Odiapua.com

ଭଦ୍ରକରେ ସମ୍ବିଧାନ ଦିବସ ୨୦୨୫- ପାଳିତ

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଜିଲ୍ଲାପାଳ ଦିଲିପ ରାଉତରାଏ ଙ୍କ ଅଧ୍ୟକ୍ଷତାରେ ସମ୍ବିଧାନ ଦିବସ ପାଳନ ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ସମ୍ବିଧାନକୁ ସମ୍ମାନ ଜଣାଇ ଓ ସମ୍ବିଧାନର ଆଦର୍ଶକୁ ବଜାଇ ରଖିବା ଉଧ୍ୟେଶ୍ୟରେ ଶପଥ ପାଠ କରାଯାଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଡେପୁଟୀ କଲେକ୍ଟର (ବିଚାର) କାର୍ତିକ ନାଥ ମଣ୍ଡଲ ତଥା ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ, ସମସ୍ତ ସହକାରୀ/ସହାୟକ ଜିଲ୍ଲାପାଳ, ଅନ୍ୟାନ୍ୟ ଅଧିକାରୀ ଏବଂ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ନଭେମ୍ବର ୨୬ ହେଉଛି ଭାରତ ପାଇଁ ଏକ ସ୍ୱତନ୍ତ୍ର ଦିନ। କାରଣ ଏହି ଦିନ ପ୍ରତିବର୍ଷ ସମ୍ବିଧାନ ଦିବସ ପାଳନ କରାଯାଏ। ୨୬ ନଭେମ୍ବର ୧୯୪୯ ରେ ସ୍ୱାଧନ ଭାରତ ଦେଶର ସମ୍ବିଧାନ ସଭା ବର୍ତମାନର ସମ୍ବିଧାନକୁ ବିଧିବଦ୍ଧ ଭାବେ ଆପଣାଇ ଥିଲା। ଏହାର ଦୁଇ ମାସ ପରେ, ୨୬ ଜାନୁୟାରୀ ୧୯୫୦ ରେ ଦେଶବ୍ୟାପୀ ସମ୍ବିଧାନ କାର୍ଯ୍ୟକାରୀ ହେଲା । ଭାରତୀୟ ସମ୍ବିଧାନରେ ଦିଆଯାଇଥିବା ମୌଳିକ କର୍ତବ୍ୟ ଯାହା ଆମକୁ ଆମ ଦାୟିତ୍ୱକୁ ମନେ ପକାଇଥାଏ, ସେହି ସମ୍ବିଧାନର ମୌଳିକ ଅଧିକାର ହେଉଛି ନାଗରିକମାନଙ୍କର ଢାଲ । ସମ୍ବିଧାନ ନାଗରିକମାନଙ୍କୁ ଦେଶର ଜଣେ ମୁକ୍ତ ନାଗରିକ ଭାବେ ଅନୁଭବ କରାଇଥାଏ ସମ୍ବିଧାନ ଦିବସର ଏବର୍ଷର ବିଷୟ ବସ୍ତୁ “ଆମର ସମ୍ବିଧାନ, ଆମର ସ୍ୱାଭିମାନ” ରହିଛି ।ନ୍ୟାୟ, ସ୍ୱାଧୀନତା, ସମାନତା ଏବଂ ଭାତୃତ୍ୱ ହେଉଛି ସମ୍ବିଧାନର ଆଦର୍ଶ ବୋଲି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ବ୍ୟକ୍ତ କରିଥିଲେ ଓ ଏହାସହ କିଭଳି ସମସ୍ତଙ୍କ ମଧ୍ୟରେ ସମ୍ବିଧାନର ଆଦର୍ଶ ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରାଯାଇପାରିବ ସେ ବିଷୟରେ ସମ୍ୟକ ଧାରଣା ଦେଇଥିଲେ । ସେହିପରି ଜିଲ୍ଲା ର ସମସ୍ତ କାର୍ଯ୍ୟାଳୟ, ପୋଲିସ ଷ୍ଟେସନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ମଧ୍ୟ ସମ୍ବିଧାନ ଦିବସ ପାଳନ କରାଯାଇଅଛି।