Odiapua.com

ଭଦ୍ରକରେ ବିଶ୍ୱ ପରିବେଶ ଦିବସ ପାଳିତ

ଭଦ୍ରକ, ୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସନ୍ତୁଳିତ ବିଶ୍ୱ ଏବେ ମନୁଷ୍ୟାକୃତ ବୃକ୍ଷାରାଜି ନାଶ କାରଣରୁ ଧ୍ୱଂସାଭିମୁଖୀ ହେଉଛି । ଯାହାର ସୂଚନା ମନୁଷ୍ୟ ଜାତିକୁ ବିଶ୍ୱ ନିୟନ୍ତା, ନିକଟରେ ସଂଘଠିତ ଫାଇଲିନ୍‌, ହୁଡ୍‌ହୁଡ୍‌, ଫନି, ବୁଲ୍‌ବୁଲ, ତିତ୍‌ଲି, ଅମ୍ପାନ, ୟାସ୍ ଭଳି ଦୈବି ଦୁର୍ବିପାକ ଦ୍ୱାରା ସୂଚାଇଛନ୍ତି । ତେବେ ମଧ୍ୟ ଏ ମଣିଷ ସଚେତନ ହେଉନାହିଁ । ଅନୁରୂପ ସମଗ୍ର ଜୀବଜଗତ ଆଜି ଯେତେବେଳେ କରୋନା ମହାମାରୀ ଜନିତ ରୋଗରେ ତ୍ରାହି ତ୍ରାହି ଡାକୁଛି, ସେତେବେଳେ ଅମ୍ଳଜାନର ଅଭାବ ତାକୁ ମୃତ୍ୟୁ ଆଡକୁ ଠେଲିନେଉଛି । ଯାହା ଶତକଡା ୨୦ ଭାଗ ବୃକ୍ଷରାଜିରୁ ଆମେ ପାଇଥାଉ ବୋଲି ଆଜି ସାଳନ୍ଦୀ ବିକାଶ ମଂଚ ଓ ଲାୟନ୍ସ କ୍ଲବ୍ ଭଦ୍ରକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ବିଶ୍ୱ ପରିବେଶ ଦିବସରେ ମତପ୍ରକାଶ ପାଇଛି । ସରକାରଙ୍କ କୋଭିଡ୍ କଟକଣା ମଧ୍ୟରେ ଏହି ଦିବସକୁ ଉଭୟ ସଂଗଠନ ନିରାଡମ୍ବର ଭାବରେ ପାଳନ କରି ଗେଲପୁରରେ ନିର୍ମାଣାଧୀନ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ଏହି ଅବସରରେ ଉପସ୍ଥିତ କର୍ମକର୍ତ୍ତାମାନେ ପ୍ରଦୂଷିତ ସାଳନ୍ଦୀ ନଦୀର ସୁରକ୍ଷା ଦିଗରେ ସମସ୍ତ ଜନସାଧାରଣଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇ ଏହାର ତଟବର୍ତ୍ତୀ ଅଂଚଳରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସାଳନ୍ଦୀ ବିକାଶ ମଂଚର ସାଧାରଣ ସଂପାଦକ ପ୍ରତାପ ପାଢୀ, ଉପସଭାପତି ତଥା ଭଦ୍ରକ ଲାୟନ୍ସ କ୍ଲବ୍‌ର ସଭାପତି ଅଶୋକ ମହାନ୍ତି, ସାଳନ୍ଦୀ ବିକାଶ ମଂଚର ଉପସଭାପତି ତଥା ମିଡିଆ ସେଲ୍‌ର ଅଧ୍ୟକ୍ଷ ପ୍ରମୋଦ ରାୟ, କୋଷାଧ୍ୟକ୍ଷ ନିରୁପମା ମହାନ୍ତି, ସଂପାଦକ ସୁବାଷ ବୈରୀଗଂଜନ, ଭଦ୍ରକ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ, ଡିଭାଇନ୍ କନ୍‌ଷ୍ଟ୍ରକସନ୍‌ର ଚେୟାରମେନ୍‌, ପ୍ରୀତିରଂଜନ ଦାସ, ସରୋଜ ଦାସ, ନରେନ୍ଦ୍ର ସାମଲ ପ୍ରମୁଖ ସାମିଲ୍ ଥିଲେ ।