Odiapua.com

ଭଦ୍ରକରେ ପବିତ୍ର ମହରମ ପର୍ବ, ପ୍ରତିକୂଳ ପାଗ ସତ୍ୱେ ସହର ପରିକ୍ରମା କଲା ୪୧ କାଫେଲା

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ମଙ୍ଗଳବାର ପବିତ୍ର ମୋହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ଧରି ପ୍ରତ୍ୟେକ ପର୍ବ ପର୍ବାଣୀ ବନ୍ଦ ରହିଥିଲା। ୪୧ କାଫେଲା ଆଜି ସହର ପରିକ୍ରମା କରିଛି। ସୂଚନାଥାଉକି ଇସଲାମ ଧର୍ମରେ ଚନ୍ଦ୍ର ଗଣନାକୁ ଆଧାର କରି ପ୍ରତ୍ୟେକ ବର୍ଷ ପର୍ବ ପାଳନ କରାଯାଇଥାଏ। ଇସଲାମିକ (ହିଜରୀ) କ୍ୟାଲେଣ୍ଡର ଅନୁସାରେ ମୋହରମ ପର୍ବ ହେଉଛି ବର୍ଷର ପ୍ରଥମ ମାସ। ମହରମର ୧ ତାରିଖରୁ ମୁସଲମାନମାନଙ୍କ ନୂତନ ବର୍ଷ ଆରମ୍ଭ ହୁଏ। ୧ ତାରିଖରୁ ୧୦ ଦିନ ଯାଏଁ ଆମ ଭାରତ ସହିତ ବିଶ୍ୱରେ ମଧ୍ୟ ମୋହରମ ପର୍ବ ପାଳିତ ହୋଇଥାଏ। ୧୪୪୪ ହିଜରୀ କ୍ୟାଲେଣ୍ଡର ଅନୁଯାୟୀ ଆଜି (ମଙ୍ଗଳବାର) ଦଶମ ଦିନରେ (ୟମେ ଆଶୁରା) ପର୍ବ ତଥା ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଏମାମ ହୋସେନ କରବଲା ମଇଦାନରେ ଶତ୍ରୁ ଆଗରେ ନିଜକୁ ସମର୍ପଣ ନ କରି ଇସଲାମ ଧର୍ମ ପାଇଁ ନିଜ ପ୍ରାଣ ବଳିଦାନ ଦେଇ ସହିଦ ହୋଇଥିଲେ। ଏହି ସହିଦ ଦିସବରେ ସମଗ୍ର ବିଶ୍ୱରେ “ୟାଦେଁ ଏମାମ ହୋସେନ” ପର୍ବ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଭଦ୍ରକରେ ମଧ୍ୟ ମୋହରମ ପର୍ବ ପାଳିତ ହୋଇଛି। ପ୍ରତିକୂଳ ପାଗ ସତ୍ୱେ ସହରରେ ୪୧ଟି ସୁସଜିତ “କାଫେଲା” ସହର ପରିକ୍ରମ କରିଥିଲା। ଗୋଟିଏ କାଫେଲା ଚରମ୍ପାରେ ରହିଥିଲା।

୬ଟି କାଫେଲା ନଙ୍ଘାମହଲ୍ଲା ମସଜିଦ ସମ୍ମୁଖରେ ପହଂଚିବା ପରେ ସେଠାରେ ଧର୍ମସଭା ଆୟୋଜନ ହୋଇଥିଲା। ଅବଶିଷ୍ଟ ୩୪ଟି କାଫେଲା ବାଙ୍କା ଛକ, ପୁରୁଣାବଜାର, ହେଲାସାହି ହୋଇ ଓ କଣ୍ଟାବଣିଆ, ମୁଲ୍ଲାସାହି ହୋଇ ମଦିନା ମଇଦାନଠାରେ ପହଞ୍ଚିଥିଲେ। ରାତ୍ରି ୯ ଘଟିକା ଠାରୁ ଧର୍ମସଭାର ଆୟୋଜନ ହୋଇଥିଲା। ଏହି ଧର୍ମସଭାରେ ହାଜି ଅଫଜଲ ଖାଁ ସଭାପତି କରିଥିବାବେଳେ ମୁସ୍ତାକ ଗୌହର ସଞ୍ଚାଳନ ଦାୟିତ୍ୱ ତୁଲାଇଥିଲେ ଏବଂ ମୌଲାନା (ପଣ୍ଡିତ) ଓ ସାଏର (କବି) ମାନେ ଧର୍ମସଭାରେ ଯୋଗଦାନ କରି ଏମାମ ହୋସେନଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ। ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ, କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସଂପାଦକ ଏନାମ ମହମ୍ମଦ, ମହରମ କମିଟିର ସଭାପତି ଶେଖ ସିରାଜୁଦ୍ଦିନ, ସାଧାରଣ ସଂପାଦକ ଶେଖ ମୁଖତାର ଅହେମଦ ରସିଦ ଦାୟିତ୍ୱ ଭାର ସମ୍ଭାଳିଥିଲେ ଏବଂ ପ୍ରତ୍ୟେକ କାଫେଲାକୁ ଗାଇଡ କରିବା ପାଇଁ ପ୍ରତ୍ୟେକ ବସ୍ତିର ମୁଖ୍ୟଙ୍କ ସହିତ ସବ୍‌ବିର ଅଲି, ରେଜା-ଏ-ରସୁଲ, ହବିବୁଲ୍ଲା ଖାଁ, ମତଲୁବ ଅଲି, ଜମିଲ ଅଖତର ଖାନ, ସେର ଅଲି ଖାଁ, ହାଜି କାଶିମ ଖାଁ, ହାଜି ଅନୱର ହୋସେନ, ଏସ.ଏମ.ଫାରୁକ, ମିଡିଆ ସେଲ ସଂଯୋଜକ ଶେଖ ଅନୱର, ଜାୱେଦ ଅଖତର, ଶେଖ ହବିବୁଲ୍ଲା, ଶେଖ ଅବୁକଲାମ ଓ ମିର୍ଜା ଏକ୍ରାମ ବେଗ ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ଅଧିକାର ଉପସ୍ଥିତ ରହିଥିଲେ ଏବଂ ପୋଲିସ ମୂତୟନ କରାଯାଇଥିଲା।