Odiapua.com

ଭଦ୍ରକରେ ଧଳା ଜହରର ଚୋରା ବେପାରର ମୁଖ୍ୟ ନାୟକ କିଏ!, ଡ୍ରଗ୍ସ ଓ ଚୋରାମଦ କାରବାରର ମୂଳପୋଛ ନହେଲେ କଂଗ୍ରେସର ଏସ୍‌ପି ଅଫିସ୍ ଘେରାଉ ଚେତାବନୀ

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାନ୍ତିିପ୍ରିୟ ଭଦ୍ରକ ଜିଲ୍ଲାରେ ଅଶାନ୍ତି ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଭଦ୍ରକକୁ ଶାନ୍ତି ଫେରାଇ ଆଣିବା ପାଇଁ ହେଲେ ଜିଲ୍ଲାରେ ଚାଲିଥିବା ଡ୍ରଗ୍‌ସ (ବ୍ରାଉନ ସୁଗାର), ଦେଶୀ ମଦ କାୟା ବିସ୍ତାରକୁ ରୋକିବା ପାଇଁ ପ୍ରଶାସନ ତତ୍ପରତା ଦେଖାଇବା ଜରୁରୀ ହୋଇ ପଡ଼ିଛ। ଯାହା ଜିଲ୍ଲା ପୁଲିସ ପାଇଁ ଏକ ଖୋଲା ଆହ୍ୱାନ ହୋଇଛି। ଗତ ୨୬ ତାରିଖରେ ଭଦ୍ରକରୁ ପ୍ରାୟ ଏକ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ ହେବା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେଉଁ ବ୍ୟକ୍ତିକୁ ପୁଲିସ ଉକ୍ତ ଘଟଣା ପାଇଁ ଧରିଛି, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ୫ ହଜାର ଟଙ୍କା ବିନିଯୋଗ କରିପାରିବାର କ୍ଷମତା ନଥିବା ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ରାଉନସୁଗାର କିଣିବାର ଶକ୍ତି ତା’ ପାଖକୁ ଆସିଲା କୋଉଁଠୁ! ତା’କୁ ଏତେ ଅର୍ଥ କିଏ ଦେଇଥିଲା! କିଏ ଏ କାରବାର ପଛର ପ୍ରଚ୍ଛଦପଟ ନାୟକ! ପୁଲିସ୍ ଧରି ପାରିଲା ନାହିଁ, ଏସ୍‌ଟିଏଫ୍ ଧରିଲା। ଏହି ଗିରଫ ଯୁବକ କୌଣସି ରାଜନୈତିକ ଦଳକୁ ଢାଲ କରି ଉକ୍ତ ବ୍ୟବସାୟ ଚଳାଉଥିଲା କି! ଯେଉଁଥିପାଇଁ ପୁଲିସ୍ ତାକୁ ଧରିବାରେ ନିଜର ଅସହାୟତା ପ୍ରକାଶ କରିଆସୁଥିବାବେଳେ ରାଜ୍ୟ ଏସ୍‌ଟିଏଫ୍ ଟିମ୍ କାବୁ କରିବାରେ ସକ୍ଷମ ହେଲା। ଏହି ବ୍ୟବସାୟ ଆଜିର ନାଁ ଏହା ଦୀର୍ଘ ଦିନରୁ ଚାଲି ଆସୁଛି ପୁଲିସ ଏହାର ଜବାବ ଦେଉ ବୋଲି ଆଜି ଜିଲା କଂଗ୍ରେସ କାର୍ଯ୍ୟାଳୟରେ ଆହୂତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଆଗରେ ପଶ୍ନ ଉତ୍‌ଥାପନ କରିଛନ୍ତି ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି। ତେବେ ଭଦ୍ରକ ସହରରେ ବ୍ରାଉନ୍ ସୁଗାରର ଏହି ଚେର ଆଜିର ନୁହେଁ। ଦୀର୍ଘବର୍ଷ ହେବ ଏହି କାରବାରକୁ ସହରର କେତେକ ବେକାରୀ ଓ ଅସାମାଜିକ ଯୁବକ ଚଳାଇ ଆସୁଥିବାବେଳେ ତତ୍‌କାଳୀନ ପୁଲିସ୍ ଅଧିକାରୀ ମନୋଜ ରାଉତ (ବର୍ତ୍ତମାନର ଏସ୍‌ଟିଏଫ୍‌ରେ ଦାୟିତ୍ୱ ଗ୍ରହଣ କରିଛନ୍ତି) ସେମାନଙ୍କର ଉକ୍ତ ଚେରକୁ ଛେଦନ କରିବାରେ ମୁଖ୍ୟ ଭୂମିକା ନେଇ ସଫଳ ହୋଇଥିଲେ। ମାତ୍ର ତାଙ୍କ ପରେ ଏହି ମାଫିଆମାନେ ଖୋଲମଖୋଲା ଏଭଳି ଲାଭଦାୟକ ବ୍ୟବସାୟକୁ ସହର ମଧ୍ୟରେ ଛତୁ ଫୁଟିଲା ପରି ବିଭିନ୍ନ ଛକ ସ୍ଥାନମାନଙ୍କରେ ଚଳାଇ ଆସୁଛନ୍ତି। ବିଶେଷକରି ଗେଲପୁର ଛକ, ଆରଡି ଛକ, ନୂଆ ବସ୍‌ଷ୍ଟାଣ୍ଡ, ଅପର୍ତ୍ତିବିନ୍ଧା ଛକ, ବନ୍ତ ଛକ, ଅସ୍ଥଳ ଛକ (ବଙ୍କ ସ୍କୁଲ ନିକଟ), ଚରମ୍ପା, ଚାନ୍ଦବାଲି ବାଇପାସ ଭଳି ଅଂଚଳରେ ସଂପୃକ୍ତ ଯୁବକମାନେ ଏହି ଧଳା ଜହରକୁ ବିଶେଷକରି ବିଭିନ୍ନ କଲେଜ ଓ ବିଶୃଙ୍ଖଳିତ ପିଲାମାନଙ୍କ ମଧ୍ୟରେ ବିକ୍ରୟ କରି ବେଶ୍ ଲାଭବାନ ହୋଇଆସୁଛନ୍ତି। ଯାହାର ଖବର ସ୍ଥାନୀୟ ପୁଲିସ୍ ନିକଟରେ ରହିଥିଲେ ମଧ୍ୟ ଏ ଦିଗରେ ସେମାନେ ସେଭଳି ଆଖି ଦୃଶିଆ କାର୍ଯ୍ୟ କରିଆସୁନଥିଲେ। କିନ୍ତୁ ରାଜ୍ୟ ଏସ୍‌ଟିଏଫ୍ ଟିମ୍ ଏହି ଖବରକୁ ଜାଣି ପୁଲିସ୍ ଅଜାଣତରେ କୌଣସି ଖବର ନଦେଇ ତାଙ୍କ ନାକତଳୁ ଏକ କେଜିରୁ ଉର୍ଦ୍ଧ୍ୱ ବ୍ରାଉନ୍ ସୁଗାର ଜବତ ସହ ସଂପୃକ୍ତ ଯୁବକକୁ ଗିରଫ କରିଥିଲେ। ଯାହା ଜିଲା ପୁଲିସ୍ ପ୍ରଶାସନ ଜାଣିବା ପରେ ନୂତନ ଭାବେ ଯୋଗଦେଇଥିବା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍ ତତ୍‌ପର ହୋଇ ନାମକୁ ମାତ୍ର ୪ ଜଣଙ୍କୁ ଗିରଫ କରି ମାତ୍ର ୬୧ ଗ୍ରାମ ଧଳା ଜହର ଜବତ କରି ନିଜର ପାରିବାପଣିଆ ଜାହିର କରିଥିଲା। ତେବେ ଆଜି ଜିଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଗ୍ରାମାଞ୍ଚଳ ଥାନାରେ ରହିଥିବା ଉକ୍ତ ଯୁବକ ପାଖରୁ ଜବତ ସ୍କୁଟି କାହାର! ଜବତ ମୋବାଇଲର କଲ ରେକର୍ଡିଂ ଯାଞ୍ଚ କରାଯାଉ ବୋଲି ଦାବି କରାଯାଇଛି। ଏହାର ତଦନ୍ତ କରାଯିବା ସହିତ ଓ ଜିଲ୍ଲାରୁ ଡ୍ରଗ୍‌ସ, ମଦ କାରବାରର ସମ୍ପୂର୍ଣ୍ଣ ମୂଳପୋଛ ନ ହେଲେ କଂଗ୍ରେସ ଦଳ ଆଗାମୀ ଦିନରେ ଏସପି ଅଫିସ ଘେରାଓ କରିବ ବୋଲି ଚେତାବନୀ ଦିଆ ଯାଇଥିଲା। ଏହି ସମ୍ମିଳନୀରେ ଅବଦୁଲ ମୁକିତ ଖାଁ, ଦିଲିପ ନାୟକ, ସେକ୍ ଅବଦୁଲ ସଲାମ, ସେକ୍ ସମଦାନୀ, ସେକ୍ ସିରାଜୁଦ୍ଦିନ, ସେକ୍ ଜୁଲ୍‌ଫୁକାର ଅଲ୍ଲୀ, ଚିଦ୍ଦାନନ୍ଦ ବାରିକ, ରାଜନ ଲାହା, ବିଜୟ ବାରିକ, ପୀତବାସ ଧଳ, ଅନନ୍ତ ପଣ୍ଡା, ରାଜନ ଲାହା, ସେକ୍ ଜଫିରୁଦ୍ଦିନ, ସେକ୍ ବବି, ଇଲିୟାସ ଖାଁ, ସେକ୍ ଜିକୁ, ସେକ୍ ଲାଲୁ, ମୀର୍ଜା ଏକ୍ରାମ୍ ପ୍ରମୁଖ ଉପସ୍ଥିତ ଥିଲେ।