Odiapua.com

ଭଦ୍ରକରେ ପଲ୍ଲୀଭାରତୀ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପ୍ରସଂଗରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଁ ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ବୈଦିକ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ

ଭଦ୍ରକ, ୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ବାବଦରେ ରାଜ୍ୟ ସରକାର ଯଥାଶୀଘ୍ର ସରକାରୀ ବିଜ୍ଞପ୍ତି ପ୍ରକାଶ କରନ୍ତୁ ଓ ତାହାକୁ ଓଡ଼ିଶାର ଶାସନର ମୁଖିଆ ଭାବରେ ମାନନୀୟ ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ସ୍ୱାଭିମାନୀ ଭଦ୍ରକବାସୀଗଣ ଚାତକ ନୟନରେ ଅପେକ୍ଷା ରଖିଛନ୍ତି । ଏଥି ସହିତ ଫକିରମୋହନ ଓ ଉତ୍ତରଓଡ଼ିଶା ବିଶ୍ୱବିଦ୍ୟାଳୟ ଶୈଳୀରେ ଭଦ୍ରକ ସହରାଞ୍ଚଳ ଆଖପାଖରେ ପୂର୍ବ ନିର୍ଦ୍ଧାରିତ ନାମ କରଣ ଅନୁଯାୟୀ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସ୍ୱାଭିମାନୀ ଭଦ୍ରକବାସୀଙ୍କର ସ୍ୱର ଭାବରେ ବିଦ୍ୟାର୍ଥୀ ବିକାଶ ମଞ୍ଚ ଦାବି କରି ଆସୁଥିଲା । ପ୍ରତିବାଦର ଧାରା ଶାଣିତ ହେବାରୁ ଚଳିତ ବର୍ଷ ଜୁନ୍ ୧୧ ତାରିଖରେ ଭଦ୍ରକ ଗସ୍ତରେ ଆସିଥିବା ରାଜ୍ୟ ସରକାରଙ୍କ ୫ଟି ସଚିବ ମହୋଦୟ କହିଗଲେ ଯେ ଏହି ବାବଦରେ ମାନନୀୟ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଘୋଷଣା କରିବେ । ଏଣୁ ଏଇ ଠିକ୍ ସମୟଟି ଖୁବ୍ ଶିଘ୍ର ଆସୁ ଓ ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ସ୍ଥାପନ ଅବିଳମ୍ବେ ଆରମ୍ଭ କରିବା ଲାଗି ପ୍ରଭୁ ଜଗନ୍ନାଥ, ମାନନୀୟ ରାଜ୍ୟସରକାରଙ୍କୁ ସଦ୍‌ବୁଦ୍ଧି ପ୍ରଦାନ କରନ୍ତୁ, ଏତକ ପ୍ରାର୍ଥନା କରି ଅନୁଷ୍ଠାନ ତରଫରୁ ସ୍ଥାନୀୟ ଜାନୁଗଞ୍ଜ ସ୍ଥିତ ଦିବ୍ୟମ ହଲ୍‌ରେ ଏକ ବୈଦିକ ବିଶ୍ୱଶାନ୍ତି ଯଜ୍ଞର ଆୟୋଜନ କରାଯାଇଥିଲା । ଅନୁଷ୍ଠାନର ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଆୟୋଜନରେ ବେଦବିତ୍ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ଉକ୍ତ ଯଜ୍ଞ କାର୍ଯ୍ୟଟି ସମାପନ କରାଯାଇଥିଲା । ଏଠାରେ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଶୃଙ୍ଖଳିତ ଆନନ୍ଦଭବନ ମେସ୍ ଓ ସଂସ୍କାରିତ ଗାୟତ୍ରୀ ମହିଳା ମେସ୍‌ର ଶତାଧିକ ଆଦର୍ଶ ବିଦ୍ୟାର୍ଥୀଗଣ ଉପସ୍ଥିତ ଥିଲେ ।

ଯଜ୍ଞ ଶେଷରେ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡାଙ୍କ ମାର୍ଗ ଦର୍ଶନରେ “ଆସ ଜଣେ ଭଲ ବିଦ୍ୟାର୍ଥୀ ହବା ଓ ଭଲ ମଣିଷଟିଏ ହେବା” ଶୀର୍ଷକରେ ଏକ ପାଠ୍ୟଚକ୍ର କରାଯାଇଥିଲା । ଶେଷରେ ଉକ୍ତ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ମହୋଦୟ ଭଦ୍ରକର ବିଶ୍ୱ ବିଦ୍ୟାଳୟ ସ୍ଥାପନ ବାବଦରେ ମର୍ମଭେଦୀ ପ୍ରସଙ୍ଗଟି ଉତ୍‌ଥାପନ କରିଥିଲେ । ତାଙ୍କ କହିବା କଥା ହେଲା ଯଦି ଛେଣ୍ଡିପଦାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ଟି ସଚିବ ମହୋଦୟ ମୋବାଇଲ୍‌ରେ ଆଭାସି କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ହସ୍‌ପିଟାଲ୍‌ରେ ପରିଣତ ପାଇଁ ସେହି ଲୋକଙ୍କ ଗହଣରେ ରହି ଘୋଷଣା କରାଇ ପାରିଲେ, ତେବେ ଚଳିତ ବର୍ଷ ଜୁନ୍ ୧୧ରେ ଭଦ୍ରକ ଗ୍ରସ୍ଥରେ ଥିବାବେଳେ ଭଦ୍ରକରେ ବିଶ୍ୱବିଦ୍ୟାଳୟ ସ୍ଥାପନ ବାବଦରେ ସେପରି ନ କରିଲେ କାହିଁକି ? ଏଠାରେ ସୂଚନାଯୋଗ୍ୟ ଏହିଯେ ରାଜ୍ୟର ୩ନଂ ବିଶ୍ୱବିଦ୍ୟାଳୟ ପରେ ୪ର୍ଥ ବିଶ୍ୱବିଦ୍ୟାଳୟ ଭାବରେ ଭଦ୍ରକରେ ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ହେବା ଉଚିତ୍ ବୋଲି କେନ୍ଦୀୟ ଟିମ୍ ୭୦ ଦଶକରେ ସ୍ପଷ୍ଟ କରିଥିଲେ । ମାତ୍ର ଏଯାବତ୍ ଏହି ନ୍ୟାୟରୁ ଭଦ୍ରକବାସୀ ବଞ୍ôଚତ ଅଛୁ । ଏଣୁ ଅବିଳମ୍ବେ ଆମ୍ଭର ଏହି ଦାବି ପୂରଣ ପାଇଁ ପ୍ରଶାସନ ସମସ୍ତ ବ୍ୟବସ୍ଥା କରନ୍ତୁ ନଚେତ୍ ପରବର୍ତ୍ତୀ ଛାତ୍ର ଓ ଜନ ଅସନ୍ତୋଷ ପାଇଁ ସରକାର ଦାୟୀ ରହିବେ ବୋଲି ବିଦ୍ୟାର୍ଥୀ ବିକାଶ ମଞ୍ଚ ତରଫରୁ ପ୍ରକାଶ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଉପଦେଷ୍ଟା ମାନଙ୍କ ମଧ୍ୟରେ ମୁଖ୍ୟ ଉପଦେଷ୍ଠା ପ୍ର. ଡ. ଦେବେନ୍ଦ୍ର ନାଥ ରାଉତ, ଡ. ରାଧାରାଣୀ ମହାପାତ୍ର, ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ଅଧ୍ୟାପକ ସଂଗ୍ରମ କେଶରୀ ମହାନ୍ତି, ରୋଟାରିଆନ୍ ଅଭିଜିତ୍ ନାୟକ, ସମାଜସେବୀ ଅନିଲ୍ ଦେ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶାନ୍ତନୁ ରାଉତ, ପ୍ରମୋଦା ମହାରଣା, ଇନରହୁଇଲ୍ କ୍ଲବର ସଭ୍ୟା ସରଜୁବାଳା ମହାନ୍ତି, ରଶ୍ମୀରେଖା ମହାନ୍ତି, ମା ଅଖୂôଜୀ ବିଶ୍ୱାଳ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ପ୍ରେମାନନ୍ଦ ମହାନ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।