Odiapua.com

ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ମୁଖ୍ୟମନ୍ତ୍ରୀଙ୍କୁ ଦ୍ୱିତୀୟଥର ପତ୍ର ଲେଖିଲେ ପୂର୍ବତନ ବିଧାୟକ ନରେନ ପଲେଇ

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ପୂର୍ବତନ ବିଧାୟକ ନରେନ ପଲେଇ ଏକ ଲିଖିତ ପତ୍ର ଦ୍ୱିତୀୟଥର ପାଇଁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇଦେଇଛନ୍ତି। ଏହି ଲିଖିତପତ୍ରରେ ସେ ଦର୍ଶାଇଛନ୍ତି ଯେ ବିଧାନସଭାର ଗୃହ ବଜେଟ୍ ଅଧିବେଶନରେ ତା ୧୩.୨.୨୫ ରିଖର ଭଦ୍ରକ ଜିଲାରେ ମେଡିକାଲ କଲେଜ ଖୁବଶୀଘ୍ର ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାବ୍ୟତୀତ କଟକ ରେଭେନ୍ସା କଲେଜରେ ଅନୁଷ୍ଠିତ ଡ. ହରେକୃଷ୍ଣ ଜୟନ୍ତୀ ସମାରୋହରେ ଉପସ୍ଥିତ ଥିବା କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଭଦ୍ରକରେ ପ୍ରତିଷ୍ଠା ହେବାକୁ ଥିବା ମେଡିକାଲ କଲେଜ ଡଃ ହରେକୃଷ୍ଣ ମହତାବଙ୍କ ନାମରେ ନାମିତ ହେବ ବୋଲି ଘୋଷଣା ହୋଇଥିଲା। ବିଧାନସଭାର ଘୋଷଣା ହେବାର ଆଜିକୁ ୪୬୫ ଦିନ ଓ କଟକରେ ଘୋଷଣା ହେବାର ୩୫୨ ଦିନ ବିତିଯାଇଥିଲେ ମଧ୍ୟ ଆଜିଯାଏଁ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଏହାବ୍ୟତୀତ ବିଧାନସଭା ଗୃହ ବଜେଟ୍ ଅଧିବେଶନରେ ତା ୨୦.୦୨.୨୬ ରିଖ ଭଦ୍ରକ ଜିଲାରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏହାମଧ୍ୟରେ ୯୨ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଶ୍ରୀ ପଲେଇ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇବା ଉଦ୍ଦେଶ୍ୟରେ ଏହି ଦ୍ୱିତୀୟଥର ପାଇଁ ସ୍ମାରକପତ୍ର ପଠାଇବା ସହ କାର୍ଯ୍ୟକାରୀ ହେଉ ବୋଲି ସେ ଆଶା ରଖିଛନ୍ତି।