Odiapua.com

ଭଦ୍ରକରେ ଦୁର୍ଗାପୂଜା ଓ କାଳୀପୂଜା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାରଦୀୟ ଉତ୍ସବ ସମ୍ଭାର ନେଇ ପାର୍ବଣ ମୁଖର ହେବାକୁ ଥିବା ଭଦ୍ରକରେ ଦୁର୍ଗାପୂଜା ଓ ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । ପାଞ୍ଚଦିନ ଧରି ହେବାକୁ ଥିବା ଦୁର୍ଗାପୂଜା ପାଇଁ ଟ୍ରାଫିକ୍ ନିୟନ୍ତ୍ରଣ, ରାସ୍ତାଘାଟ ମରାମତି, ରାସ୍ତା ଆଲୋକି କରଣ, ସଫେଇ, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ଆବଶ୍ୟକ ମତେ ପୂଜା ମଣ୍ଡପ ନିକଟରେ ପାନୀୟ ଜଳ ଯୋଗାଣ ଆଦି ସମ୍ବନ୍ଧରେ ଆଲୋଚନା କରାଯାଇ ପଦକ୍ଷେପ ନେବାଦିଗରେ ଜିଲ୍ଲାପାଳ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

ବିଶେଷ କରି ମଣ୍ଡପ ଗୁଡ଼ିକର ଅଗ୍ନି ନିରାପତ୍ତା, ଟେଣ୍ଟ ଜନିତ ନିର୍ମାଣ କାର୍ଯ୍ୟର ଦୃଢ଼ତା ଓ ଭସାଣି ସମୟରେ ଜୀବନ ହାନି ନ ହେବା ଦିଗରେ ସବୁଠୁ ଅଧିକ ସତର୍କତା ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା । ପୂଜା ଉପଲକ୍ଷେ ଆଲୁଅ ନଥିବା ରାସ୍ତାରେ ଆଲୋକି କରଣ ପାଇଁ ମ୍ୟୁନିସିପାଲିଟିର୧୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ଭସାଣି କି ଶୋଭାଯାତ୍ରାରେ ଡି.ଜେ ବ୍ୟବହାର କରାନଯିବା, ସୁପ୍ରିମ୍‌କୋର୍ଟ ଦ୍ୱାରା ଜାରୀ ନିଅମାନୁଯାଇ ଶବ୍ଦ ବ୍ୟବସ୍ଥା ପାଇଁ ଅନୁମତି ପତ୍ରନେବା, ପୂଜା ମଣ୍ଡପ ପାଇଁ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ଆଣିବା, ଭସାଣି ପାଇଁ ପୋଲିସ ବିଭାଗରୁ ଅନୁମତି ନେବା ଆଦି ବିଷୟରେ ଏସ୍‌.ପି. ସୂଚନା ପ୍ରଦାନ କରିଥିଲେ । ଜାନୁଗଞ୍ଜ ଠାରେ ଅନୁଷ୍ଠିତ ହୋଇ ଆସୁଥିବା ରାବଣପୋଡ଼ି ଉତ୍ସବରେ ଦର୍ଶକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ବେଳେ ସ୍ଥାନାଭାବ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ବିକଳ୍ପ ଯାଗା ଅନୁସନ୍ଧାନ, ସାଧାରଣ ଜନତାଙ୍କ ନିରାପତ୍ତା ଉପରେ ସବୁଠୁ ଅଧିକ ପ୍ରାଧାନ୍ୟ ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ, ପୋଲିସ୍ ଓ କମିଟି କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ବିଭିନ୍ନ ଦୁର୍ଗାପୂଜା ମଣ୍ଡପର କର୍ମକର୍ତ୍ତାମାନେ ନିଜ ନିଜ ମଣ୍ଡପ ପାଇଁ ଥିବା ସମସ୍ୟା ଓ ଆବଶ୍ୟକତା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ସେହିପରି ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ବୈଠକରେ ଉପସ୍ଥିତ ବିଭିନ୍ନ କାଳୀ ମଣ୍ଡପର କର୍ମକର୍ତ୍ତା ମାନଙ୍କ ମତାମତ ଆଧାରରେ ଆଲୋଚନା କରାଯାଇଥିଲା । ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେଉଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ଯଥେଷ୍ଟ ପୂର୍ବରୁ ପୋଲିସ୍ ବିଭାଗ ତରଫରୁ ଯୋଜନା ପ୍ରସ୍ତୁତ କରାଯିବା ନେଇ ଏସ୍‌.ପି. ସୂଚନା ଦେଇଥିଲେ ।

ମେଳା ସମୟରେ ଜାତୀୟ ରାଜପଥ ପାର୍କିଂମୁକ୍ତ ରଖାଯିବା, ରେଳଯାତ୍ରୀଙ୍କ ଯାଆସ ପାଇଁ ଅଟୋ ଚଳାଚଳ ପାଇଁ ବିକଳ୍ପ ରାସ୍ତା ରଖାଯିବା, ସନ୍ଧ୍ୟାରୁ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଅତ୍ୟନ୍ତ ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁ ମାନଙ୍କ ଯାତାୟତ ସୁବିଧା ପାଇଁ ଅଧିକ ସଂଖ୍ୟାରେ ଏନ୍‌.ସି.ସି., ସ୍କାଉଟ୍ ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯିବା, ପାର୍କିଂ ସ୍ଥାନ ଚିହ୍ନଟ, ପୋଲିସ୍ ମୂତୟନ ଆଦି ବ୍ୟବସ୍ଥା ସମ୍ବନ୍ଧରେ ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଡି.ଏସ୍‌.ପି.ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ ପ୍ରମୁଖ ମତାମତ ପ୍ରଦାନ କରିଥିଲେ । ପୂଜା ମଣ୍ଡପ ପାଖକୁ ଅତ୍ୟନ୍ତ ଖରାପ୍ ଥିବା ରାସ୍ତା ମରାମତି, ପୌରାଞ୍ଚଳ ସୀମାନ୍ତରୁ ଅଳ୍ପଦୂରରେ ଗ୍ରା.ପ. ଅଞ୍ଚଳରେ ଥିବା ପୂଜା ମଣ୍ଡପ ନିକଟକୁ ରାସ୍ତାରେ ଆଲୋକ ବ୍ୟବସ୍ଥା, ଅଧିକ ସଂଖ୍ୟାରେ ଶୌଚାଳୟ, ମେଳା ସମୟରେ ଦର୍ଶକଙ୍କ ନିରାପତ୍ତା ପାଇଁ ସ୍ୱତନ୍ତ୍ର ଟେଲିଫୋନ୍ ନମ୍ବର ଜାରି କରିବା, ଷ୍ଟେସନର ଅପର ପାଶ୍ୱର୍ରେ ଥିବା ସ୍ଥାନୀୟ ବାସିନ୍ଦା, ଯାନବାହନ ଯିବା ଆସିବା ପାଇଁ ବୁଲାଣି ରାସ୍ତାର ମରାମତି ଆଦି ବିଷୟରେ ସଭ୍ୟମାନଙ୍କ ମତାମତ ଆଧାରରେ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ ପାଇଁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଦୁର୍ଗାପୂଜା ଭଳି ନିୟମାନୁଯାୟୀ କାଳୀପୂଜା ମଣ୍ଡପ ପାଇଁ ଅଗ୍ନି ନିରାପତ୍ତା, ଡାକବାଜିଯନ୍ତ୍ର ବ୍ୟବହାର, ଭସାଣି ପାଇଁ ରାସ୍ତା ଅନୁମତି ପତ୍ର ନେବାକୁ କର୍ମକର୍ତ୍ତା ମାନଙ୍କୁ ଏସ୍‌.ପି. ସୂଚନା ପ୍ରଦାନ କରିଥିଲେ । ଡି.ଜେ ବ୍ୟବହାର ନିଷିଦ୍ଧ, ଭସାଣି ପାଇଁ ଉପଯୁକ୍ତ ସ୍ଥାନରେ କ୍ରୁତ୍ରିମ ପୋଖରୀ ବ୍ୟବସ୍ଥା କରାଯିବା ନେଇ ମଧ୍ୟ ପ୍ରକାଶ କରାଯାଇଥିଲା । ନିରାପତ୍ତା ନେଇ ପ୍ରତି ମଣ୍ଡପରେ ସି.ସି.ଟି.ଭି. ବ୍ୟବସ୍ଥା ଓ ଅଗ୍ନି ନିର୍ବାପକଯନ୍ତ୍ର ରଖିବାକୁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଦୁର୍ଗାପୂଜା ଓ କାଳିପୂଜା ସମୟରେ ଖାଦ୍ୟ ନିରାପତ୍ତା ବିଭାଗ ଦ୍ୱାରା ଚଢ଼ଉ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । କାଳୀପୂଜା ଅବସରରେ ବାଣ ଦୋକାନ ପାଇଁ ଆର.ଏମ୍‌.ସି. ମାର୍କେଟ୍ ପରିସରକୁ ଏକମାତ୍ର ଜାଗା ଭାବେ ବୈଠକରେ ସର୍ବସମ୍ମତ କ୍ରମେ ଅନୁମୋଦନ କରାଯାଇଥିଲା । ସଂପୃକ୍ତ ବିଭାଗୀୟ ଅଧିକାରୀ, ଶାନ୍ତିକମିଟିର ସଦସ୍ୟ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ସବୁ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।