ଭଦ୍ରକ, ୧୭ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ମହାନ ବିପ୍ଳବୀ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଭଦ୍ରକସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବି ନାରାୟଣ ସାହୁ ଉପସ୍ଥିତ ରହି ଭଦ୍ରକ ଜିଲ୍ଲାରେ ଚକ୍ରଧର ବେହେରାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ହେଉଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ସେମାନେ ବିପ୍ଳବୀ ଚକ୍ରଧର ବେହେରାଙ୍କ ତ୍ୟାଗ, ସଂଘର୍ଷମୟ ଜୀବନ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଅଭୟ ଦ୍ୱିବେଦୀ ଏବଂ ସମ୍ମାନନୀୟ ବକ୍ତା ଭାବେ ଚକ୍ରଧର ବେହେରା ସ୍ମୃତି କମିଟିର ସଭାପତି ବାସୁଦେବ ବାରିକ ଯୋଗଦେଇ କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ସୂତ୍ରଧର ବିପ୍ଳବୀ ଚକ୍ରଧର ବେହେରାଙ୍କ ଜୀବନାଦର୍ଶ, ଦେଶପ୍ରେମ ଓ ସାମାଜିକ ଚେତନା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଉପସ୍ଥିତ ଶ୍ରୋତାମାନଙ୍କୁ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଚକ୍ରଧର ବେହେରା ସ୍ମୃତି କମିଟିର ସମ୍ପାଦକ ଉପେନ୍ଦ୍ର ବାରିକ ଯୋଗଦେଇ ବିପ୍ଳବୀଙ୍କ ପିଲାବେଳ, ଦେଶପ୍ରେମ ଏବଂ ସ୍ୱାଧୀନତା ପ୍ରତି ତାଙ୍କର ଦୃଢ଼ ମାନସିକତା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟ ସ୍ତରୀୟ ଜୟନ୍ତୀ ଉପଲକ୍ଷେ ବିପ୍ଲବୀ ଚକ୍ରଧର ବେହେରାଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ ଉପରେ ଭଦ୍ରକରେ ହାଇସ୍କୁଲ ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଚରମ୍ପା ଉଚ୍ଚ ବିଦ୍ୟାଳୟର ଭାଗ୍ୟବତୀ ଖୁଂଟିଆ, ଜିଲ୍ଲା ସ୍କୁଲ, ଭଦ୍ରକର,ଶୀତଲ ମଲ୍ଲିକ ଏବଂ ଆର.ସି.ବି.ଏଲ. ଉଚ୍ଚ ବିଦ୍ୟାଳୟର ମନୀଷା ରାଣୀ ସାହୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜ଼ିଲ୍ଲାପାଳ ଓ ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଦ୍ୱାରା ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗାନ୍ଧୀ ବାଳାଶ୍ରମର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ମଂଚ ପରିଚାଳନା କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।