ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବର୍ଷକୁ ମଧୁମେହ ମୁକ୍ତ ରଖିବାକୁ ହେଲେ ସର୍ବ ପ୍ରଥମେ ଖାଦ୍ୟରେ ସଂଯମତା ରଖିବା ସହିତ ଯୋଗ, ପ୍ରଣାୟମ, ଶୃଙ୍ଖଳିତ ଜୀବଚର୍ଯ୍ୟାକୁ ପ୍ରାଥମିକତା ଦେବାକୁ ପଡ଼ିବ ବୋଲି ବିଶ୍ୱ ମଧୁମେହ ଦିବସ ପାଳନ ଅବସରରେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ପ୍ରକାଶ କରିଛନ୍ତି । ଭଦ୍ରକ ଡାଇବେଟିକ୍ ଫାଉଣ୍ଡେସନ ଓ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ ଭଦ୍ରକ ଶାଖା ଦ୍ୱାରା ଆୟୋଜିତ ବିଶ୍ୱ ମଧୁମେହ ଦିବସ ସ୍ଥାନୀୟ ପାନ୍ଥିକା ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଏବେ ଘଡ଼ିସନ୍ଧି ମୂହୁର୍ତ ଦେଇ ଗତି କରୁଛି । ଏହି ସମୟରେ ମାନବ ସମାଜ ଯେତେ ସମ୍ଭବ ଚିନ୍ତାମୁକ୍ତ ରହିବା ସହିତ ସୁଷମ ଖାଦ୍ୟ, ନିୟମିତ ଯୋଗାଭ୍ୟାସ କରିବା ଦ୍ୱାରା ଅମା ଦେଶକୁ ମଧୁମେହ ମୁକ୍ତ କରାଯାଇ ପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଦିବସ ପାଳନ ଅବସରେରେ ପୂର୍ବାହ୍ନରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରା ମହତାବ ଛକଠାରୁ ବାହାରି ସହର ପରିକ୍ରମା କରି ପାନ୍ଥିକା ଠାରେ ପହଂଚିଥିଲା । ଏହାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଉତରାଏ ଉଦ୍ଘାଟନ କରିଥିଲେ । ଶୋଭାଯାତ୍ରାରେ ବିଭିନ୍ନ ନର୍ସିଂ ସ୍କୁଲର ଛାତ୍ରଛାତ୍ରୀ ଏବଂ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଅଂଶ ଗ୍ରହଣ କରିଥିଲେ । ସକାଳ ୭ଟା ଠାରୁ ପାନ୍ଥିକା ଠାରେ ମାଗଣା ମଧୁମେହ ଚିକିତ୍ସା ଶିବିର ଓ ରକ୍ତ ପରୀକ୍ଷା ଆରମ୍ଭ କରାଯାଇଥିଲା । ଏଥିରେ ମୋଟ ୧୨୮୦ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୨୩ଜଣ ମଧୁମେହ ରୋଗୀ ଚିହ୍ନଟ ହୋଇଥିଲେ । ଏହି ରୋଗୀମାନଙ୍କର ବିଭିନ୍ନ ପରୀକ୍ଷା ଓ ବହୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ମାଗଣା ପରାମର୍ଶ ଦିଆଯାଇ ଔଷଧ ବିତରଣ କରାଯାଇଥିଲା । ଏହି ଶିବିରକୁ ଆଇଏମ୍ଏର ରାଜ୍ୟ ସଭାପତି ଡାକ୍ତର ଏସ୍.ଏସ୍. ଖଣ୍ଡେଲୱାଲ ଏବଂ ଡେପୁଟି କଲେକ୍ଟର କାର୍ତିକ ମଣ୍ଡଳ ଉଦ୍ଘାଟନ କରିଥିଲେ । ବିଶିଷ୍ଟ ଅତିଥିଙ୍କ ମଧ୍ୟରେ ଯାଜପୁରରୁ ଡାକ୍ତର କାର୍ତିକ ଚନ୍ଦ୍ର ରାଉତ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବଳ, ଆଇଏମ୍ଏ ଜିଲ୍ଲା ସଭାପତି ବରିଷ୍ଠ ଡାକ୍ତର ଆର୍.କେ. ନାୟକ, ଡାକ୍ତର ପ୍ରଦୀପ ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ଶତୃଘ୍ନ ହାତୀ, ଡାକ୍ତର ପ୍ରଭାତ ନାୟକ, ସେବାନିବୃତ ଉପଜିଲ୍ଲାପାଳ ଅନିରୁଦ୍ଧ ଦାସ, ଡାଇବେଟିକ୍ ଫାଉଣ୍ଡେସନର ଉପଦେଷ୍ଟା ଡାକ୍ତର ରଂଜିତ ଖଟୁଆ ପ୍ରମୁଖ ମଧୁମେହ ରୋଗ, ଏହାର ନିରାକରଣ ଉପରେ ମତ ପୋଷଣ କରିଥିଲେ । ଫାଉଣ୍ଡେସନର ସମ୍ପାଦିକା ବସୁମିତ୍ରା ସାହୁ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ରୂପକ ବିହାରୀ ରାୟ, ସମୀର ରଂଜନ ଦାସ, ବାବୁ ଭାଇ ମୟ୍ଚ ପରିଚାଳନା କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଅଜୟ ନାୟକ, ଲଲାଟେନ୍ଦୁ ମହାନ୍ତି, ସଂଗ୍ରାମ ମହାନ୍ତି, କୈଳାସ ଚନ୍ଦ୍ର ମହାପାତ୍ର, ବାବୁଲାଲ ଦାସ, ହରମୋହନ କୁଅଁର, ରମେଶ ଦାସ, ବିପ୍ଳବ ହୋତା ପ୍ରମୁଖ ଉପସ୍ଥିତ ରହିଥିଲେ । ଔଷଧ ବିତରକ ସଂସ୍ଥାର କର୍ମୀ ରାଜକିଶୋର ସାହୁ, ରଞ୍ଜନ ରାଉତ, ଦୟାନିଧି ପଣ୍ଡା, ପ୍ରକାଶ ଚନ୍ଦ୍ର ନାୟକ, ବିଷ୍ଣୁମୋହନ ନାୟକ, ପଙ୍କଜ ନାୟକଙ୍କ ସହଯୋଗରେ ଅତିଥିମାନେ ମୁଖପତ୍ର ‘ଭଦ୍ରକ ଡାଇବେଟିକ୍ ଭଏସ୍ – ୨୦୨୪’କୁ ଲୋକାର୍ପଣ କରିଥିଲେ । ସମାଜସେବୀ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।