ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟ ସୁଦୃଢ଼ ଲଘୁଚାପର ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି। ଜିଲ୍ଲାର ବିଭିନ୍ନ ଅଂଚଳରେ ମଧ୍ୟମରୁ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଭାରୀ ବର୍ଷା ସମ୍ଭାବନା ନେଇ ସତର୍କତା ଜାରି ରହିଥିବାବେଳେ ଭଦ୍ରକ ଜିଲ୍ଲା ମଧ୍ୟ ଅରେଞ୍ଜ ସତର୍କତା ଅଧୀନରେ ରହିଛି। ଆଜି ସକାଳ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ଭଣ୍ଡାରିପୋଖରୀ ବ୍ଲକରେ ସର୍ବାଧିକ ୧୧୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୭୬ ମି.ମି., ଧାମନଗରରେ ୪୬ ମି.ମି., ତିହିଡ଼ିରେ ୪୫ ମି.ମି., ଭଦ୍ରକରେ ୪୨.୨ ମି.ମି., ବାସୁଦେବପୁରରେ ୨୪ ମି.ମି. ଏବଂ ବନ୍ତରେ ୧୩ ମି.ମି. ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ନିମ୍ନାଂଚଳରେ ଜଳ ଜମିବା ସହ ନଦୀ ଜଳସ୍ତର ବୃଦ୍ଧି ଉପରେ ପ୍ରଶାସନ ସତର୍କ ନଜର ରଖିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ସଜାଗ ରହିବାକୁ କୁହାଯାଇଥିବାବେଳେ ଲୋକମାନଙ୍କୁ ଅନାବଶ୍ୟକ ଘରୁ ବାହାରକୁ ନ ଯିବା ଏବଂ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।