Odiapua.com

ଭଦ୍ରକରେ ‘ହର ଘର ତ୍ରିରଙ୍ଗା-୨୦୨୬’

ଭଦ୍ରକ, ୧୪ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ‘ହର ଘର ତ୍ରିରଙ୍ଗା-୨୦୨୬’ ଅଭିଯାନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ପଦଯାତ୍ରା ଆୟୋଜିତ ହୋଇଯାଇଛି। ଉତ୍ସବମୁଖର ପରିବେଶ ମଧ୍ୟରେ ଶତାଧିକ ତ୍ରିରଙ୍ଗା ପତାକା ସହ ସହର ପରିକ୍ରମା କରିଥିଲେ ୫ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଓ ବିଭିନ୍ନ ବର୍ଗର ପ୍ରତିନିଧି। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଜ଼ିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏହି ତ୍ରିରଙ୍ଗା ପଦଯାତ୍ରା ରେ ଯୋଗଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ପଦଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା ପ୍ରାୟ ୨୦୦ ମିଟର ଦୀର୍ଘ ବିଶାଳ ଜାତୀୟ ପତାକା। ଛାତ୍ରଛାତ୍ରୀ, ଯୁବବର୍ଗ, ସରକାରୀ କର୍ମଚାରୀ ଓ ସାଧାରଣ ଜନତା ଏକତ୍ରିତ ହୋଇ ଗୌରବର ସହ ଏହି ବିଶାଳ ତ୍ରିରଙ୍ଗାକୁ ବହନ କରି ସହର ପରିକ୍ରମା କରିଥିଲେ। ସମଗ୍ର ପଦଯାତ୍ରା ଅବସରରେ ‘ଭାରତ ମାତା କି ଜୟ’, ‘ବନ୍ଦେ ମାତରମ୍‌’ ଆଦି ଧ୍ୱନିରେ ପରିବେଶ ମୁଖରିତ ହୋଇଥିଲା। ଏହି ବିଶାଳ ତ୍ରିରଙ୍ଗା ପଦଯାତ୍ରା ମାଧ୍ୟମରେ ଭଦ୍ରକରେ ଦେଶପ୍ରେମ, ଜାତୀୟ ଏକତା ଓ ଭାଇଚାରାର ଏକ ଅନନ୍ୟ ବାର୍ତା ପ୍ରସାରିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ଓ ଅଂଶଗ୍ରହଣକାରୀମାନେ ସହଯୋଗ କରିଥିଲେ।