Odiapua.com

ଭଦ୍ରକରେ ପୁଣି ୧ କେଜି ୯୦ ଗ୍ରାମ ବ୍ରାଉନ୍ ସୁଗାର ଜବତ, ୪ କୋର୍ଟ ଚାଲାଣ

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ପୁଣି ୧ କୋଟି ୯୦ ହଜାର ଟଙ୍କା (୧୦୯୦ ଗ୍ରାମ ଓଜନ) ର ବ୍ରାଉନସୁଗାର, ନଗଦ ୧ ଲକ୍ଷ ଟଙ୍କା, ଗୋଟିଏ ଅଟୋ, ୩ ମୋବାଇଲ୍‌, ପାନ୍‌କାର୍ଡ, ଆଧାରକାର୍ଡ ସହ ଅଟୋ ଚାଳକ ଓ ଜଣେ ମହିଳାଙ୍କୁ ମିଶାି ୪ ଜଣଙ୍କୁ ଗ୍ରାମାଞ୍ଚଳ ଥାନା ପୁଲିସ୍ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଶ୍ରୀ ମୀନା ଗଣମାଧ୍ୟମକୁ ଦେଇଥିବା ସୂତ୍ର ଅନୁସାରେ ଗତକାଲି ରାତି ୯ଟା ସମୟରେ ଚରମ୍ପାର ୧୬ନଂ ଜାତୀୟ ରାଜପଥ ଧାମରା ରେଲ୍‌ୱେ ବ୍ରିଜ୍ ନିକଟରେ ବାଲେଶ୍ୱର ଜିଲା ସିଙ୍ଗ୍‌ଲା ଥାନା କାଦିରିଆନ୍ ଗ୍ରାମର ସେକ୍ ସେଖାୱତ୍‌ଙ୍କ ପୁତ୍ର ସେକ୍ ଅବଦୁଲ ହମିଦ (୪୫), ଖଇରା ଥାନା ଉଦୟପୁର ଗ୍ରାମର ଜଗବନ୍ଧୁ ଦାସଙ୍କ ପୁତ୍ର ମନୋଜ କୁମାର ଦାସ (୨୩), ଭଦ୍ରକ ସହରାଞ୍ଚଳ ଥାନା ଚରମ୍ପା ବରାଳପୋଖରୀ ଗ୍ରାମର ରାଜେନ୍ଦ୍ର ଷଡଙ୍ଗୀଙ୍କ ପତ୍ନୀ କୁନିଲତା (୩୦) ଓ ସେହି ଗ୍ରାମର ନାରାୟଣ ଷଡଙ୍ଗୀଙ୍କ ପୁତ୍ର ଅଜୟ କୁମାର (୩୨) ସନ୍ଦେହଜନକ ଭାବେ ଏକ ଅଟୋରିକ୍ସାରେ ଜଳେଶ୍ୱରରୁ ଉକ୍ତ ବ୍ରାଉନସୁଗାର ଓ ଟଙ୍କା ସହ କୋଭିଡ୍ ଯାନ ବାହନ ତନଖି ଜନିତ ନାଇଟ୍ ପାଟ୍ରୋଲିଂ କରୁଥିବା ଗ୍ରାମାଞ୍ଚଳ ଥାନା ପୁଲିସ୍ ଦ୍ୱାରା ଧରାପଡିଥିଲେ । ଏମାନଙ୍କ ମଧ୍ୟରେ ସେକ୍ ହମିଦ ଜଳେଶ୍ୱରର କୁଖ୍ୟାତ ଡ୍ରଗ୍ସ ମାଫିଆ ‘ଚାଚିର ଭାଇ ଏବଂ ମୋଷ୍ଟ ୱାଣ୍ଟେଡ ସେକ୍ ଅଜଗର’ ର ଶ୍ୱଶୁର ଅଟେ ବୋଲି ଥାନାଧିକାରୀ ଆଲୋକ ଜେନା ସୂଚନା ଦେଇଛନ୍ତି । ଏହି ଘଟଣାରେ ଜବତ ହୋଇଥିବା ବ୍ରାଉନସୁଗାର, ଗ୍ରହଣ କରୁଥିବା ମାଫିଆମାନଙ୍କ ସଂପର୍କରେ ପୁଲିସ୍ ଅଧିକ ତଦନ୍ତ କରୁଥିବାର ଜଣାପଡିଛି ।