Odiapua.com

ଭଦ୍ରକରେ ୮୯ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣ ଜନତାଙ୍କ ସୁରକ୍ଷା ସହ ସେମାନଙ୍କୁ ନ୍ୟାୟ ପ୍ରଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିଆସୁଥିବା ପୁଲିସ୍ ବାହିନୀର କର୍ତ୍ତବ୍ୟ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ ହେବା ଉଚିତ୍ । କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗ ମନୋଭାବ ରହିଲେ ସମଗ୍ର ପୁଲିସ ବିଭାଗ ନିଜର ଶପଥପାଠର ମର୍ଯ୍ୟାଦା ବଜାୟ ରଖିବ । ପୁଲିସ୍ କର୍ମଚାରୀମାନେ ସର୍ବଦା ସମର୍ପିତ ମନୋଭାବ ନେଇ ସାଧାରଣ ଲୋକଙ୍କ ସେବାକୁ ପାଥ୍ରମିକତା ଦେଇ କାର୍ଯ୍ୟ କରିବା ଉଚିତ୍ ବୋଲି ଆଜି ୮୯ତମ ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଚରମ୍ପା ସ୍ଥିତ ରିଜର୍ଭ ପୁଲିସ ପଡ଼ିଆରେ ଅଭିବାଦନ ଗ୍ରହଣ ପୂର୍ବକ ନିଜ ବକ୍ତବ୍ୟରେ ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି ଆହ୍ୱାନ ଦେଇଛନ୍ତି । ପବିତ୍ର ଉତ୍କଳ ଦିବସରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ପ୍ରାରମ୍ଭରେ ଜିଲା ଆରକ୍ଷୀ ଅଧୀକ୍ଷକ ଅଭିବାଦନ ଗ୍ରହଣ ପରେ ଉପସ୍ଥିତ ଥିବା ପୁଲିସ ବାହିନୀଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କ ବାର୍ତ୍ତା ପଢ଼ି ଶୁଣାଇଥିଲେ । ପ୍ରାକୃତିକ ବିପର୍ଯ୍ୟୟ ଓ ନିଜ ଜୀବନକୁ ବାଜି ଲାଗଇ ସନ୍ତ୍ରାସବାଦୀଙ୍କ କବଳରୁ ଜନସାଧାରଣଙ୍କୁ ରକ୍ଷା କରିବା ଦିଗରେ ପୁଲିସ୍‌ର ଭୂମିକା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ବୋଲି ସେ କହିଥିଲେ । ଏହି ଅବସରରେ ୬ ଜଣ ପୁଲିସ୍ ଅଧିକାରୀ, ହାବିଲଦାର ଓ କନେଷ୍ଟବଳ ମାନଙ୍କୁ ଉତ୍ତମ ପୁଲିସ୍ ସେବା ପାଇଁ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଏସ୍‌ପି, ଡିଏସ୍‌ପିଙ୍କ ସମେତ ବିଭିନ୍ନ ଥାନାର ଅଧିକାରୀମାନେ ଯୋଗ ଦେଇଥିଲେ ।