଥାନୀୟ ୪ଟି ଗ୍ରାମର ଗ୍ରାମବାସୀମାନେ ପିଲାଛୁଆ ଧରି ଗଣଧାରଣାରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ସାମରାଇପୁରରେ ଭଦ୍ରକର ନୂତନ ଡାକ୍ତରଖାନା ନିର୍ମାଣ ଆରମ୍ଭ ହୋଇଛି । ଏହି ଡାକ୍ତରଖାନାର ଚତୁଃର୍ପାଶ୍ୱର୍ରେ ଏଥିପାଇଁ ଏକ ବିରାଟ ପାଚେରୀ ତିଆର ହେଉଛି । ଏହି ପାଚେରୀ ନିର୍ମାଣ ହେବା ଦ୍ୱାରା ଗେଲପୁର ପଂଚାୟତର ୪ ରୁ ଉର୍ଦ୍ଧ୍ୱ ଗ୍ରାମର ଗ୍ରାମବାସୀମାନେ ଚାଷକାର୍ଯ୍ୟ ନେଇ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନଙ୍କ ଅଭିଯୋଗରୁ ଜଣାପଡିଛି । ଗ୍ରାମ ମୁଖିଆ କ୍ଷୀତିଶ ସାମନ୍ତଙ୍କ ଅଭିଯୋଗ ମୂଳେ ସେମାନଙ୍କର ଘରବାଡି ଓ ଚାଷଜମିକୁ ଯାତାୟତ ପାଇଁ ଏହା ବାଧକ ହେବ । ଫଳରେ ସେମାନେ ଚାଷକାର୍ଯ୍ୟ କରିବାକୁ ଯାଇପାରିବେ ନାହିଁ । ଏଣୁ ଏହି ସମସ୍ୟାକୁ ନେଇ ଜିଲା ପ୍ରଶାସନକୁ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ତାର କୌଣସି ସମାଧାନ ନହେବାରୁ ଆଜି ବାଧ୍ୟହୋଇ ଗ୍ରାମବାସୀମାନେ ନିଜ ନିଜର ଛୋଟ ଛୋଟ ପିଲାଙ୍କୁ ଧରି ଗଣଧାରଣାରେ ବସିଛନ୍ତି । ଏପରିକି ଭଦ୍ରକ ସାଂସଦଙ୍କ ମା’ ଓ ଭାଇ ମଧ୍ୟ ଏହି ଗ୍ରାମନିବାସୀ ହୋଇଥିବାରୁ ଗଣଧାରଣାରେ ସାମିଲ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଏବଂ ଯଦି ଏହାର କୌଣସି ସମାଧାନ ନହୁଏ, ସେମାନେ ଆଗାମୀ ଦିନରେ ବିଧାୟକଙ୍କ ଘର ସମ୍ମୁଖରେ ଆତ୍ମହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଆଜି ଗଣଧାରଣାରେ ବସିଥିବା ଗ୍ରାମବାସୀମାନେ ହାତରେ କିରୋସିନି ଧରି ଆତ୍ମହତ୍ୟା ପାଇଁ ପ୍ରସ୍ତୁତ ଥିବାର ଦେଖିବାକୁ ମିଳିଛି ।