ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ ସହଦୀ ସ୍ମୃତି ଭବନରେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କର ନାରା ‘ଗାଁକୁ କାମ ମା’କୁ ସମ୍ମାନ’ ଶଙ୍ଖଧ୍ୱନି ଓ ହୁଳୁହୁଳି ମଧ୍ୟରେ ବିଜୁ ଜନତା ଦଳର ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉଦ୍ଘାଟନ କରିଥିଲେ । ଏଥିରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ଜିଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଭଦ୍ରକ ଜିଲା ମହିଳା ସଭାପତି ବିଦ୍ୟୁତଲତା ନାୟକ, ରାଜ୍ୟ ମହିଳା ଉପସଭାପତି ଶ୍ରଦ୍ଧାଞ୍ଜଳି ରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ରାଜ୍ୟ ସଂଖ୍ୟାଲଘୁ ସେଲ୍ର ଉପଦେଷ୍ଟା ତାହେରା ଖାତୁନ ପ୍ରମୁଖ ଯୋଗଦେଇ ବ୍ଲକ୍ ଓ ପଂଚାୟତସ୍ତରୀୟ ସଂଗଠନକୁ ମଜବୁତ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଏବଂ ବିଜୁ ବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ଘର କୋଣରୁ ଆଣି ଯେଭଳି ସଂସଦରେ ପହଞ୍ଚାଇପାରିଛନ୍ତି, ତାହା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇ ସେମାନଙ୍କୁ ସୁଦୃଢ କରାଯିବା ସହ ଭଦ୍ରକ ଜିଲାର ୫ଟି ନିର୍ବାଚନ ମଣ୍ଡଳୀରୁ ବିଜେଡି ବହୁ ଭୋଟ୍ ବ୍ୟବଧାନରେ ବିଜୟୀଲାଭ କରିବ ବୋଲି ମତପ୍ରକାଶ କରିଥିଲେ । ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଜିଲା ମହିଳା ବିଜେଡିର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।