Odiapua.com

ଭଦ୍ରକରେ ୟୁନାଇଟେଡ୍ ବ୍ୟାଙ୍କ ଫୋରମ୍ ପକ୍ଷରୁ ଦୁଇଦିନିଆ ଧର୍ମଘଟ

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାତୀୟକରଣ ବ୍ୟାଙ୍କକୁ ଘରୋଇକରଣ କରି ରାଷ୍ଟ୍ରାୟତ ଶିଳ୍ପକୁ କର୍ପୋରେଟ୍ କଂପାନୀକୁ କେନ୍ଦ୍ର ସରକାର ଟେକି ଦେଉଥିବାରୁ ତାର ପ୍ରତିବାଦରେ ଆଜି ଭଦ୍ରକ ଅପର୍ତ୍ତିବିନ୍ଧାସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଜାତୀୟକରଣ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀମାନେ ମିଳିତ ଭାବେ ଧାରଣା ଦେଇଥିଲେ । ଏଥି ଉପଲକ୍ଷେ ଆୟୋଜିତ ପ୍ରତିବାଦ ସଭାରେ ୟୁନିୟନ୍ ଫୋରମ ନେତା ଜଗନ୍ନାଥ ରାଉତ ଅଧ୍ୟକ୍ଷତା କରିଥିବାବେଳେ ବିଶିଷ୍ଟ ଶ୍ରମିକ ନେତା ତଥା ଅଧିବକ୍ତା ଦିବ୍ୟସିଂହ ନାୟକ, ପ୍ରମୋଦ ବାରିକ, କାଳନ୍ଦୀ ପାତ୍ର, ନବ ବେହେରା, ମହେଶ୍ୱର, ଶଶି ଶିଅଳ, ଶଶି ପ୍ରଧାନ, ତୃଷ୍ଣାରାଣୀ ନାୟକ, ଋତୁପର୍ଣ୍ଣା ନାୟକ, ଅଂଜଳି ମୂର୍ମୁ, ସଂଜୟ ଓରାମ, ଉମାକାନ୍ତ ନାୟକ, ସ୍ୱରାଜ ବେହେରା, ରବିନ୍ଦ୍ର ପୃଷ୍ଟି, ମନୋରଂଜନ ପଣ୍ଡା, ଅଂଜଳି ମିଶ୍ର, ଲକ୍ଷ୍ମୀପ୍ରିୟା ବେହେରା, ଲିପ୍‌ସିତା ଲାହା, ପାର୍ଥସାରଥୀ ମହାନ୍ତି, ରାଜେନ୍ଦ୍ର ବାରିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏବଂ ବ୍ୟାଙ୍କ ଘରୋଇକରଣ ବନ୍ଦ କରିବା ଓ ନିରୋଦ ମୋଦି, ବିଜୟ ମାଲ୍ୟାଙ୍କ ପରି ଋଣ ଖିଲାଫକାରୀମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଜାତୀୟକରଣ ବ୍ୟାଙ୍କଗୁଡିକୁ ଘରୋଇକରଣ କରିବା ପ୍ରତିବାଦରେ ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି ।