ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଗତ ୪ ମାସ ପୂର୍ବେ ସେପ୍ଟେମ୍ବର ୨୭ ରେ ପ୍ରଶାସନର ବିନା ଅନୁମତିରେ ସନ୍ଥିଆ ପୋଲ ନିକଟରେ ହୋଇଥିବା ମେଳିର ମୁଖ୍ୟ ଅଭିଯୁକ୍ତ ଫରିଦୋସ ଖାନ୍କୁ ଆଜି ପୁଲିସ୍ ଗିରଫ କରିଛି। ଏ ସଂପର୍କରେ ଆଜି ପୁରୁଣାବଜାର ଥାନାରେ ଡିଆଇବିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସେଦିନ ଉକ୍ତ ଘଟଣାକୁ ନେଇ ସଂପୃକ୍ତ ଅଭିଯୁକ୍ତର ପ୍ରରୋଚନାରେ ପୌରାଂଚଳ ଅଧୀନସ୍ଥ ପୁରୁଣାବଜାର ଥାନା ନଙ୍ଗାମହଲା ନିବାସୀ ଫିରଦୋସ ଖାନ୍ ନିଜ ସଂପ୍ରଦାୟର କିଛି ଲୋକଙ୍କୁ ମେଳି କରି ସନ୍ଥିଆ ପୋଲକୁ ଅବରୋଧ ପୂର୍ବକ ଟାୟାର ଜାଳି ପୁଲିସ୍କୁ ଅଟକାଇଥିଲା। ଏବଂ ଏହି ଶତାଧିକ ସଂଘବଦ୍ଧ ଆକ୍ରମଣରେ ମାଜିଷ୍ଟ୍ରେଟ୍ ଡ୍ୟୁଟିରେ ଥିବା ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆଙ୍କ ସରକାରୀ ଗାଡି ଭାଂଗିବା ସହ ସେତବେଳର ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀଙ୍କ ସମେତ ସହରାଂଚଳ ଥାନାର ଏଏସ୍ଆଇ ରାଜକିଶୋର ମୁର୍ମୁଙ୍କ ମୁଣ୍ଡ ଫାଟି ସେ ଗୁରୁତର ହୋଇଥିଲେ। ଏହି ଘଟଣାରେ ଫିରଦୋସଙ୍କ ନାମରେ ସହରାଂଚଳ ଓ ପୁରୁଣାବଜାର ଥାନାରେ ୨ଟି କେଶ୍ ରୁଜୁ ହୋଇଥିଲେ ମଧ୍ୟ ସେ ଫେରାର ହୋଇ ରାଜ୍ୟ ବାହାରେ ଆତ୍ମଗୋପନ କରିଥିଲା। ତେବେ ଗତକାଲି ଫିରଦୋସ ସହରାଂଚଳ ଥାନାରେ ତାର ଅନ୍ୟ ଏକ ଅପରାଧିକ ମାମଲାରେ ଜାମିନ୍ ପାଇଁ ହାଜର ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ସେଠାରେ ପହଂଚି ତାକୁ ଗିରଫ କରିଥିଲା। ଏବଂ ପୁରୁଣାବଜାର ଥାନାରେ ଉପରୋକ୍ତ ଘଟଣାକୁ ନେଇ ତା ନାମରେ ଥିବା ଅପରାଧିକ ମାମଲାରେ ଆଜି କୋର୍ଟ ଚାଲାଣ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଫିରଦୋସଙ୍କ ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଥିବାବେଳେ ଗିରଫ ପରୱାନା ରହିଛି ବୋଲି ଶ୍ରୀ ଦ୍ୱିବେଦୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।