Odiapua.com

ଭଦ୍ରକରେ ମୃଦୁ ପାନୀୟ କେନ୍ଦ୍ର ଉଦ୍‌ଘାଟିତ

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ‘ପ୍ରଗତି ପାଠକ ସଂଘ’ ତରଫରୁ ଆଜି ପୂର୍ବାହ୍ଣରେ ମୃଦୁ ପାନୀୟ କେନ୍ଦ୍ର ଆରଡ଼ି ଛକ ପୂର୍ବରୁ ସାଇ କଲ୍ୟାଣ ମଣ୍ଡପ ସମ୍ମୁଖରେ ଉଦ୍‌ଘାଟିତ ହୋଇ ଯାଇଛି । ଏହି କେନ୍ଦ୍ରରେ ବେଲ ପଣା, ଲେମ୍ବୁ ପାଣି, ଦହି ପାଣି, ଥଣ୍ଡା ପାଣି ବିଭିିନ୍ନ ଦିନରେ ସର୍ବସାଧାରଣଙ୍କୁ ବଣ୍ଟନ କରାଯାଉଛି । ଏହି ଉପଲକ୍ଷେ ଏକ ଉଦ୍‌ଘାଟନୀ ସଭା ଅବସରପ୍ରାପ୍ତ ଜିଲ୍ଲା ସୂଚନା ଅଧିକାରୀ ହରମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଶିଶୁ ସୁରକ୍ଷା ସମିତିର ପୂର୍ବତନ ଅଧ୍ୟକ୍ଷ କମଳାକାନ୍ତ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ରତ୍ନାକର ଦାଶ ଯୋଗ ଦେଇ ପଣା ସଂକ୍ରାନ୍ତରେ ପଣାର ଗୁରୁତ୍ୱ ବିଶେଷ କରିି ଭଦ୍ରକ ପରି ଏକ ସହରରେ ଖରାଦିନେ ବାଟୋଇଙ୍କୁ ଅଂଶୁଘାତରୁ ରକ୍ଷା କରିବାରେ ସାହାଯ୍ୟ କରିବ ବୋଲି ପ୍ରକାଶ କରିଥିଲେ । ପୂର୍ବତନ ଷ୍ଟେଟ ବ୍ୟାଙ୍କ ପରିଚାଳକ ରାମଚନ୍ଦ୍ର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏହି କେନ୍ଦ୍ର ପରିଚାଳିତ ହେବ ବୋଲି ସୂଚନା ଦିଆଯାଇଛି । ସଂଘର ସଭାପତି ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ କାହ୍ନୁ ଚରଣ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ସଦସ୍ୟ ବୈଲୋଚନ ବେହୁରିଆ, ପୂର୍ଣ୍ଣଚନ୍ଦ୍ର ଦାଶ, ଦେବେନ୍ଦ୍ର କେଶ, ଗୌରହରି ନାୟକ ଉପସ୍ଥିତ ରହି ସହଯୋଗ କରିଥିଲେ । ପୂର୍ବରୁ ପ୍ରଗତି ପାଠକ ସଂଘ ତରଫରୁ ଜିଲ୍ଳା ଲୋକ ସମ୍ପର୍କ କାର୍ଯ୍ୟାଳୟ ସମ୍ମୁଖରେ ଉତ୍କଳ ଦିବସ ଠାରୁ ଏକ ଜଳଛତ୍ର କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା । ସେଠାରେ ମଧ୍ୟ ଆଜି ପୂର୍ବାହ୍ଣରେ ଡ. ବଳରାମ ମିଶ୍ରଙ୍କ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଘୋଳଦହି ବଣ୍ଟନ କରିଥିଲେ । ଖରାଦିନରେ ଦହି ମଣିଷର ସ୍ୱାସ୍ଥ୍ୟ ପ୍ରତି ଉପାଦେୟ ବୋଲି ପ୍ରକାଶ କରିଥିଲେ । ଏହି ଉତ୍ସବରେ ମଧ୍ୟ ହରମୋହନ ଜେନା ସଭାପତିତ୍ୱ କରିଥିବା ବେଳେ କାହ୍ନୁ ଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ପ୍ରଗତି ପାଠକ ସଂଘ ଭଦ୍ରକର ୯ଜଣ ବରିଷ୍ଠ ନାଗରିକଙ୍କୁ ନେଇ ବିଗତ ୫ ବର୍ଷ ହେବ ଗରିବ ଦୁଃଖୀଙ୍କ ସେବାରେ ଲାଗିଛି ।