Odiapua.com

ଭଦ୍ରକରେ ୱାଲର୍ଡ ଷ୍ଟ୍ରୋକ ଦିବସ ପାଳିତ

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରେନ୍‌ଷ୍ଟ୍ରୋକ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି । ପରିବର୍ତ୍ତିତ ଜୀବନ ଶୈଳୀ, ଖାଦ୍ୟ ଅଭ୍ୟାସ, ଉଚ୍ଚ ରକ୍ତଚାପ, ଅନିୟମିତ ମଧୁମେହଭଳି ଅନେକ କାରଣଯୋଗୁଁ ବର୍ତ୍ତମାନ ଷ୍ଟ୍ରୋକର ମାମଲା ବଢ଼ିବାରେ ଲାଗିଛି । ତେଣୁ ଷ୍ଟ୍ରୋକ ମୁକ୍ତ ଜୀବନ ପାଇଁ ଏହାର କାରଣ, ଲକ୍ଷଣ, ଚିକିତ୍ସା ଏବଂ ଷ୍ଟ୍ରୋକ ପରବର୍ତ୍ତୀ ପରିଚାଳନା ବିଷୟରେ ଅବଗତ ହେବା ଜରୁରୀ ବୋଲି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ୱାଲର୍ଡ ଷ୍ଟ୍ରୋକ୍ ଡେ (ବିଶ୍ୱ ହୃଦଘାତ ଦିବସ)ରେ ମେଡ଼ିସିନ୍ ବିଶେଷଜ୍ଞମାନେ ମତବ୍ୟକ୍ତ ପୂର୍ବକ ବିଶଦ ଆଲୋଚନା କରିଛନ୍ତି । ଜିଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଡାକ୍ତର ଭରତ ଚନ୍ଦ୍ର ସାମଲ, ଡାକ୍ତର ମିନକେତନ ମହାନ୍ତି, ଡାକ୍ତର ସନ୍ତୋଷ କୁମାର ଜେନା ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଭାରତୀ ରାଉତ, ମହାମାରୀ ବିଶେଷଜ୍ଞ ଡା. ପାର୍ଥସାରଥି ମିଶ୍ର, ଡାକ୍ତର ବିଜୟ କୁମାର ପଣ୍ଡା ପ୍ରମୁଖ ଅଂଶଗ୍ରହଣ କରି ଏହି ରୋଗର ନିରାକରଣ ଦିଗରେ ଉପସ୍ଥିତ ଥିବା ବରିଷ୍ଠ ନାଗରିକମାନଙ୍କୁ ସୂଚାଇଥିଲେ ।

ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟର ମିଡିଆ ସେଲ୍ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାସ ମହାପାତ୍ର, ଏସ.ଏମ. ଫାରୁକ୍‌, ସୁଧାକର ରାଉତ, ବୈଲୋଚନ ବେହୁରିଆ, ଆଇ.ଏମ୍‌.ଏ.ଉପଦେଷ୍ଟା ଡ଼ାକ୍ତର ହରିହର ନାୟକ, ତ୍ୟାଗଭୂମିର ଆବାହକ ଅଜୟ ନାୟକ, ରୋଟାରୀ କ୍ଲବ୍‌ର ଅଭିଜିତ୍ ନାୟକ ପ୍ରମୁଖ ଏହି ସଭାରେ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଏବଂ ଯୋଗାଯୋଗ ଅଧିକାରିଣୀ ଅନୀତା ରାଣୀ ରାଉତ ଆୟୋଜନ ଓ ପରିଚାଳନା କରିଥିବାବେଳେ ଡି.ପି.ଏମ୍ ସରିତା ମହାପାତ୍ର, ଡି.ଏ.ଏମ୍ (ଜିଲ୍ଲା ଆକାଉଣ୍ଟ ମେନେଜର) ନିଲେସ୍ ପଟ୍ଟ ନାୟକ, କଳ୍ପନା ସାମଲ, ଦିପକ ରାଉତ, ସୁଷାନ୍ତ ରାଉତ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୨୪ ବର୍ଷ ଧରି ବର୍ହିଃ ବିଭାଗରେ ସେବା ଯୋଗାଇଆସୁଥିବା ଆଟେଣ୍ଡାଣ୍ଟ ମାନସ କୁମାର ବାରିକଙ୍କୁ ଉତ୍କଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଉତ୍କଳମଣି ସେବା ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।