ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ ମୁକେଶ ମହାଲିଙ୍କ ଆଜି ଭଦ୍ରକରେ ଆୟୋଜିତ ଉଚ୍ଚସ୍ତରୀୟ ବନ୍ୟା ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଜିଲ୍ଲାରେ ଜାରି ରହିଥିବା ବନ୍ୟା ପରିସ୍ଥିତି ସହିତ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ତତ୍ପରତା ଓ ରିଲିଫ୍ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ଼ା. ରବୀନ୍ଦ୍ର ନାଥ ମିଶ୍ରଙ୍କ ସମେତ ବୈଠକରେ ବିଭାଗୀୟ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଗ୍ରହଣ କରାଯାଇଥିବା ବିସ୍ତୃତ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ। ଏଥିମଧ୍ୟରେ ଜିଲ୍ଲା ନିୟନ୍ତ୍ରଣ କକ୍ଷ ନମ୍ବର ୯୪୩୯୯୯୪୪୫୯, ଜିଲ୍ଲା ମନିଟରିଂ ଟିମ୍ ଗଠନ, ସର୍ବାଧିକ ପ୍ରଭାବିତ ଧାମନଗର, ଭଣ୍ଡାରିପୋଖରୀ, ଚାନ୍ଦବାଲି ଓ ତିହିଡ଼ି ବ୍ଲକରେ ୧୬ଟି ମେଡିକାଲ ରିଲିଫ୍ ସେଂଟର ଖୋଲାଯିବା, ୮ଟି ରାପିଡ୍ ରେସ୍ପନ୍ସ ଟିମ୍ ଓ ୧୦ଟି ମୋବାଇଲ୍ ହେଲ୍ଥ ୟୁନିଟ୍ ନିୟୋଜନ ଏବଂ ନିରନ୍ତର ଘରକୁ ଘର ସ୍ୱାସ୍ଥ୍ୟ ସର୍ଭେଲାନ୍ସ ଅନ୍ତର୍ଭୁକ୍ତ ରହିଛି। ଆଜି ସୁଦ୍ଧା ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍ ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର ଓ ତିହିଡ଼ିର ୬୬ଟି ଗ୍ରାମପଂଚାୟତ ଅଧୀନ ୨୪୪ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଏଥିରେ ପ୍ରାୟ ୨,୯୯,୭୮୪ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ପର୍ଯ୍ୟାପ୍ତ ପରିମାଣର ଆଂଟି-ସ୍ନେକ୍ ଭେନମ୍ , ବ୍ଲିଚିଂ ପାଉଡର, ହାଲାଜୋନ୍ ଟାବଲେଟ୍ ଓ ଓଆରଏସ ମହଜୁଦ ରଖି ଆବଶ୍ୟକ ସ୍ଥଳେ ଯୋଗାଇବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବର୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ ୧୬ଟି ସାପ କାମୁଡ଼ା ଘଟଣା ରିପୋର୍ଟ ହୋଇଥିବା ବେଳେ ସାପ କାମୁଡ଼ା ନିରୋଧକ ଔଷଧ ଦିଆଯାଇଛି । ୧୦୭ଟି ଝାଡ଼ାବାନ୍ତି ମାମଲା ଚିହ୍ନଟ ହୋଇଥିବାବେଳେ ୧୨,୭୮୬ ଜଣଙ୍କୁ ସାମାନ୍ୟ ରୋଗର ଚିକିତ୍ସା ପ୍ରଦାନ କରାଯାଇଛି। ଏଥିସହ ୫୫ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୧ଟି ପ୍ରସବ ସୁରକ୍ଷିତ ଭାବେ ସମ୍ପନ୍ନ ହୋଇଛି। ରୋଗ ନିରୀକ୍ଷଣ ବ୍ୟବସ୍ଥାକୁ ମଧ୍ୟ ସକ୍ରିୟ ରଖାଯାଇଛି। ଏପର୍ଯ୍ୟନ୍ତ ୨୧ଟି ରେକ୍ଟାଲ୍ ସ୍ୱାବ୍ ଓ ୬୫୭ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଛି। ବନ୍ୟା ପରିସ୍ଥିତିରେ ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ର ସକ୍ରିୟ, ସମନ୍ୱିତ ଓ ତ୍ୱରିତ ପଦକ୍ଷେପକୁ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ପ୍ରଭାବିତ ଅଂଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ନିରବଚ୍ଛିନ୍ନ ରଖିବା, ସଠିକ ସମୟରେ ଚିକିତ୍ସା ସହାୟତା ପହଂଚାଇବା ଏବଂ ରୋଗ ନିରୀକ୍ଷଣକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ବନ୍ୟା ମୁକାବିଲା ଓ ଜନସ୍ୱାସ୍ଥ୍ୟ ହସ୍ତକ୍ଷେପକୁ ଅଧିକ ବ୍ୟାପକ କରିବା ପାଇଁ ଜାତୀୟ ଆୟୁଷ ମିଶନ୍ ଅଧୀନରେ କାର୍ଯ୍ୟରତ ଆୟୁଷ ମେଡିକାଲ ଅଫିସରମାନଙ୍କୁ ସକ୍ରିୟ ଭାବେ ସାମିଲ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।