Odiapua.com

ଭଦ୍ରକରେ ପେଟ୍ରୋଲ ସଙ୍କଟ, ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ଅଭାବ, ହନ୍ତସନ୍ତ ଉପଭୋକ୍ତା

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇ ଦିନ ଧରି ଭଦ୍ରକ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଅଭାବ ଦେଖାଦେଇଥିବାରୁ ସାଧାରଣ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମହଜୁଦ ନ ଥିବାରୁ ଗାଡ଼ି ଚାଳକମାନେ ଗୋଟିଏ ପମ୍ପରୁ ଅନ୍ୟ ପମ୍ପକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ଦୈନିକ ଯାତାୟାତ କରୁଥିବା ଚାକିରିଆ, ବ୍ୟବସାୟୀ ଓ ଦୁଇଚକିଆ ଗାଡ଼ି ଚାଳକମାନେ ଅଧିକ ହଇରାଣ ହେଉଛନ୍ତି। କେତେକ ପେଟ୍ରୋଲ ପମ୍ପରେ ସୀମିତ ପରିମାଣର ତେଲ ଉପଲବ୍ଧ ଥିବା ବେଳେ ଅନ୍ୟ କେତେକ ପମ୍ପରେ ସମ୍ପୂର୍ଣ୍ଣ ଭାବେ ପେଟ୍ରୋଲ ସରିଯାଇଥିବା ଦେଖାଯାଇଛି। ଫଳରେ ଅନେକ ସ୍ଥାନରେ ଲମ୍ବା ଧାଡ଼ି ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି। ପେଟ୍ରୋଲ ଅଭାବର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଯୋଗାଣ ବ୍ୟବସ୍ଥାରେ ବିଘ୍ନ ଘଟିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ତେବେ ଖୁବ ଶୀଘ୍ର ପରିସ୍ଥିତି ସ୍ୱାଭାବିକ ହେବ ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଯୋଗାଣ କରାଯିବ ବୋଲି କେତେକ ପେଟ୍ରୋଲ ପମ୍ପ କର୍ତୃପକ୍ଷ ସୂଚନା ଦେଇଛନ୍ତି। ସାଧାରଣ ଲୋକମାନେ ତୁରନ୍ତ ପେଟ୍ରୋଲ ଯୋଗାଣ ସ୍ୱାଭାବିକ କରିବା ସହ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ତୈଳ କମ୍ପାନୀଗୁଡ଼ିକ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଯଦି ଶୀଘ୍ର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ଯାତାୟାତ ଓ ଦୈନନ୍ଦିନ ଜୀବନ ଅଧିକ ପ୍ରଭାବିତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।