Odiapua.com

ଭଦ୍ରକର ଜୀବନରେଖା ସାଳନ୍ଦୀ ହେଉଛି ଶ୍ରୀହୀନ – ଚାଲିଛି ଠିକାଦାର ତୁଷ୍ଟୀକରଣ ନୀତି

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଳନ୍ଦୀ ନଦୀ ଭଦ୍ରକ ଜିଲାର ଲାଇଫ୍‌ଲାଇନ୍। ମୟୁରଭଂଜ ଜିଲାର ମେଘାସନ ପର୍ବତରୁ ବାହାରି ୧୦୩ କିଲୋମିଟର ଅତିକ୍ରମ କରିବା ପରେ ଏହି ଜିଲା ଚାନ୍ଦବାଲି ବ୍ଲକ୍ ବଙ୍ଗାଳିଦପା ଠାରେ ବୈତରଣୀ ନଦୀରେ ମିଶିଛି। ଲକ୍ଷାଧିକ ଚାଷୀ ଏହି ନଦୀର ଜଳ ଦ୍ୱାରା ଉପକୃତ ହେଉଛନ୍ତି। ଏହି ନଦୀର ଜଳ ଫେକର କଂପାନୀ ସମେତ ବହୁ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କ ଚାହିଦା ମେଣ୍ଟାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଳନ୍ଦୀ ନଦୀ ଯୋଗୁଁ ନଦୀ ପାଶ୍ୱର୍ବର୍ତ୍ତୀ ଇଲାକାରେ ଜଳସ୍ତର କମ୍ ରହୁଥିବାରୁ ଲକ୍ଷାଧିକ ଜିଲାବାସୀ ପାନୀୟ ଜଳ ପାଇବାକୁ ସକ୍ଷମ ହୋଇପାରୁଛନ୍ତି। ସାଳନ୍ଦୀକୁ ନେଇ ସୃଷ୍ଟି ହୋଇଛି ଅସରନ୍ତି ସାହିତ୍ୟ ସମ୍ଭାର। ଏହାବ୍ୟତୀତ ସାଳନ୍ଦୀକୁ ଜିଲାର ସ୍ୱାଭିମାନର ପ୍ରତୀକ ମନେକରି ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ମଧ୍ୟ ଏହି ନାମକୁ ବ୍ୟବହାର କରି ଜିଲାବାସୀଙ୍କ ଭାବାବେଗ ସହ ଯୋଡି ହେବାକୁ ଚେଷ୍ଟା କରିଛନ୍ତି। କେତେକ ଜିଲାସ୍ତରୀୟ ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ସାଳନ୍ଦୀର ନାଁ ନେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। ଏପରିକି ଜିଲାବାସୀଙ୍କ ଭାବାବେଗକୁ ନେଇ କେତେକ ବ୍ୟକ୍ତି ଅନୁଷ୍ଠାନ ଗଢି ନିଜର ବ୍ୟକ୍ତିଗତ ଆର୍ଥିକ ସ୍ୱାର୍ଥ ସାଧନ ମଧ୍ୟ କରିଚାଲିଛନ୍ତି। ହେଲେ ଜିଲାବାସୀଙ୍କ ସଚେତନତା ଅଭାବ ସାଙ୍ଗକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ପାଇଁ ସାଳନ୍ଦୀ ନଦୀ ଆଜି ନିଜର ପରିଚୟ ଖୋଜୁଛି। ଏବେ ସାଳନ୍ଦୀ ନଦୀ ଏକ ଦଳ ଗଡିଆରେ ପରିଣତ ହୋଇଛି। ବିଲାତି ଦଳ ପାଇଁ ନଦୀ ଶଯ୍ୟାରେ ସ୍ୱାଭାବିକ୍ ଜଳ ପ୍ରବାହ ବାଧାପ୍ରାପ୍ତ ହେଉଛି। ଏହି ନଦୀରେ ଥିବା ବହୁ ପୋଲ ମଧ୍ୟ ବିଲାତି ଦଳ ପାଇଁ ବିପଦସଂକୁଳ ହେବାରେ ଲାଗିଛି। ଏହାବ୍ୟତୀତ ଭଦ୍ରକ ପୌରାଞ୍ଚଳର ବାଉଦପୁର, ସାହାପୁର, ବାଗୁରାଇ, ଜାନୁଗଞ୍ଜ, ଜଗନ୍ନାଥପୁର, ମଠସାହି, କୁଆଁସ, ସନ୍ଥିଆ ଅଂଚଳର ଆବର୍ଜନାମୟ ଡ୍ରେନ୍ ପାଣି ସିଧାସଳଖ ସାଳନ୍ଦୀରେ ମିଶୁଛି। ଫଳରେ ନଦୀର ଜଳ ଦୂଷିତ ହୋଇ ଜିଲାବାସୀଙ୍କ ପାଇଁ ବିପଦର କାରଣ ପାଲଟିଛି। ପୌରପାଳିକାର ଡ୍ରେନ୍ ମାଧ୍ୟମରେ ନିଷ୍କାସିତ ବର୍ଜ୍ୟ ଜଳକୁ ବିଶୋଧନ ପରେ ନଦୀରେ ଛାଡିବାର ନିୟମ ରହିଛି। ହେଲେ ପୌର ପ୍ରଶାସନ ଏ ଦିଗରେ ସଂପୂର୍ଣ୍ଣ ଉଦାସୀନ ରହିଛନ୍ତି। ଅମୃତ ଯୋଜନା କାର୍ଯ୍ୟକାରୀ ହେବାକୁ ଇତିମଧ୍ୟରେ ୪ ବର୍ଷ ବିତିଥିଲେ ମଧ୍ୟ ଜିଲାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାଳନ୍ଦୀ ନଦୀ ପ୍ରତି ପୌର ପ୍ରଶାସନ ବିଶେଷକରି ଜଳସେଚନ ବିଭାଗର କୌଣସି ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ଥିବା ପରି ଜଣାପଡୁନାହିଁ। ତେବେ ଇତିମଧ୍ୟରେ ସାଳନ୍ଦୀ ନଦୀରୁ ବିଲାତି ଦଳ ସଫା କରିବାକୁ ଅଣ୍ଟା ଭିଡିଛି ଜଳସେଚନ ବିଭାଗ। ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ସାହୁଙ୍କ ସୂଚନା ଅନୁଯାୟୀ ତାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଇତିମଧ୍ୟରେ କ୍ଷେତ୍ରୀୟ ତଦନ୍ତ କରିଛନ୍ତି। ସାଳନ୍ଦୀ ଅବବାହିକାରେ ଥିବା ମୋଟ ୨୯ ଟି ସେତୁ ନିକଟରେ ଜମି ରହିଥିବା ବିଲାତି ଦଳ ସଫା କରାଯିବ। କାରଣ ଏହି ବିଲାତି ଦଳ ସେତୁ ପ୍ରତି ବିପଦ ସୃଷ୍ଟି କରୁଛି। ଏଥିନିମିତ୍ତ ୧୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ହୋଇଛି। ଆସନ୍ତା ୨୦ ତାରିଖ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ ହେବ ଦଳ ସଫା। ପ୍ରତ୍ୟେକ ବର୍ଷ ଦଳ ସଫା କାର୍ଯ୍ୟ ହାତକୁ ନିଆଯାଉଛି, କିନ୍ତୁ ଏଯାବତ୍ ବିଲାତି ଦଳ ସୃଷ୍ଟି କରୁଥିବା ସମସ୍ୟାର ସମାଧାନ ପାଇଁ କୌଣସି ଡିପିଆର ପ୍ରସ୍ତୁତ କରିନଥିବା ନିର୍ବାହୀ ଯନ୍ତ୍ରୀ ଇଂ ସାହୁ ସ୍ୱୀକାର କରିଛନ୍ତି। ଯାହାକି ତାଙ୍କର ସାଳନ୍ଦୀ ନଦୀର ଗୁରୁତ୍ୱ ପ୍ରତି ଆନ୍ତରିକତାର ଅଭାବକୁ ସୂଚାଉଛି। ଅପରପକ୍ଷେ ଭଦ୍ରକର ପରିଚୟ ବହନ କରୁଥିବା ସାଳନ୍ଦୀ ନଦୀର ଦଳ ସଫା କାର୍ଯ୍ୟ ଜିଲାବାସୀଙ୍କ ସ୍ୱାର୍ଥ ନା ଠିକାଦାର ତୁଷ୍ଟୀକରଣ ପାଇଁ ଉଦ୍ଦିଷ୍ଟ ତାହାକୁ ନେଇ ଉଠିଛି ପ୍ରଶ୍ନ। ଏହି ଜିଲାରେ ଦୀର୍ଘବର୍ଷ ଧରି ରହିବା ପରେ ମଧ୍ୟ ସାଳନ୍ଦୀ ପ୍ରତି ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।