Odiapua.com

ଭଦ୍ରକରେ ମେଡିକାଲ କଲେଜ ଦାବି ଦୋହରାଇଲା ବିଜେପି

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଆଉ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ଘୋଷଣାରେ ଭଦ୍ରକର ନାମ ନଥିବାରୁ ଉଦବେଗ ପ୍ରକାଶ କରିବା ସହ ଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଦୋହରାଉଛି ବିଜେପି । ଆବଶ୍ୟକତା ଓ ସୁଦୃଢ ଭିତ୍ତିଭୂମି ଥିବା ସତ୍ତ୍ୱେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଅବହେଳା ପ୍ରଦର୍ଶନ କରୁଛନ୍ତି ବୋଲି ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଆରୋପ କରି ଧାମନଗରଛକ ଇଡକୋ ଅଧିଗୃହୀତ ଜମିରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ଜଣାଇଛନ୍ତି । ବିଜେପି ନେତା ଶ୍ରୀ ଧଳଙ୍କ ପକ୍ଷରୁ ଜାରୀ ପ୍ରେସ ବିଜ୍ଞପ୍ତିରେ ସରକାରଙ୍କ ନିକଟରେ ଜିଲ୍ଲାର କ୍ଷମତାସୀନ ଦଳର ଭଦ୍ରକ ସାଂସଦ ଓ ଚାରି ବିଧାୟକଙ୍କ ସ୍ୱର ଅତ୍ୟନ୍ତ ନଗଣ୍ୟ ବୋଲି କଟାକ୍ଷ କରି ସମାଲୋଚନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗତ ଫେବୃୟାରୀ ୧୩ ତାରିଖରେ ପତ୍ର ଲେଖି ଅନୁରୋଧ ଜଣାଇଥିବା ସମ୍ପର୍କରେ ଉଲ୍ଲେଖ କରି ଭଦ୍ରକ ଜିଲ୍ଲାରେ ଉଚ୍ଚମାନର ମେଡିକାଲ ସୁବିଧା ନଥିବା ଯୋଗୁଁ ଭଦ୍ରକ ଓ ପଡୋଶୀ ଅଞ୍ଚଳର ସୁବିଧା ପାଇଁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାର ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ଯୋଜନାରେ ସଂଖ୍ୟାଲଘୁ ମନ୍ତ୍ରଣାଳୟ ଦ୍ୱାରା ସ୍ୱାସ୍ଥ୍ୟ ଯୋଜନାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ସ୍ୱାସ୍ଥ୍ୟ ବିଭାଗ ବୈଧାନିକ ଆବଶ୍ୟକତା ପୂରଣ କରିବା ସହ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରଣାଳୟକୁ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ । କେନ୍ଦ୍ର ସରକାର ଏହି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଷାଠିଏ ପ୍ରତିଶଦ ଅର୍ଥ ଯୋଗାଇ ଦେବେ ଓ ରାଜ୍ୟ ସରକାର ମାନବ ସମ୍ବଳ ସମେତ ଅନ୍ୟାନ୍ୟ ଆନୁସଙ୍ଗୀକ ଖର୍ଚ୍ଚ ଦାଇତ୍ୱ ନେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ଏହାକୁ ଟାଳି ଦେଇଛନ୍ତି । ଭଣ୍ଡାରିପୋଖରୀ ବ୍ଲକର ୧୬ ନଂ ଜାତୀୟ ରାଜପଥ ପାଶ୍ୱର୍ ପାହିମହୁରାଠାରେ ଅଧଗୃହୀତ ଜମି ଭଦ୍ରକ, କେନ୍ଦୁଝର ଓ ଯାଜପୁର ଆଦି ତିନି ଜିଲ୍ଲାର ସଂଯୋଗସ୍ଥଳୀ ହୋଇଥିବାରୁ ଏହା ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରକୃଷ୍ଟ ସ୍ଥାନ ଅଟେ । ଭଦ୍ରକ ଜିଲ୍ଲାର ଧାମରାରେ ବନ୍ଦର, ଟେକ୍ସଟାଇଲ ପାର୍କ ଓ ଫେରୋ ଆଦି ଶିଳ୍ପ ସହ ଧାମରା ବିମାନବନ୍ଦର ପାଇଁ ପଦକ୍ଷେପ ନିଆଯାଇଛି । ଜିଲ୍ଲା ଗଠନର ୨୭ ବର୍ଷ ପରେ ମଧ୍ୟ ଜିଲ୍ଲା ଚିକିତ୍ସାଳୟ ଓ ଅନ୍ୟନ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ନିର୍ମାଣ ହୋଇନପାରିବା, କୋଭିଡ ମୁକାବିଲା ପାଇଁ ଜିଲ୍ଲାରେ ଭେଣ୍ଟିଲେଟର ଅଭାବ ରହିଥିବା, ଡାକ୍ତର ଓ ଯନ୍ତ୍ରପାତି ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ରହିଥିବାରୁ ମେଡିକାଲ କଲେଜ ପ୍ରତିଷ୍ଠାର ଆବଶ୍ୟକତା ରହିଛି । ମାତ୍ର ସେ ଆଶା କ୍ରମେ ମଉଳି ଯାଉଥିବାରୁ ଶ୍ରୀ ଧଳ କ୍ଷୋଭ ପ୍ରକାଶ କରିଛନ୍ତି ।