Odiapua.com

ଭଦ୍ରକରେ ଶ୍ରୀରାମକୃଷ୍ଣ ଜୟନ୍ତୀ ପାଳିତ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀରାମକୃଷ୍ଣ ପରମହଂସଙ୍କ ଜୀବନ ହେଉଛି ଭାରତ ବର୍ଷର ପାଞ୍ଚ ହଜାର ବର୍ଷର ସଂକ୍ଷିପ୍ତ ଇତିହାସ। ଭାରତ ବର୍ଷର ଅନ୍ତରାତ୍ମା ତିନୋଟି ବଳିଷ୍ଠ ସ୍ତମ୍ଭ ଉପରେ ପ୍ରତିଷ୍ଠିତ – ସଂହତି, ସମନ୍ୱୟ ଓ ସଦ୍‌ଭାବନା। ଶ୍ରୀରାମୃଷ୍ଣ ତାଙ୍କ ଜୀବନକାଳରେ ଏହାର ଭୂୟସୀ ଦୃଷ୍ଟାନ୍ତ ଦେଇ ଯାଇଛନ୍ତି। ତାଙ୍କର ବିଖ୍ୟାତ ଉକ୍ତି -ଯେତେ ମତ, ସେତେ ପଥ ଏହାର ଉକ୍ତୃଷ୍ଟ ଉଦାହରଣ। ଶ୍ରୀରାମକୃଷ୍ଣ ଥିଲେ ଜଣେ କାଳୀ ମନ୍ଦିରର ନୈଷ୍ଠିକ ପୂଜାରୀ। ଅଥଚ ନିଜ ଜୀବନକାଳରେ ତନ୍ତ୍ରସାଧନା ଏବଂ ନିର୍ବିକଳ୍ପ ସାଧନାରେ ସିଦ୍ଧି ହାସଲ କରିବା ସହିତ ଇସଲାମ ଧର୍ମ ଏବଂ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ, ଏହା ଆଜି ବିଶ୍ୱାସ କରିହୁଏନା। ସେଇଥିପାଇଁ ସେ ହେଉଛନ୍ତି ଭାରତୀୟ ଅନ୍ତରାତ୍ମାର ମୁକୁର। ଯେମିତି ମାନବ ସମାଜର କଲ୍ୟାଣ ନିମନ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ସର୍ବଶ୍ରେଷ୍ଠ ଉପହାର ହେଉଛି ଶ୍ରୀମଦ୍ ଭଗବତ୍‌ଗୀତା, ସେହି କ୍ରମରେ ମାନବ ଜାତିର ଉତଥାନ ନିମନ୍ତେ ଶ୍ରୀରାମକୃଷ୍ଣଙ୍କର ଅମୂଲ୍ୟ ଅବଦାନ ହେଉଛନ୍ତି ସ୍ୱାମୀ ବିବେକାନନ୍ଦ। ତାଙ୍କରି ପ୍ରେରଣାରେ ସ୍ୱାମୀ ବିବେକାନନ୍ଦ ଘୋଷଣା କରିଥିଲେ – ସନାତନ ବୈଦିକ ଧର୍ମ କେବଳ ସବୁ ଧର୍ମକୁ ବିଶ୍ୱାସ କରେନାହିଁ, ସମସ୍ତ ଧର୍ମକୁ ସତ୍ୟ ବୋଲି ଗ୍ରହଣ କରେ। ଭଦ୍ରକର ଶ୍ରୀରାମକୃଷ୍ଣ ଆଶ୍ରମରେ ଶ୍ରୀରାମକୃଷ୍ଣ ଜୟନ୍ତ୍ରୀ ଅବସରରେ ଖ୍ୟାତନାମା ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ପୌରୋହିତ୍ୟରେ ଅୟୋଜିତ ସଭାରେ ବକ୍ତାମାନେ ଏହି ମତ ପ୍ରକାଶ କରିଛନ୍ତି। ଏହି ସମାରୋହରେ ଶ୍ରୀରାମକୃଷ୍ଣ ପରଂପରାର ବରିଷ୍ଠ ସନ୍ନ୍ୟାସୀ ଶ୍ରୀଗଣେଶାନନ୍ଦ ପୁରୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀରାମକୃଷ୍ଣଙ୍କ ଜୀବନାଲେଖ୍ୟ ପ୍ରଦାନ କରିବା ସହିତ ତାଙ୍କ ପ୍ରତି ଶ୍ରଦ୍ଧା ନିବେଦନ କରିଥିଲେ। ଏଥି ସହିତ ଶ୍ରୀମତୀ ଅର୍ପିତା ମହାନ୍ତି, ରୋଟାରୀ କ୍ଳବର ସଭାପତି ଅଭିଜିତ ନାୟକ, ଶାନ୍ତନୁ ରାଉତ, ଉଦୟ ନାରାୟଣ ସାହୁ. ଅଜୟ କୁମାର ପ୍ରଧାନ ଏବଂ ରମାକାନ୍ତ ପାଣିଗ୍ରାହୀ ଶ୍ରୀରାମକୃଷ୍ଣଙ୍କ କାର୍ଯ୍ୟାବଳୀ ସଂପର୍କରେ ବକ୍ତବ୍ୟ ରଖିଥିଲେ। ସମାରୋହର ଆରମ୍ଭରେ ଚିନ୍ମୟ କୁମାର ଏବଂ କୁମାରୀ ପୁନି ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଆଡଭୋକେଟ୍ ମନୋରଂଜନ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଆଦିତ୍ୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉତ୍ସବରେ ଉପସ୍ଥିତ ଥିଲେ।