Odiapua.com

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଜିଲ୍ଲାପାଳ ଅଫିସ ଆଗରେ ବିଜେପିର ଆନ୍ଦୋଳନ

ଭଦ୍ରକ, ୧୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସରକାରୀ ମେଡିକାଲ କଳେଜ ପ୍ରତିଷ୍ଠା ଦାବୀ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲାପଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଧାରଣା ଦିଆଯିବା ସହିତ ପ୍ରତିବାଦ ସଭ।। ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ବିଜେପି ସଭାପତି ହେମନ୍ତ କୁମାର ପାଢୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜନୈତିକ ଇଚ୍ଛା ଶକ୍ତି ଅଭାବରୁ ଆଜି ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରିଲା ନାହିଁ । ଭଦ୍ରକ ନୂତନ ଜିଲ୍ଲା ଭାବେ ଦୀର୍ଘ ୨୭ ବର୍ଷ ପୂର୍ବରୁ ସ୍ୱିକୃତୀ ପାଇଥିଲେ ମଧ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡି ରହିଛି । ରାଜ୍ୟ ସରକାର ଆଉ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସଦ୍ୟ ଘୋଷଣା କରିଥିଲେ ହେଁ ସେଥିରେ ଭଦ୍ରକର ନାମ ନ ଥିବା ଜିଲ୍ଲାରେ ଶାସକ ଦଳର ୪ଜଣ ବିଧାୟକ ଓ ବିଜେଡି ସାଂସଦଙ୍କ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ଜିଲ୍ଲାବାସୀ ଦାବୀ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ରକୁ ଏକ ବିଧିବଦ୍ଧ ପ୍ରସ୍ତାବ ପଠାଇବାରେ ବିଫଳ ହୋଇଛି । ମେଡିକାଲ କଲେଜ ପାଇଁ ବିଭିନ୍ନ ସମୟରେ ଏହି ଦାବୀକୁ ନେଇ ଧର୍ମଘଟ, ଆନ୍ଦୋଳନ, ଧାରଣା ଓ ଜିଲ୍ଲା ବନ୍ଦ ଭଳି କାର୍ଯ୍ୟକ୍ରମ ଜିଲ୍ଲାର ବୁଦ୍ଧିଜୀବୀ, ଛାତ୍ର, ଯୁବକ ଓ ବିଭିନ୍ନ ସଂଗଠନ ପକ୍ଷରୁ କରାଯାଉଥିବା ବେଳେ ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଭାରେ ବକ୍ତାମାନେ କହିଥିଲେ । ଏହି ଆନ୍ଦୋଳନରେ ବିଜେପି ପକ୍ଷରୁ ରାଜ୍ୟ ବିରୋଧୀଦଳ ଉପନେତା ତଥା ଧମାନଗର ବିଧାୟକ ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ଧଳ, ଡାକ୍ତର ପ୍ରଦୀପ ନାୟକ, ମାଧବାନନ୍ଦ ମଲ୍ଲିକ, ମେଡିକାଲ ପ୍ରତିଷ୍ଠା ସଂଘର୍ଷ ସମିତିର ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ହରେକୃଷ୍ଣ ନାୟକ, ଶାନ୍ତନୁ ରାଉତ ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ରଖିଥିଲେ । ଏହାପରେ ଜିଲା ବିଜେପିର ଏକ ପ୍ରତିନିଧି ଦଳ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ୍ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।