Odiapua.com

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ୧୦ରେ ଭଦ୍ରକ ବନ୍ଦଏ, ସଫଳ କରିବାକୁ ଜିଲ୍ଲା କଂଗ୍ରେସର ଆହ୍ୱାନ

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରତି ସରକାରଙ୍କର ବୈମାତୃକ ମନୋଭାବ ପାଇଁ ଭଦ୍ରକ ଜିଲ୍ଲାର ମୁଖ୍ୟ ଦାବୀ ଯାହା ମଣିଷ ସମାଜର ଜୀବନ ସୁରକ୍ଷାର ବିଷୟ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀକୁ ବହୁଦିନ ଧରି ଅଣଦେଖା କରାଯାଇଛି । ଯାହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଦାବୀକୁ ଆହୁରି ଶାଣିତ କରି ସରକାରଙ୍କ ପାଖରେ ପହଞ୍ଚାଇବା ପାଇଁ ଭଦ୍ରକ ଜିଲ୍ଲା କଂଗ୍ରେସ ୧୦ ଡିସେମ୍ବର ଗୁରୁବାର ଦିନ ଭଦ୍ରକ ସହରକୁ ୧୨ ଘଣ୍ଟିଆ ବନ୍ଦ କରିବାକୁ ନିଷ୍ପତି ନେଇଛି ବୋଲି ଆଜି ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ କୁମାର ଦାସ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଭଦ୍ରକ ବିଧାନସଭା ନେତା ନଳିନୀକାନ୍ତ ମହାନ୍ତି କହିଥିଲେ କି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଏବେ ପୂରା ଅସୁସ୍ଥ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ପୂରା ଠପ୍ । କରୋନା ଆଳରେ ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ଓ ସାଧାରଣ ରୋଗୀଙ୍କୁ ବି କଟକ ରେଫର କରିବା ଏକ ନିତିଦିନିଆ ଘଟଣା ପାଲଟି ଯାଇଛି । ଭଦ୍ରକ ଜିଲ୍ଲାର ଡାକ୍ତରଖାନାକୁ ଗୁଡିକୁ ଆବଶ୍ୟକ ସଂଖ୍ୟକ ଡାକ୍ତର ଆଣିବାରେ ସରକାର ଓ ଶାସକ ଦଳର ନେତା ବିଫଳ । ଭଦ୍ରକ ମେଡିକାଲରେ ଭେଣ୍ଟିଲେଟର ଥିଲେ ମଧ୍ୟ ତାହା କାର୍ଯ୍ୟ କରୁନାହିଁ । ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଶ୍ରୀ ମହାନ୍ତି ଦାବୀ କରିଥିଲେ । କୋବିଡ଼ ପରିଚାଳନାରେ ବିଫଳ ହେବା ସହିତ ପ୍ରଶାସନ ଓ ଶାସକ ମିଳିତ ଭାବରେ କୋଟି କୋଟି ଟଙ୍କା ଲୁଟ କରିଛନ୍ତି । ଆଜି ସୁଦ୍ଧା କେତେ ଟଙ୍କା କୋବିଡ଼ରେ ଭଦ୍ରକ ଜିଲ୍ଲା ପାଇଁ ଖର୍ଚ୍ଚ କରାଯାଇଛି ଓ କେଉଁ ସବୁ ବାବଦରେ ଖର୍ଚ୍ଚ ହୋଇଛି ତାହା ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ଶ୍ୱେତପତ୍ର ଜାରିକରୁ ବୋଲି ସମ୍ମିଳନୀରେ କୁହାଯାଇଛି । ଉପରୋକ୍ତ ଦାବୀକୁ ନେଇ ଆଗାମୀ ୧୦ ତାରିଖ ଭଦ୍ରକ ସହର ବନ୍ଦ ରଖାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆ ଯାଇଛି । ଭଦ୍ରକର ଜନସାଧାରଣ ତଥା ଯୁବଗୋଷ୍ଠୀ, ମହିଳା, ଛାତ୍ରଗୋଷ୍ଠୀ, ବ୍ୟବସାୟୀ, ସରକାରୀ କର୍ମଚାରୀ ସମସ୍ତେ ଏହି ହକ୍ ଦାବୀ ନେଇ ଡାକରା ଦିଆ ଯାଇଥିବା ବନ୍ଦକୁ ସଫଳ କରିବାରେ ସହଯୋଗ କରିବାକୁ କଂଗ୍ରେସ ଗଣମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି । ଏହି ସମ୍ମିଳନୀରେ ବରିଷ୍ଠ ନେତା ଅବଦୁଲ ମୁକିତ୍ ଖାଁ, ପଞ୍ଚାୟତରାଜ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ ଦାସ, ଟାଉନ ସଭାପତି ବିଜୟ ବାରିକ, ହେମନ୍ତ ମହାପାତ୍ର ଉପସ୍ଥିତ ଥିଲେ ।