ଭଦ୍ରକ, ୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଂଚଳ ଥାନା ଅଧିନସ୍ଥ ଚରମ୍ପା ୩ ନମ୍ବର ୱାର୍ଡ ଗୁଣ୍ଠୁଣିଆ ବଜାର ନିକଟରେ ଗତକାଲି ରାତିରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାକୁ ନେଇ ଜଣେ ଭଲ ଯୁବ କ୍ରିକେଟ ଖେଳାଳିଙ୍କୁ ୪ ଜଣ ଦୁର୍ବୃତ ମେଳନ ଚାଲିଥିବାବେଳେ ଭୁଜାଲି ଦ୍ୱାରା ଆକ୍ରମଣ କରି ଘଟାଇଛନ୍ତି ଏଭଳି ଜଘନ୍ୟ କାଣ୍ଡ। ଯାହା ଜଣାଯାଏ ଗୁଣ୍ଠୁଣିଆଁ ରେଲୱେ କଲୋନୀ ଅଂଚଳର ସି କୁମାର ସ୍ୱାମୀ ଗତକାଲି ରାତିରେ ପିତା ସି ରାମେୟାଙ୍କ ସହ ଘରେ ଇଣ୍ଡିଆ ନିୟୁଜିଲ୍ୟାଣ୍ଡ ଫାଇନାଲ ମ୍ୟାଚ ଦେଖୁଥିଲେ। ଏହି ସମୟରେ ତାଙ୍କର ଜଣେ ସାଙ୍ଗଙ୍କ ସହ କିଛି ଯୁବକଙ୍କର ଗଣ୍ଡଗୋଳ ହେଉଥିବା ବିଷୟ ସେ ଫୋନ ଯୋଗେ ଜଣାଇଥିଲେ। ଫଳରେ ସେ ସେଠାରେ ରାତି ପ୍ରାୟ ୧୧. ୪୫ ସମୟରେ ପହଂଚି ଝଗଡା ମେଂଟାଇବାର ପ୍ରୟାସ କରୁଥିବାବେଳେ ଗଣ୍ଡଗୋଳକାରୀ ସ୍ଥାନୀୟ ୪ ଜଣ ଅସାମାଜିକ ଯୁବକ ୨୪ ବର୍ଷୀୟ କୁମାର ସ୍ୱାମୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଭୁଜାଲି ମାଡ଼ କରି ଗୁରୁତର କରିଥିଲେ। ଏହି ଘଟଣା ସେଠାରେ ଥିବା କିଛି ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଘଟିଥିଲା। ସେମାନଙ୍କ ମଧ୍ୟରୁ ରମାକାନ୍ତ ମହାରଣା ନାମକ ଜଣେ ପ୍ରତ୍ୟକ୍ଷ ଦର୍ଶୀ ଯୁବକ ଗଣ୍ଡଗୋଳ ବେଳେ ଅପରାଧୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କୁମାରଙ୍କୁ ଗୁରୁତର କରି ଫେରାର ହୋଇଯାଇଥିଲେ। ପରବର୍ତୀ ସମୟରେ ତାଙ୍କୁ ଏକ କାର ରେ ଭଦ୍ରକ ମୁଖ୍ୟ ଚିକିତ୍ସା ଳୟ ପଠାଯାଇଥିଲେ ମଧ୍ୟ ଡାକ୍ତର ମାନେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ସେଠାରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଏସ ପି ମନୋଜ ରାଉତ ସଦଳବଳେ ଘଟଣା ସ୍ଥଳରେ ପହଂଚି ସର୍ଜମିନ ତଦନ୍ତ କରି ଅପରାଧୀଙ୍କୁ ଚି଼ହ୍ନଟ କରି ସେମାନେ ଫେରାର ଥିବାରୁ ତାଙ୍କ ପରିବାରରୁ ୪ ଜଣଙ୍କୁ ଥାନାରେ ଅଟକ ରଖି ଥିବାର ଜଣାପଡିଛି। ଯଦିଓ ଚରମ୍ପା ଗତ କିଛି ବର୍ଷ ଧରି ମଦ, ଗଂଜେଇ ଓ ବ୍ରାଉନ ସୁଗାର ଭଳି ନିଶା କାରବାରର ପେଣ୍ଠ ସ୍ଥଳି ପାଲଟିଛି କିନ୍ତୁ ଏଭଳି ଘଟଣା ଏ ଅଂଚଳରେ ପ୍ରଥମ ବୋଲି ଏସ ପି ଶ୍ରୀ ରାଉତ ଗଣମାଧ୍ୟମକୁ କହିଛନ୍ତି। ତେବେ ଫେରାର ଅପରାଧୀ ଚି଼ହ୍ନଟ ହୋଇଥିବାରୁ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ସେ ସୂଚନା ଦେଇଥିବାବେଳେ ସାଇଂଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କ ଭିତରେ ଜଣେ କୁଖ୍ୟାତ ଦାଗି ରହିଥିବାର ଜଣାପଡିଛି।ତେବେ ଏଭଳି ଘଟଣା ସ୍ଥାନୀୟ ବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି।