ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରବାଦ ପୁରୁଷ କଳିଙ୍ଗ ବୀର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କେବଳ ଜଣେ ରାଜନୀତିଜ୍ଞ ବ୍ୟକ୍ତି ନଥିଲେ, ସେ ଜଣେ ଦୁଃସାହାସୀ ବିମାନ ଚାଳକ ଭାବେ ଇତିହାସର ପୃଷ୍ଠାରେ ଯେଉଁ ଛାପ ଛାଡିଯାଇଛନ୍ତି, ତାହା ଯୁଗ ଯୁଗ ଧରି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ତେବେ ତାଙ୍କର ଆବର୍ତ୍ତମାନରେ ସେ ଛାଡିଯାଇଥିବା ଅଧୁରା ସ୍ୱପ୍ନକୁ ତାଙ୍କ ସୁପୁତ୍ର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାଧ୍ୟମରେ ସାକାର କରିପାରିଲେ, ତାଙ୍କ ଅମର ଆତ୍ମା ଶାନ୍ତି ପାଇବ ବୋଲି ଆଜି ୨୪ ତମ ଶ୍ରାଦ୍ଧଦିବସ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ଜିଲା ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଜୁ ଜନତା ଦଳର ସଭାପତି ଜଗନ୍ନାଥ ସ୍ୱାଇଁ, ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରଫୁଲ୍ଲ ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ପୂର୍ବତନ ପୌରପାଳ ମାନସ ମହାନ୍ତି, ତାହେର ଅହେମ୍ମଦ ପ୍ରମୁଖଙ୍କ ସମେତ ଭଦ୍ରକ ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।