Odiapua.com

ଭଦ୍ରକରେ ପ୍ରସିଦ୍ଧ ବୁଢ଼ା, ଟୋକା, ପିଲା, କାଂଚନ, ଛୁଆ ଗଣେଶ ଓ ସିଦ୍ଧି ବିନାୟକଙ୍କ ପୂଜୋତ୍ସବ

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଧୁମ୍‌ଧାମରେ ପାଳିତ ହୋଇଛି ଭଦ୍ରକର ପ୍ରସିଦ୍ଧ ବୁଢା, ଟୋକା, ପିଲା, କାଂଚନ ଓ ଛୁଆ ଗଣେଶଙ୍କ ପୂଜୋତ୍ସବ। ଆଜିର ଦିନରେ ସମଗ୍ର ଭାରତବର୍ଷ ଶ୍ରୀ ଗଣପତିଙ୍କ ଆଗମନ ହୋଇଥିବାବେଳେ ଭଦ୍ରକର ଉଭୟ ହିନ୍ଦୁ ଓ ମୁସଲିମ୍ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଭାଇଚାରାର ସଂପର୍କ ଯୋଡିରଖିଥିବା ମୋଗଲ ସମୟର ପ୍ରସିଦ୍ଧ ବୁଢ଼ା ଗଣେଶ ନିରାଡମ୍ବର ପୂଜା ସହିତ ଟୋକା ଓ ପିଲା ଗଣେଶ ପୂଜନର ଉଦୀପନା ସହରବାସୀଙ୍କ ହୃଦୟରେ ଉନ୍ମାଦନା ସୃଷ୍ଟି କରିଛି। ଏହି ତିନି ଗଣେଶଙ୍କ ମଧ୍ୟରୁ ମୋଗଲ ସମୟର ବୁଢା ଗଣେଶଙ୍କ ଇତିହାସ ବେଶ୍ ଚର୍ଚ୍ଚିତ। ଯାହା କେଉଁ ଆବହମାନ କାଳରୁ ଏ ମାଟିର ଉଭୟ ହିନ୍ଦୁ ଓ ମୁସଲମାନଙ୍କୁ ଏକତାର ମହାମନ୍ତ୍ରରେ ବାନ୍ଧି ରଖିଛି। ଯାହା ଅନ୍ୟତ୍ର ବିରଳ । ଭଦ୍ରକ ସହରର ପ୍ରମୁଖ ବାଣିଜ୍ୟିକ ପେଣ୍ଠସ୍ଥଳୀ ଭାବେ ଏକଦା ପରିଚିତ ପୁରୁଣା ବଜାର ଅଂଚଳର ଏହି ବୁଢ଼ା ଗଣେଶଙ୍କ ପୂଜନର ଇତିହାସ ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ବର୍ଷ ବୋଲି ‘ବୋଇତ ଯୁଗର ବୁଢ଼ା ଗଣେଶ’ ପୁସ୍ତକରୁ ଜଣାଯାଏ। ଏକଦା ଏହି ମାଟିର ସାଧବମାନେ ନିଜ ବାଣିଜ୍ୟ ବ୍ୟବସାୟର ଯାତ୍ରା କରିବା ପୂର୍ବରୁ ଏହି ବୁଢ଼ାଗଣେଶଙ୍କୁ ପ୍ରତଷ୍ଠା କରି କୁଶଳରେ ଫେରିବାର କାମନା କରୁଥିଲେ। ପୁରୁଷାନୁକ୍ରମେ ସେହି ସମୟରୁ ଏ ଅଂଚଳର ଉଭୟ ହିନ୍ଦୁ ଓ ମୁସଲମାନମାନେ ଏହି ଦେବତାଙ୍କୁ ପ୍ରତିବର୍ଷ ପ୍ରତିଷ୍ଠାକରି ପାରମ୍ପରିକ ରୀତିରେ ପୂଜାକରି ଆସୁଛନ୍ତି। ଏଥିରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ନିଜ ନିଜର ମାନସିକ ନଡ଼ିଆ ରଖି ବୁଢ଼ାଗଣେଶଙ୍କୁ ମନସ୍କାମନା ପୂରଣର କାମନା କରନ୍ତି ବୋଲି ଉଭୟ ସମ୍ପ୍ରଦାୟର ବିଶ୍ୱାସ ରହିଛି। ପ୍ରତ୍ୟେକ ବର୍ଷ ଶ୍ରୀଗଣେଶ ତିଥିରେ ଏହି ମୂର୍ତି ନିର୍ମାଣ ହୋଇ ମାସାଧିକ କାଳ ନିଜ ଆସ୍ଥାନରେ ପୂଜାପାଇ ସାଳନ୍ଦୀ ନଦୀର ଆଶ୍ରମ ଘାଟରେ ବିସର୍ଜିତ ହୋଇଥାନ୍ତି। ପ୍ରବାଦ ଅଛି ଭସାଣିବେଳେ ବୁଢ଼ାଗଣେଶଙ୍କ କାନରେ ଯିଏ ଯାହା ମନାସୀ ଥାଏ, ତାହା ପୂରଣ ହୁଏ। ବୁଢ଼ାଗଣେଶଙ୍କର ବିଶେଷତ୍ୱ ଏହା ଯେ ମାସାଧିକକାଳ ପୂଜା ପାଇବା ଠାରୁ ଆରମ୍ଭ କରି ଭସାଣି ପର୍ଯ୍ୟନ୍ତ ସମସ୍ତ ବ୍ୟୟଭାର ଭକ୍ତଙ୍କ ମାନସିକ ଦାନଅର୍ଥରେ ସଂପନ୍ନ ହୋଇଥାଏ। ଏବଂ ଏହି ମୂର୍ତିର ଢାଂଚାଞ୍ଚା ଆରମ୍ଭରୁ ଆଜିପର୍ଯ୍ୟନ୍ତ ଅପରିବର୍ତିତ ରହିଛି। ଏହା ବିଭିନ୍ନ ସମୟରେ ଅନେକ ଶିଳ୍ପୀଙ୍କ ଦ୍ୱାରା ନିର୍ମାଣ ହୋଇଆସୁଥିଲେ ମଧ୍ୟ ଠାକୁରଙ୍କ ମହିମାରୁ ମୂଳମୂର୍ତିଙ୍କର କୌଣସି ପରିବର୍ତନ ଆଜିପର୍ଯ୍ୟନ୍ତ ହୋଇନାହିଁ ବୋଲି କହନ୍ତି ପୂଜା କମିଟିର ସଭାପତି । ଅନୁରୂପ ପୁରୁଣା ବଜାର ଅଂଚଳର କେତେକ ଶ୍ରଦ୍ଧାଳୁ ବ୍ୟକ୍ତି ୧୯୭୦ ମସିହାରୁ ଆରମ୍ଭ କରିଥିବା ଟୋକାଗଣେଶଙ୍କ ପୂଜା ମଧ୍ୟ ଆଜିି ବେଶ୍ ଉତ୍ସାହ ଉଦୀପନା ମଧ୍ୟରେ ଆରମ୍ଭ ହୋଇଛି। ଏହି ମୂର୍ତିର ବିଶେଷତ୍ୱ ଏହା ଯେ ଏହାର ମେଢ଼ଟି ସଂପୂର୍ଣ୍ଣ ଚାନ୍ଦିରେ ତିଆରି। ତେବେ ଏହାର ପୂଜା ଓ ଭଷାଣି ବୁଢାଗଣେଶଙ୍କ ଭଳି ମାସାଧିକ ଧରି ପାଳିତ ହେଉଛି ବୋଲି କହନ୍ତି ପୂଜା କମିଟିର ସଭାପତି । କେବଳ ଏହି ଦୁଇ ଗଣେଶ ନୁହଁନ୍ତି ସ୍ଥାନୀୟ କୁଆଁସ ଗ୍ରାମସ୍ଥିତ ମୁକ୍ତେଶ୍ୱର କ୍ଲବ୍‌ର କେତେକ ଯୁବକଙ୍କ ଦ୍ୱାରା ୨୦୦୭ ମସିହାରୁ ପାଳିତ ହୋଇଆସୁଥିବା ପିଲାଗଣେଶ ମଧ୍ୟ ମାସାଧିକକାଳ ପୂଜା ପାଇ ବେଶ୍ ଯାକଯମକରେ ବିସର୍ଜିତ ହୋଇଆସୁଛି ବୋଲି କହନ୍ତି ସଭାପତି ଓ ସଂପାଦକ । ସେହିଭଳି କୁଆଁସସ୍ଥିତ ସୁଇପର କଲୋନୀ ଠାରେ ଛୁଆ ଗଣେଶ ପୂଜା ବେଶ୍ ଧୁମ୍‌ଧାମରେ ପାଳିତ ହୋଇଆସୁଛି। ଅନୁରୂପ କୁଆଁସର କାଂଚନ ଗଣେଶ ଦୀର୍ଘବର୍ଷ ଧରି ପୂଜାପାଇଆସୁଥିବାବେଳେ ଚଳିତବର୍ଷ ବେଶ୍ ଧୁମ୍‌ଧାମଳରେ ପାଳିତ ହେଉଥିବାର କମିଟିର ସଭାପତି ଓ ସଂପାଦକ ସୂଚନା ଦେଇଛନ୍ତି। ସେହିଭଳି କୁଆଁସସ୍ଥିତ ସିଦ୍ଧି ବିନାୟକ ସ୍ଥାୟୀ ମନ୍ଦିରରେ ମଧ୍ୟ ଏହି ପୂଜୋତ୍ସବ ବେଶ୍ ଧୁମଧାମରେ ପାଳିତ ହୋଇଛି। ତେବେ ସିଦ୍ଧି ବିନାୟକଙ୍କୁ ଛାଡି ଅନ୍ୟ ପାେଂଚାଟି ଗଣେଶଙ୍କ ପୂଜନ ପାଇଁ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଂଟୁପାଲି।