ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆୟୋଜିତ ସିଏମ୍ ଟ୍ରଫି ଜୋନ୍–୩ ଭଲିବଲ୍ ପ୍ରତିଯୋଗିତା ଜୁନ୍ ୭ ତାରିଖ ସଂଧ୍ୟାରେ ଭଦ୍ରକ କଲେଜ ପଡିଆ ଠାରେ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜ଼ିଲ୍ଲାପାଳ ଦିଲୀପ ରାଉତରାଏ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଦେବବ୍ରତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଜୋନ୍–୩ ଅନ୍ତର୍ଗତ ଫାଇନାଲ୍ ପ୍ରତିଯୋଗିତାରେ ବାଳକ ବିଭାଗରେ କେନ୍ଦ୍ରାପଡ଼ା ଦଳ ଯାଜପୁର ଜିଲ୍ଲାକୁ ୨–୦ ସେଟ୍ରେ ପରାସ୍ତ କରି ଚାମ୍ପିୟନ୍ ହୋଇଥିବା ବେଳେ ବାଳିକା ବିଭାଗରେ କେନ୍ଦ୍ରାପଡ଼ା ଦଳ ବାଲେଶ୍ୱରକୁ ୨–୧ ସେଟ୍ରେ ପରାସ୍ତ କରି ଚାମ୍ପିୟନ୍ ହେବାର ଗୌରବ ଅର୍ଜନ କରିଛି। ଉଭୟ ବାଳକ ଓ ବାଳିକା ବିଭାଗର ଚାମ୍ପିୟନ୍ ଦଳଙ୍କୁ ଟ୍ରଫି ଏବଂ ରନର୍ସ-ଅପ୍ ଦଳଙ୍କୁ ପଦକ ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାକୁ ସୁଚାରୁ ଭାବେ ପରିଚାଳନା କରିଥିବା ସମସ୍ତ ଅଧିକାରୀ ଓ କର୍ମକର୍ତାଙ୍କୁ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆଥଲେଟିକ୍ ସଂଘ ପକ୍ଷରୁ ଉପହାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ରାଜ୍ୟ ସରକାରଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଭାବେ ସିଏମ୍ ଟ୍ରଫିର ଭୂମିକାକୁ ପ୍ରଶଂସା କରିବା ସହ ଉପସ୍ଥିତ ସମସ୍ତ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଉଭୟ ଚାମ୍ପିୟନ୍ ଦଳ ବର୍ତମାନ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସେମିଫାଇନାଲ୍ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଯାତ୍ରା କରିଛନ୍ତି। ପ୍ରତିଯୋଗିତାର ସଫଳ ଆୟୋଜନରେ ଜିଲ୍ଲା ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ପାନୀୟ ଜଳ ବିଭାଗ ଏବଂ ପୌରପାଳିକାର ସହଯୋଗ ପାଇଁ ଅତିଥିମାନେ ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରତିଯୋଗିତାକୁ ସଫଳ କରିବାରେ ସଂଘର ସମ୍ପାଦକ ଧୀରେନ ପଲେଇଙ୍କ ସମେତ ଉପେନ୍ଦ୍ର ବାରିକ, ଅତିଶ ବେହେରା, ବ୍ରଜକିଶୋର ଜେନା, ରବିନାରାୟଣ ପାଣିଗ୍ରାହୀ, ତୁଷାର ଦାସ, ପାର୍ଥସାରଥୀ ରାୟ, ସୁଦାମ ନାୟକ, ରବିନାରାୟଣ ଓଝା, ମନୋଜ ସାହୁ, ସୋମନାଥ ସାହୁ, କେ.ଭି. ପ୍ରସାଦ, ମହମ୍ମଦ ତାହିର ଖାନ, ନୟନଜ୍ୟୋତି ଖଟୁଆ, ସଞ୍ଜୀବ ଦାସ, ପ୍ରଦୀପ ବିଶ୍ୱାଳ ଏବଂ ଶମ୍ଭୁନାଥ ଜେନା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।