Odiapua.com

ଭଦ୍ରକରେ ୬୦ତମ ଗୃହରକ୍ଷୀ ଦିବସ ପାଳିତ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୃହରକ୍ଷୀ ବିଭାଗ (ବେସାମରିକ ପ୍ରତିରକ୍ଷା ବାହିନୀ) ବିନା ପୁଲିସ୍ ବିଭାଗ ଅସଂପୂର୍ଣ୍ଣ। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସହ ଟ୍ରାଫିକ୍ କଣ୍ଟ୍ରୋଲ ଓ ବହୁ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଭଳି ପ୍ରତିକୂଳ ପରିସ୍ଥିତିରେ ଗୃହରକ୍ଷୀ ନିଃସ୍ୱାର୍ଥପର ଭାବେ ସେମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରୁଛନ୍ତି ବୋଲି ଭଦ୍ରକ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ମତବ୍ୟକ୍ତ କରିଛନ୍ତି। ଚରମ୍ପା ରିଜର୍ଭ ପୁଲିସ୍ ପଡିଆରେ ଅନୁଷ୍ଠିତ ୬୦ତମ ଗୃହରକ୍ଷୀ ଦିବସ ପାଳନ ଅବସରରେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ମୀନା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଗୃହରକ୍ଷୀ ଡିଜିଙ୍କ ବାର୍ତ୍ତା ପଢିଥିଲେ। କଂପାନୀ କମାଣ୍ଡାଣ୍ଟ ବରୁଣ ମିତ୍ରଙ୍କ ନେତୃତ୍ୱରେ ପେରେଡ୍ ଅନୁଷ୍ଠିତ ହୋଇଥିଲା। ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଡିଆଇବି ଡିଏସ୍‌ପି କମଳ ଲୋଚନ ଭୂୟାଁ, ଅତିରିକ୍ତ ଏସ୍‌ପି ବିଜୟ ନନ୍ଦନ କେରେକେଡା, ଆରଆଇ ମନୋରଂଜନ ତରାଇ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ, ପୁରୁଣାବଜାର, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନାର ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବରୁଣ ମିତ୍ରଙ୍କ ସମେତ ବହୁ ଗୃହରକ୍ଷୀ ବାହିନୀ, ଟ୍ରାଫିକ୍ ହାବିଲଦାରଙ୍କୁ ଏସ୍‌ପି ପୁରଷ୍କୃତ କରିଥିଲେ।