Odiapua.com

ଭଦ୍ରକର ଐତିହ୍ୟ ପୁରୁଣାବଜାରର ୧୫ ଟି ୱାର୍ଡର ଭାଗ୍ୟ ବଦଳିବ କେବେ!, ବିକାଶ ଅଟକିଛି ରାଜନୈତିକ ଛକାପଞ୍ଝାରେ

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ସବୁବେଳେ ବିକାଶର ଡିଣ୍ଡିମ ପିଟୁଥିବାବେଳେ ଭଦ୍ରକ ସହରର ପୁରୁଣାବଜାର ଅଂଚଳ ଏଥିରୁ ବାଦ୍ ପଡିଛି । ରାଜନୈତିକ ଛକାପଞ୍ଝାରେ ଏହି ଐତିହାସିକ ପୁରୁଣାବଜାରର ବିକାଶ ବଳିପଡିଛି । ଭଦ୍ରକର ଐତିହ୍ୟ କୁହାଯାଉଥିବା ଏହି ପୁରୁଣାବଜାରର ବୁଢାଗଣେଶ, ଟୋକା ଗଣେଶ, ମୋଗଲ ସମୟର ମୋଗଲ ତାମସା ଓ ବହୁ ପୁରାତନ ସଦାବର୍ତ୍ତ ମଠ ଏହାର ଅତୀତର କୀର୍ତ୍ତିରାଜିକୁ ମନେ ପକାଉଥିବାବେଳେ ସବୁ ଦଳର ରାଜନେତାମାନେ କେବଳ ନିର୍ବାଚନ ସମୟରେ ଏହି ଅଂଚଳକୁ ଆସି ବିକାଶର ନାରା ଶୁଣାଇଥାନ୍ତି । ଏହି ରାସ୍ତା ଦେଇ ମା’ ଭଦ୍ରକାଳୀଙ୍କ ପୀଠ ଓ ମୁସଲିମ୍ ସଂପ୍ରଦାୟର ବହୁ ମସ୍‌ଜିଦ୍‌ର ଯାତାୟତର ମାଧ୍ୟମ ହୋଇଥିବାବେଳେ ଏଠାରେ ମୁସଲିମ୍ ସଂପ୍ରଦାୟର ସଂଖ୍ୟା ଅଧିକ । ତେବେ ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟଙ୍କ ଭାଇଚାରା ସମଗ୍ର ରାଜ୍ୟରେ ବିରଳ । ପୂର୍ବରୁ ଏହି ଅଂଚଳ ବାଣିଜ୍ୟ କାରବାର ପାଇଁ ପ୍ରସିଦ୍ଧ ଲାଭ କରିଆସୁଥିବାବେଳେ ରାଜନୈତିକ ଛକାପଞ୍ଝାରେ ଏହାର ବିକାଶ ଛନ୍ଦି ହୋଇଯାଇଛି । ଭଦ୍ରକ ପୌରାଞ୍ଚଳର ୩୦ ଟି ୱାର୍ଡ ମଧ୍ୟରୁ ଏହି ଅଂଚଳର କେବଳ ୧୫ ଟି ୱାର୍ଡର ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ଏହି ଅଂଚଳରେ ବାସ କରନ୍ତି । ଏଠାକାର ଲୋକମାନେ କେବଳ ଗମନାଗମନ ନୁହେଁ, ଜଳ ନିଷ୍କାସନ ଓ ମନୁଷ୍ୟାକୃତ ଜଳବନ୍ଦୀରେ ବହୁ ସମୟରେ ରହିଆସୁଥିବାବେଳେ ଏହାର ବିକାଶ କିଭଳି ହେବ, ସେଥିନେଇ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କର ଏବେ ନିଦ ଭାଙ୍ଗିଛି । ମୁଖ୍ୟତଃ ଏଠାରେ ସନ୍ଥିଆ ପୋଲ ଠାରୁ ନଙ୍ଗାମହଲା, ଶଙ୍କରପୁର ଓ ପୁରୁଣାବଜାର ତିନିଛକି ପର୍ଯ୍ୟନ୍ତ ଜବରଦଖଲ ଯୋଗୁଁ ଟ୍ରାଫିକ୍ ସମସ୍ୟା ଉତ୍କଟ ହୋଇଛି । ଜବରଦଖଲକାରୀଙ୍କୁ ତୁରନ୍ତ ହଟାଇବା ସହ ଏ ଅଂଚଳରେ ଏବେ ମୁଖ୍ୟତଃ ଭଲ ଡାକ୍ତରଖାନା, ସ୍କୁଲ, ମାର୍କେଟ୍ କମ୍ଲେକ୍ସ, କଲ୍ୟାଣ ମଣ୍ଡପ, ପାର୍କ ଓ ରାସ୍ତା ମରାମତିର ଆବଶ୍ୟକତା ରହିଥିବାରୁ ଏ ଅଂଚଳର ଉନ୍ନତି ଦିଗରେ ସରକାର ଉଚିତ୍ ଧ୍ୟାନ ଦେବା ପାଇଁ ପ୍ରଶାସନ ଓ ସରକାରଙ୍କୁ ଦାବିପତ୍ର ଦେଇଛନ୍ତି ସ୍ଥାନୀୟ ଅଂଚଳର ଚଉଦ ମହଲା କମିଟି ଓ ମୁସଲିମ୍ ଜମାତ ।