ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଦିନକୁ ଦିନ ଆଇନ-ଶୃଙ୍ଖଳା ପରିସ୍ଥିତିର ଅବନତି ଘଟୁଥିବା ଅଭିଯୋଗ କରି ବିଜୁ ଜନତା ଦଳ (ବିଜେଡି)ର ଜିଲ୍ଲା ନେତୃତ୍ୱ ସୋମବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାରେ ବଢ଼ୁଥିବା ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ ଏବଂ ଦୁଷ୍କର୍ମ ଉଦ୍ୟମ ଘଟଣାକୁ ନେଇ ଗଭୀର ଉଦ୍ୱେଗ ପ୍ରକାଶ କରିବା ସହ ଦୋଷୀମାନଙ୍କ ବିରୋଧରେ ତୁରନ୍ତ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବିଜେଡି ଜିଲ୍ଲା ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି ଯେ, ଭଦ୍ରକ ଜିଲ୍ଲାରେ ଆଇନ-ଶୃଙ୍ଖଳା ବ୍ୟବସ୍ଥା ଗୁରୁତର ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ମହିଳା ଓ ନାବାଳିକାମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ବେଳେ ଅପରାଧୀମାନଙ୍କୁ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସୁରକ୍ଷା ମିଳୁଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏଭଳି ଘଟଣା ଜିଲ୍ଲାର ଭାବମୂର୍ତିକୁ କ୍ଷୁଣ୍ଣ କରୁଥିବା ସେ ମତ ପ୍ରକାଶ କରିଛନ୍ତି। ନେତୃବୃନ୍ଦ ବିଶେଷ ଭାବେ ତିହିଡ଼ି ବ୍ଲକର ନନ୍ଦପୁରରେ ଜଣେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଘଟଣାକୁ ଉଲ୍ଲେଖ କରି କହିଛନ୍ତି ଯେ, ଏହି ଘଟଣା ସମଗ୍ର ରାଜ୍ୟରେ ଭଦ୍ରକ ଜିଲ୍ଲାକୁ ଲଜ୍ଜିତ କରିଛି। ଏହା ସହ ପୀଡିତାଙ୍କ ପରିବାରକୁ ଧମକ ଦିଆଯାଉଥିବା ଅଭିଯୋଗ ମଧ୍ୟ ଉଠିଛି। ଏପରି ସମ୍ବେଦନଶୀଳ ଘଟଣାରେ ପୀଡିତ ପରିବାରକୁ ସୁରକ୍ଷା ଯୋଗାଇବା ଓ ନିରପେକ୍ଷ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଏହାଛଡ଼ା ସମ୍ପ୍ରତି ଜଣେ ଅଷ୍ଟମ ଶ୍ରେଣୀର ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମରୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିବା ଘଟଣାକୁ ନେଇ ମଧ୍ୟ ବିଜେଡି ନେତୃତ୍ୱ ଚିନ୍ତା ପ୍ରକାଶ କରିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜିଲ୍ଲା ପୋଲିସର କାର୍ଯ୍ୟଦକ୍ଷତା ଓ ଆଇନ-ଶୃଙ୍ଖଳା ପରିଚାଳନାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଥିବା ସେମାନେ କହିଛନ୍ତି। ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କହିଛନ୍ତି ଯେ, ଚାନ୍ଦବାଲିଠାରୁ ଭଦ୍ରକ ସହରାଂଚଳ, ଗ୍ରାମାଂଚଳ, ଶିକ୍ଷାନୁଷ୍ଠାନ ଓ ସାର୍ବଜନୀନ ସ୍ଥାନ ସବୁଠି ମହିଳାଙ୍କ ସୁରକ୍ଷାକୁ ନେଇ ଗଭୀର ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହି ପ୍ରତିନିଧି ଦଳରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ବିଦ୍ୟୁତଲତା ନାୟକ, ଧାମନଗରର ପୂର୍ବତନ ବିଧାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ, ଜିଲ୍ଲା ଯୁବ ସଭାପତି, ଜିଲ୍ଲା ଛାତ୍ର ସଭାପତିଙ୍କ ସମେତ ବହୁ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ଶେଷରେ ବିଜେଡି ନେତୃତ୍ୱ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଅନୁରୋଧ କରି କହିଛନ୍ତି ଯେ, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଆଇନ ବ୍ୟବସ୍ଥା ପ୍ରତି ଆସ୍ଥା ବୃଦ୍ଧି ପାଇବ ଓ ଜିଲ୍ଲାରେ ଶାନ୍ତି ଓ ସୁରକ୍ଷାର ପରିବେଶ ସୁନିଶ୍ଚିତ।