Odiapua.com

ଭଦ୍ରକରେ ବେଆଇନ୍ ଲିଜ୍ ପ୍ରସଙ୍ଗ, ନଦୀପଠାକୁ ଲୁଟିବାରେ ଲାଗିଛନ୍ତି ଇଟାଭାଟି ମାଫିଆ, ଜିଲା ପ୍ରଶାସନ ପାଖରେ ଖବର ନାହିଁ

ଭଦ୍ରକ, ୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ବହୁ ନଦୀପଠାକୁ ବେଆଇନ୍ ଭାବେ ଲୁଟିଚାଲିଛନ୍ତି ଇଟାଭାଟି ଓ ମାଟି ମାଫିଆମାନେ । ଏ ସଂପର୍କରେ ଜିଲା ପ୍ରଶାସନ ନିକଟରେ କୌଣସି ତଥ୍ୟ ନଥିବାବେଳେ କେତେକ ଅସାଧୁ ବିଭାଗୀୟ ଅଧିକାରୀ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଏହି କାରବାର ହେଉଥିବାର ଜଣାପଡିଛି । ଯାହା ଜଣାଯାଏ କେତେକ ପ୍ରଭାବଶାଳୀ ଇଟାଭାଟି ମାଫିଆଙ୍କ କବ୍‌ଜାରେ ରହିଛି ଭଦ୍ରକ ଜିଲାର ଲାଇଫ୍ ଲାଇନ୍ ଭାବେ ପରିଚିତ ସାଳନ୍ଦୀ ନଗର ବିସ୍ତୃତ ନଦୀପଠା । କେବଳ ନଦୀପଠା ନୁହଁ ନଦୀପଠା ସଂଲଗ୍ନ ଏକର ଏକର ସରକାରୀ ଜଂଗଲ ଓ ଗୋଚର କିସମର ଜମି । ବର୍ଷେ କି ଦି’ ବର୍ଷ ନୁହେଁ ଏହି ପ୍ରଭାବଶାଳୀମାନେ ଦୀର୍ଘ ୨୦ ବର୍ଷ ହେବ ଏଭଳି ଅରାଜକତା ଚଳାଇଥିବା ଅଭିଯୋଗ ହୋଇଛି । ସାଳନ୍ଦୀ ନଦୀ ଯୋଗୁଁ ଜିଲାରେ ବ୍ୟାପକ ପରିମାଣର ଚାଷଜମି ଜଳସେଚିତ ହୋଇଥାଏ । ବିଶେଷ କରି ସାଳନ୍ଦୀ ନଦୀର ହଦଗଡ ଜଳଭଣ୍ଡାର (ଡ୍ୟାମ୍‌) ଓ ସାଳନ୍ଦୀ ନଦୀର ଶାଖା କେନାଲ ଗୁଡିକ ଜରିଆରେ ହଜାର ହଜାର ହେକ୍ଟର ଚାଷଜମି ଜଳସେଚିତ ହୋଇଥାଏ । ତେବେ ଦୀର୍ଘବର୍ଷ ହେବ ପ୍ରଶାସନ ଓ ତହସିଲ କର୍ତ୍ତୃପକ୍ଷଙ୍କ ଜାଣି ଅଜଣା ନୀତି ଯୋଗୁଁ ବାଲି ମାଟି ମାଫିଆମାନେ ସାଳନ୍ଦୀ ନଦୀପଠାକୁ ସଂପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଲେଣି ।

ବିଶେଷକରି ଜିଲାର ବନ୍ତ ତହସିଲ ଅଧୀନରେ ସାଳନ୍ଦୀ ନଦୀକୁ ଦୀର୍ଘ ୨୦ ବର୍ଷ ହେବ ଅତ୍ୟାଚାର କରି କୋଟି କୋଟି ଟଙ୍କା ରୋଜଗାର କରିଚାଲିଛନ୍ତି କିଛି ଇଟାଭାଟି ମାଲିକମାନେ । ଏହି ତହସିଲ ଅଧୀନରେ ଥିବା ଅଣିଜୋ ପଂଚାୟତର ସାଳନ୍ଦୀ ନଦୀକୂଳରେ ଥିବା ନରିପୁର ଓ ଚାରିଗାଁ ପଂଚାୟତରେ ଥିବା ତଳସାହିର ଚିତ୍ରରୁ ଯେ କେହି ଏହି ଅଭିଯୋଗର ସତ୍ୟତା ସ୍ପଷ୍ଟ ବାରିପାରିବେ । ଏକର ଏକର ନଦୀପଠାକୁ ବେଆଇନ୍ ଭାବେ ଦଖଲ କରି କେତେକ ଇଟାଭାଟି ମାଲିକ ନଦୀରୁ ଅହରହ ବାଲି ଉଠାଇବା ସହ ନଦୀପଠାରୁ ପ୍ରଚୁର ମାଟି ଉଠାଇ ସେମାନଙ୍କ ବ୍ୟବସାୟର ସାମ୍ରାଜ୍ୟକୁ ବଢାଇ ଚାଲିଛନ୍ତି । ସ୍ଥାନୀୟ ଅଂଚଳବାସୀଙ୍କ କହିବାନୁଯାୟୀ ଦୈନିକ ଏହିସବୁ ଅଂଚଳରେ ୨୫ ରୁ ୩୦ ଟ୍ରିପ୍ ବାଲି ମାଟି ଟ୍ରାକ୍ଟର ଯୋଗେ ଲୁଟ୍ ହେଉଛି । ନଦୀପଠାକୁ ନିୟମିତ ଖନନ ଯୋଗୁଁ ନଦୀପଥ ପରିବର୍ତ୍ତନ ହୋଇ ଚାଷଜମିକୁ ପାଣି ମାଡୁନି । ଅନ୍ୟପକ୍ଷରେ ନଦୀପଠାରୁ ମାଟି ଲୁଟ୍ ଯୋଗୁଁ ବିରାଟକାୟ ଗାତ ସୃଷ୍ଟି ହୋଇ ଗାଈଗୋରୁ ଓ ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରିଛି । କେବଳ ଏହି ୨ଟି ପଂଚାୟତରେ ସାଳନ୍ଦୀ ନଦୀ ଉପରେ ଅତ୍ୟାଚାର କରାଯାଉନି । ବରଂ ବନ୍ତ ତହସିଲ ଅଧୀନସ୍ଥ ବଡମହିଁଷଗୋଠ, ମହାନ୍ତିପଡା, ଗୋପୀନାଥପୁର ଓ ବିଟିପୁର ପଂଚାୟତର ନଦୀକୂଳିଆ ବିସ୍ତୃତ ଅଂଚଳରେ ସମଦଶା ଦେଖିବାକୁ ମିଳୁଛି । ନଦୀପଠାକୁ ଖନନ କରି ପର୍ଯ୍ୟାପ୍ତ ମାଟି ଲୁଟ୍ ହେବା କାରଣରୁ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ନଦୀକୂଳିଆ ଅଧିବାସୀଙ୍କ ପାଇଁ ବିପଦ ସୃଷ୍ଟି କରାଯାଇଛି । ସରକାର ରାଜସ୍ୱ ବୃଦ୍ଧି ପାଇଁ ଯେଉଁ ସ୍ଥାନରେ ବାଲିଘାଟ ନିଲାମ ଦେଉଛନ୍ତି । ସେହି ସ୍ଥାନ ବାଦ୍ ଏକର ଏକର ଜମିକୁ ଖୋଳି ମାଫିଆମାନେ ଶହ ଶହ ଟ୍ରିପ୍ ବାଲି ମାଟି ଲୁଟ୍ କରିଚାଲିଛନ୍ତି । ବନ୍ୟାଜଳ ସବୁଆଡକୁ ଏହି କାରଣରୁ ହିଁ ମାଡି ଯାଉଥିବା କଥା ଅଭିଯୋଗ କରିଛି ସାଳନ୍ଦୀ ବିକାଶ ମଂଚ । ଏବେ ଇଟାଭାଟି ମାଫିଆଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ତୁ ତ ମୁତୁରା ନ୍ୟାୟରେ ପରସ୍ପର ବେଆଇନ୍ କାର୍ଯ୍ୟକୁ ସମର୍ଥନ କରି କାୟା ବସ୍ତାର କରିଚାଲିଛନ୍ତି ବୋଲି ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ ଅଭିଯୋଗ କରିଛନ୍ତି ।

ଏମାନଙ୍କ ସହ ତହସିଲ କର୍ତ୍ତୃପକ୍ଷଙ୍କ ଭିତିରିଆ ଘନିଷ୍ଠତା ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । ବେଆଇନ୍ ଭାବେ ଇଟାଭାଟି କରି କୋଟି କୋଟି ଟଙ୍କା ଦୀର୍ଘ ବର୍ଷ ହେଲା ଉପାର୍ଜନ କରିଆସୁଥିବା ମାଫିଆମାନେ ନଦୀପଠାରେ ଥିବା ଜଙ୍ଗଲଜମି, ଗୋଚର ଜମିକୁ ବି ଛାଡିନାହାଁନ୍ତି । ବନ୍ତ ତହସିଲ ଅଧୀନ ନରିପୁର ମୌଜାରେ ଥିବା ଖା୧୩୧ତାରେ ଥିବା ୩ ଏକର ୭୦ ଡେସିମିଲ୍‌ର ଗ୍ରାମ୍ୟ ଜଙ୍ଗଲ କିସମ ଜମି ଓ ଖାତା ୧୩୨ ରେ ଥିବା ୧୪ ଏକର ୧୪ ଡେସିମିଲ୍ ଗୋଚର ଜମିକୁ ନିଜ ଅକ୍ତିଆରରେ ରଖି ମନଇଚ୍ଛା ମାଟି ବାଲି ଲୁଟ୍ କରୁଛନ୍ତି । କୃତ୍ରିମ ବନ୍ୟା, ନଦୀପଥ ପରିବର୍ତ୍ତନ ଚାଷଜମିକୁ ନଦୀଜଳ ନଯିବା ଓ ପରିବେଶ ପ୍ରଦୂଷିତ ହେବା ସହ ବ୍ୟାପକ ରାଜସ୍ୱହାନୀ ଭଳି ସବୁ ବେଆଇନ୍ କାର୍ଯ୍ୟକୁ ଆଖି ବୁଜିଦେଇଛନ୍ତି ବନ୍ତ ତହସିଲ କର୍ତ୍ତୃପକ୍ଷ ବୋଲି ସାଳନ୍ଦୀ ବିକାଶ ମଂଚର ଉପସଭାପତି ଅନୁପ ମହାନ୍ତି, ପ୍ରମୋଦ ରାୟ ଓ ସଂପାଦକ ଅମ୍ବିକା ଦାସ ଅଭିଯୋଗ କରିଛନ୍ତି । ଏନେଇ ବନ୍ତ ତହସିଲଦାର ଇନ୍ଦିରା ସାହୁଙ୍କୁ ତାଙ୍କ ମୋବାଇଲ୍ ନଂ ୮୯୧୭୪୭୩୩୬୪ ଯୋଗେ ଯୋଗାଯୋଗ କରିବାରୁ ସେ ଏ ସଂପର୍କରେ କିଛି ଶୁଣିବା ଆଗରୁ ମୁଁ ବ୍ୟସ୍ତ ଅଛି, ମୋତେ ଅଫିସ୍ ଆସି ଦେଖା କରନ୍ତୁ ବୋଲି କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ଏହାପରେ ମଂଚ ପକ୍ଷରୁ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ସାକ୍ଷାତ୍ କରି ଏ ସଂପର୍କରେ ଅବଗତ କରାଯିବାରେ ସେ ଏଭଳି ବେଆଇନ୍ ଲିଜ୍ ଘଟଣା ସଂପର୍କରେ ଅବଗତ ନଥିବାର କହିଛନ୍ତି । ଏବଂ ଏଭଳି ଲିଜ୍ ତାଙ୍କ ଜାଣତରେ କାହାକୁ ଦିଆଯାଇନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏଣୁ କେତେକ ଅସାଧୁ ବିଭାଗୀୟ ଅଧିକାରୀ ଓ ଇଟା ମାଫିଆଙ୍କ ମଧୁଚନ୍ଦ୍ରିକାରେ ଏହି ବ୍ୟବସାୟ ଚାଲିଆସୁଥିବାର ଜଣାପଡିଛି । ଅପରପକ୍ଷରେ ସାଳନ୍ଦୀ ନଦୀପଠାରୁ ଏଭଳି ବେଆଇନ୍ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସାଳନ୍ଦୀ ବିକାଶ ମଂଚ ଏନ୍‌ଜିଟି (ନ୍ୟାସ୍‌ନାଲ ଗ୍ରୀନ୍ ଟ୍ରିବ୍ୟୁନାଲ) କୁ ଯିବାକୁ ବାଧ୍ୟ ହେବେ ବୋଲି ନିଷ୍ପତ୍ତି ନେଇଛି ।