Odiapua.com

ଭଦ୍ରକରେ ଲଗାଣ ବର୍ଷାର ତାଣ୍ଡବ, ସାଳନ୍ଦୀ ନଦୀ ବନ୍ଧର ୧୦୦ ଫୁଟ ଧସିଲା, ବନ୍ୟା ଜଳରେ ବୁଡ଼ିଲା ବହୁ ଅଂଚଳ, ଜନଜୀବନ ଅସ୍ତବ୍ୟସ୍ତ

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା ଏବଂ ସାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟା ପରିସ୍ଥିତି ଉଦ୍ୱେଗଜନକ ରୂପ ନେଇଛି। ଗତ ୨୪ ଘଂଟା ମଧ୍ୟରେ ଜିଲ୍ଲାରେ ହାରାହାରି ୧୦୪.୬୩ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଧାମନଗର ବ୍ଲକରେ ସର୍ବାଧିକ ୧୫୫ ମିଲିମିଟର ବର୍ଷା ହୋଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ, ନାଳ ଓ ଜଳାଶୟର ଜଳସ୍ତର ବୃଦ୍ଧି ପାଇଛି ଏବଂ ବହୁ ନିମ୍ନାଂଚଳ ବନ୍ୟା ଜଳରେ ବୁଡ଼ି ରହିଛି। ସବୁଠାରୁ ଚିନ୍ତାଜନକ ଘଟଣା ସାଳନ୍ଦୀ ନଦୀ କୂଳର ଦେଉଳପାଳ ଅଂଚଳରେ ଦେଖିବାକୁ ମିଳିଛି। ପ୍ରବଳ ସ୍ରୋତ ଯୋଗୁଁ ସାଳନ୍ଦୀ ନଦୀ ବନ୍ଧର ପ୍ରାୟ ୧୦୦ ଫୁଟ ଅଂଶ ଧସି ଯାଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବନ୍ଧରେ ହୋଇଥିବା ଏହି କ୍ଷତି ଆଗାମୀ ଦିନରେ ବଡ଼ ଘାଇ ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଯଦି ବର୍ଷା ଜାରି ରହେ ଏବଂ ନଦୀର ଜଳସ୍ତର ଆହୁରି ବଢ଼େ, ତେବେ ଆଖପାଖ ଗ୍ରାମଗୁଡ଼ିକ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ବନ୍ୟା ଜଳ ଯୋଗୁଁ ଜିଲ୍ଲାର ବହୁ ଗ୍ରାମ ଓ ସହରାଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଉପୁଜିଛି। ଅନେକ ଲୋକଙ୍କ ଘରେ ବନ୍ୟା ପାଣି ପ୍ରବେଶ କରିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ପରିବାର ନିରାପଦ ସ୍ଥାନକୁ ଯିବାକୁ ବାଧ୍ୟ ହୋଇଥିବା ବେଳେ ଦୈନନ୍ଦିନ ଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଭଦ୍ରକ ସହରର ଆରଡ଼ି ଛକ, ସମରାଇପୁର, ଚରମ୍ପା ସମେତ ବହୁ ସ୍ଥାନରେ ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ବହୁ ଅଂଚଳରେ ଡ୍ରେନ୍ ପାଣି ରାସ୍ତାକୁ ଆସିଥିବାରୁ ଲୋକମାନେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିମ୍ନାଂଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବାରୁ ପାଣି ଦୀର୍ଘ ସମୟ ଧରି ଜମି ରହିଛି। ଗ୍ରାମାଂଚଳରେ ମଧ୍ୟ ବନ୍ୟାର ପ୍ରଭାବ ଗମ୍ଭୀର ରହିଛି। ବହୁ ଚାଷଜମି ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବାରୁ ଧାନ ଓ ଅନ୍ୟାନ୍ୟ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବଢ଼ିଛି। ଏହା ସହିତ ବହୁ କାଦୁଆ ଓ ଚାଳ ଘର ଭାଙ୍ଗି ପଡ଼ିଥିବାର ଖବର ମିଳୁଛି। ଘର ଭୁଶୁଡ଼ି ପଡ଼ିବାରୁ କିଛି ପରିବାର ନିରାଶ୍ରୟ ହୋଇପଡ଼ିଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ସମସ୍ତ ବ୍ଲକ ପ୍ରଶାସନ, ଅଗ୍ନିଶମ ବିଭାଗ, ଓଡ୍ରାଫ୍‌, ଜଳସମ୍ପଦ ବିଭାଗ ଏବଂ ଅନ୍ୟାନ୍ୟ ବିଭାଗକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ନଦୀବନ୍ଧର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଥିବା ବେଳେ ଆବଶ୍ୟକ ପଡ଼ିଲେ ତୁରନ୍ତ ସୁରକ୍ଷାମୂଳକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି। ପ୍ରଶାସନ ନିମ୍ନାଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବା, ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା ଏବଂ ବନ୍ୟାଜଳ କିମ୍ବା ନଦୀବନ୍ଧ ନିକଟକୁ ନଯିବା ପାଇଁ ପରାମର୍ଶ ଦେଇଛି। ପାଣିପାଗ ବିଭାଗ ଆଗାମୀ କିଛି ସମୟ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ଦର୍ଶାଇଥିବାରୁ ଜିଲ୍ଲାବାସୀଙ୍କୁ ସଜାଗ ରହିବାକୁ ଅନୁରୋଧ କରାଯାଇଛି।