ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଆଜି ମଙ୍ଗଳବାର ସୁଦ୍ଧା ବିଭିନ୍ନ ବର୍ଷାମାପନ (ଆର.ଆର) କେନ୍ଦ୍ରରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଜିଲ୍ଲାର ସର୍ବାଧିକ ୬୭.୨ ମିଲିମିଟର ବର୍ଷା ଚାନ୍ଦବାଲିରେ ରେକର୍ଡ ହୋଇଥିବାବେଳେ, ବନ୍ତରେ ୪୪ ମି.ମି., ଧାମନଗରରେ ୪୯ ମି.ମି., ତିହିଡ଼ିରେ ୪୨ ମି.ମି., ଭଦ୍ରକରେ ୩୨.୨ ମି.ମି., ଭଣ୍ଡାରିପୋଖରୀରେ ୩୦ ମି.ମି. ଏବଂ ବାସୁଦେବପୁରରେ ୨୯ ମି.ମି. ବର୍ଷା ହୋଇଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାରେ ପାଗ ମେଘୁଆ ରହିଥିବା ସହ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଛି। ଜିଲ୍ଲା ରେ ଲଘୁଚାପ ଜନିତଲଗାଣ ବର୍ଷା ଗତକାଲି ମଧ୍ୟରାତିରୁ ଲାଗି ରହିଛି । ଲଗାତାର ବର୍ଷା ଫଳରେ ସହରର ସବୁ ରାସ୍ତାଘାଟ ଓ ସହର ଉପକଣ୍ଠ ଭଦ୍ରକ-ଆରଡି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣିର ସୁଅ ଛୁଟିଚାଲିଛି। ଆରଡିଛକର ପଂଚଜନ୍ୟ, ପ୍ରାଚୀନଗର, ଅଟଳ ମାର୍ଗ ଭଳି ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଡ୍ରେନ୍ ଗୁଡିକ ଠିକ୍ ବର୍ଷାଋତୁ ପୂର୍ବରୁ ସଫା କରାଯାଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବାର ବିଜେପି ନେତା ଅଶୋକ ପରିଜା କହିଛନ୍ତି। ଜିଲ୍ଲାବ୍ୟାପି ବର୍ଷା ଆଜି ସକାଳ ଠାରୁ ତୀବ୍ର ଆକାର ଧାରଣ କରିବା ଯୋଗୁ ରାସ୍ତାଘାଟ ରେ ପାଣି ର ସୁଅ ଛୁଟିଛି । ଭଦ୍ରକ ବାଇପାସ ନିକଟରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ସମେତ କଚେରିବଜାର, ଆରଡ଼ି ଛକ ପ୍ରଭୁତି ସ୍ଥାନରେ ବର୍ଷା ଜଳ ନିଷ୍କାସିତ ହୋଇନପାରି ରାସ୍ତା ଘାଟ ବୁଡାଇ ରଖିଥିବା ବେଳେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ଭଦ୍ରକ ସହରର ୧୮ନଂ ୱାର୍ଡ କାଜିମହଲା, ନଙ୍ଗାମହଲା ପ୍ରଭୃତି ଅଂଚଳରେ ନାଜର ନାଳ ପୋତି ହୋଇ ପଡିଥିବାରୁ ଜଳ ନିଷ୍କାସନ ହୋଇନପାରି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରିଛି। ପୌରପାଳିକା ତରଫରୁ ଜେସିବି, ମୋଟର ପମ୍ପ ଲଗାଯାଇ ଜଳ ନିଷ୍କାସନ ଚାଲୁରହିଛି। ଏହାବ୍ୟତୀତ କେତେକ ତଳି ଅଂଚଳରେ ପାଣି ଜମି ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ସୂଚନା ଦେଇଛନ୍ତି।ତେବେ ଲଗାତାର ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଆଜି ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟରେ ପାଠପଢ଼ା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।କେନ୍ଦ୍ରୀୟ ରୋଷେଇ (ସେଂଟ୍ରାଲ କିଚେନ୍) ବ୍ୟବସ୍ଥା ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ (ଏମ୍ଡିଏମ୍) ନିର୍ଦ୍ଧାରିତ ସମୟରେ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯିବ। ମଧ୍ୟାହ୍ନ ଭୋଜନ ପରିବେଷଣ ପରେ ସେହି ବିଦ୍ୟାଳୟଗୁଡ଼ିକରେ ମଧ୍ୟ ପାଠପଢ଼ା ସ୍ଥଗିତ ରହିବ।ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଜିଲ୍ଲାପାଳଙ୍କ ଆଦେଶକ୍ରମେ ଏହି ନିଷ୍ପତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।