Odiapua.com

ଭଦ୍ରକରେ ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଉଦ୍‌ଯାପିତ

ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଶତାଧିକ ବର୍ଷର ପ୍ରସିଦ୍ଧ ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ପୂଜା ଉତ୍ସବ ଭଦ୍ରକ ସହର ଅନ୍ତର୍ଗତ ଠାକୁର ଅନନ୍ତ ନାରାୟଣମାର୍ଗ, ନରିପୁର (ଅସ୍ତଳ) ଠାରେ ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଅନନ୍ତ ବ୍ରତ ଉପଲକ୍ଷେ ମହାପ୍ରଭୁ ଠାକୁର ଶ୍ରୀ ଶ୍ରୀ ଅନନ୍ତ ନାରାୟଣଙ୍କ ବ୍ରତପୂଜା ଏବଂ ଜଣାଣ ପ୍ରାର୍ଥନା ଓ ବିଭିନ୍ନ କାର୍ଯ୍ୟକ୍ରମ କୋଭିଡ଼ ନିୟମ ଓ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବ ସାର୍ବଜନୀନ ଓ ଗଣପର୍ବ ରୂପ ନେଇ ଶହେ ବର୍ଷରୁ ଉର୍ଦ୍ଧ୍ୱ ଧରି ଭକ୍ତି ଓ ନିଷ୍ଠାର ସହ ପାରମ୍ପରିକ ରୀତିରେ ପୁରୁଷାନୁକ୍ରମେ ପାଳିତ ହୋଇ ଆସୁଅଛି । ପୂଜା ଦିନ ସକାଳେ ସାଳନ୍ଦୀ ଘାଟରୁ କଳସ ବୁଡାଯାଇ ଜଳ ଅଣାଯିବା ପରେ ଘଟ ସ୍ଥାପନ, ପୂଜାପାଠ, ହୋମ, ପୂଜାର୍ଚ୍ଚନା, ଷୋଡଷ ପୂଜା, ପ୍ରଭୁଙ୍କ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । କୋଲକାତାର କାରିଗରଙ୍କ ଦ୍ୱାରା ବିଭିନ୍ନ କିସମର ସୁବାସିତ ପୁଷ୍ପମାଲ୍ୟରେ ବିଗ୍ରହଙ୍କୁ ସୁସଜ୍ଜିତ କରାଯାଇ ମନ୍ଦିରରେ ଶୋଭା ବର୍ଦ୍ଧନ କରାଯାଇଥିଲା । ମହାପ୍ରଭୁଙ୍କ ଠାରେ ୧୪ ପ୍ରକାର ପୁଷ୍ପ, ଫଳ, ପିଠା, ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭୋଗ ଲାଗି ଅର୍ପଣ କରାଯାଇଥିଲା । ପ୍ରତିବର୍ଷ ଅନନ୍ତ ନାରାୟଣଙ୍କ ମନ୍ଦିରରେ ଅନନ୍ତ ଶୟନଙ୍କୁ ଦେଖିବା ଲାଗି ଶ୍ରଦ୍ଧାଳୁ ଏବଂ ବ୍ରତ ପାଳୁଥିବା ଶତାଧିକ ଭକ୍ତଙ୍କ ଭିଡ ଲାଗିଥାଏ ।

ପୂଜାରେ ପଣ୍ଡିତ ଗୋବର୍ଦ୍ଧନ ଦାଶ, ପଣ୍ଡିତ ସହଦେବ ପଣ୍ଡା ପୂଜାପାଠ କରିଥିବା ବେଳେ କୁଳ ପୁରୋହିତ ପଣ୍ଡିତ ଗୋବର୍ଦ୍ଧନ ମିଶ୍ର ସହାୟତା କରିଥିଲେ । ବ୍ରତଧାରୀ ମହିଳାମାନେ ସାମାଜିକ ଦୂରତା ରଖି ଉପବାସ ରହି ମନ୍ଦିରରେ ନାଗ ବ୍ରତ ପୂଜା କରିଥିଲେ । ଏହା ଏକ ସାର୍ବଜନୀନ ଗଣପର୍ବର ରୂପ ନେଇଥିବାରୁ ପ୍ରତିବର୍ଷ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି । ମନ୍ଦିରର ପ୍ରତିଷ୍ଠାତା ରାଜ୍ୟ ଗୋପବନ୍ଧୁ ପୁରସ୍କାର ପ୍ରାପ୍ତ ସମାଜସେବୀ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ନାୟକ ଓ ସହଧର୍ମିଣୀ ସ୍ୱର୍ଗତ ହରିପ୍ରିୟା ନାୟକ ସେବିକା ଭାବେ ଦୀର୍ଘବର୍ଷ ଧରି ପ୍ରଭୁଙ୍କ ପୂଜା କରି ଆସୁଥିଲେ । ପ୍ରଭୁଶ୍ରୀ ଅନନ୍ତଙ୍କ ନିକଟରେ ଯିଏ ଯାହା ମାନସିକ କରେ ସେମାନଙ୍କ ମନକାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଥିବା କିମ୍ବଦନ୍ତୀ ରହିଛି । ଶହେ ବର୍ଷରୁ ଉର୍ଦ୍ଧ୍ୱ ଧରି ଧର୍ମୀୟ ପରମ୍ପରାକୁ ନେଇ ଅନନ୍ତ ନାଗ ବ୍ରତ ପୂଜା ପାଳନ ହୋଇ ଆସୁଥିବା ବେଳେ ୧୯୭୯ ମସିହାରେ ସ୍ୱପ୍ନାଦେଶ ହେବାରୁ ତିହିଡି ଥାନା ପାଳିଆ ଗ୍ରାମର କାରିଗର ବାବାଜୀ ପୃଷ୍ଟି ଅନନ୍ତ ଶଯ୍ୟା ବିଶିଷ୍ଟ ବିଗ୍ରହ ନିର୍ମାଣ କରି ପବିତ୍ର ଅକ୍ଷୟ ତୃତୀୟାରେ ମନ୍ଦିର ପ୍ରତିଷ୍ଠା ହୋଇ ନରିପୁର (ଅସ୍ତଳ) ଗ୍ରାମରେ ଆଡମ୍ବର ସହକାରେ ପାଳିତ ହୋଇ ଆସୁଅଛି । ସନ୍ଧ୍ୟାରେ ପୂଜା ମଣ୍ଡପରେ ଠାକୁରଙ୍କ ପ୍ରାର୍ଥନା ଜଣାଣ କାର୍ଯ୍ୟକ୍ରମରେ କୋବିଡ଼ ନିୟମରେ ବିଶିଷ୍ଟ ସଂଗୀତଜ୍ଞ ଶଙ୍କର୍ଷଣ ଦାସ ଉଚ୍ଚକୋଟୀର ଜଣାଣ ପରିବେଷଣ କରିଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଜଳଙ୍ଗା କୁଆପଦା ଓ ଆମ୍ବରୋଳିର ବାବା ମକରେଶ୍ୱର ଓ ବାଲ୍ୟ ମଙ୍ଗଳା ଟ୍ରୁପ୍‌ର ଗାୟକ ସୁବାସ ମଣ୍ଡଳ, ଦିପ୍ତିମୟୀ ମଣ୍ଡଳ, ସ୍ମୃତିଶ୍ରୀୟା ମହାନ୍ତି, ଅକ୍ଷୟ ଜେନା, କୃଷ୍ଣଚନ୍ଦ୍ର ରାଉତ, କରୁଣାକର ଜେନା, ଦୀନବନ୍ଧୁ ବିନ୍ଧାଣୀ ପ୍ରମୁଖ ଭଜନ ପରିବେଷଣ କରିଥିଲେ ।

ଏହି ପୂଜା ଉତ୍ସବରେ କର୍ମକର୍ତ୍ତା ସଦସ୍ୟଙ୍କ ମଧ୍ୟରେ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଂଜୀବ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର, ରୋଟାରିଆନ ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ, ଡ. ବ୍ରଜମୋହନ ମିଶ୍ର, ବରିଷ୍ଠ ଡାକ୍ତର ଆର୍‌.କେ. ନାୟକ, ଡାକ୍ତର ବେଣୁଧର ସ୍ୱାଇଁ, ବ୍ୟାଙ୍କ ମ୍ୟାନେଜର ବସନ୍ତ ଦାଶ, ବରିଷ୍ଠ ଆଇନଜୀବୀ ନିରାକାର ଜେନା, ଶିକ୍ଷାବିତ୍ ଅଶୋକ ଶତପଥୀ, ଆଡ୍‌ଭୋକେଟ ଅତିଶ ବେହେରା, ପୂର୍ବତନ ଡିଆଇପିଆର୍‌ଓ ହରମୋହନ ଜେନା, ବିଷ୍ଣୁମୋହନ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ, ସାମ୍ବାଦିକ, ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଏହି ପର୍ବ ଶାନ୍ତି, ମୈତ୍ରୀ, ସହଯୋଗ ଓ ଆଧ୍ୟାତ୍ମିକ ଚେତନାର ଏକ ସଫଳ ବାର୍ଷିକ ଗଣପର୍ବ ବୋଲି ମତବ୍ୟକ୍ତ କରିଛନ୍ତି ।