ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ଅଣ-କ୍ୟାଡର ସରକାରୀ ଓକିଲମାନଙ୍କ ପାଇଁ ଦୁଇ ଦିନିଆ ଇଣ୍ଡକ୍ସନ ଓ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ଚରିଘରିଆସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଛି। ଏହି ପ୍ରଶିକ୍ଷଣ ଶିବିରରେ ଭଦ୍ରକ ଜିଲ୍ଲାର ସମସ୍ତ ଅଣ-କ୍ୟାଡର ସରକାରୀ ଓକିଲମାନେ ଅଂଶଗ୍ରହଣ କରି ନୂତନ ଅପରାଧିକ ଆଇନ ଓ ନ୍ୟାୟିକ ପ୍ରକ୍ରିୟା ସମ୍ପର୍କରେ ଉନ୍ନତ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।ପୂର୍ବାହ୍ନ ୧୦ଟାରେ ଆରମ୍ଭ ହୋଇଥିବା ଉଦ୍?ଘାଟନୀ ଅଧିବେଶନରେ ଭଦ୍ରକ ଜିଲ୍ଲା ଓ ଦୌରା ଜଜ୍ ଲଳିତେନ୍ଦୁ ଜେନା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ ଦିଲୀପ ରାଉତରାୟ ଏବଂ ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ମନୋଜ କୁମାର ରାଉତ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ନ୍ୟାୟିକ) କାର୍ତିକନାଥ ମଣ୍ଡଳ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ। ପରେ ଦୀପ ପ୍ରଜ୍ୱଳନ ଓ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପ୍ରଥମ ଦିନର ପ୍ରଶିକ୍ଷଣରେ ନୂତନ ଅପରାଧିକ ଆଇନ ଅନୁଯାୟୀ ଗିରଫ ଓ ରିମାଣ୍ଡ ପ୍ରକ୍ରିୟା, ବିଏନ୍ଏସ୍ଏସ୍ ଅନୁଯାୟୀ ପ୍ରସିକ୍ୟୁସନର ଭୂମିକା, ପୁରୁଣା ଓ ନୂତନ ଅପରାଧିକ ଆଇନର ତୁଳନାତ୍ମକ ବିଶ୍ଳେଷଣ, ମେଡିକାଲ୍ ଦସ୍ତାବେଜର ବୁଝାମଣା ଏବଂ ସାକ୍ଷୀ ମଂଚରେ ମେଡିକାଲ୍ ବିଶେଷଜ୍ଞଙ୍କ ସାକ୍ଷ୍ୟ ଉପସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଶେଷଜ୍ଞମାନେ ବିସ୍ତୃତ ଆଲୋଚନା କରିଥିଲେ। ଏଥିସହ ସରକାରୀ ମାମଲାର ଦକ୍ଷ ପରିଚାଳନା, ବୃତିଗତ ନୈତିକତା, ନୂତନ ଆଇନର ପ୍ରୟୋଗ ଓ ମାମଲା ପରିଚାଳନା କୌଶଳ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଅତିଥି ଓ ବକ୍ତାମାନେ କହିଥିଲେ ଯେ, ସମୟୋପଯୋଗୀ ପ୍ରଶିକ୍ଷଣ ମାଧ୍ୟମରେ ସରକାରୀ ଓକିଲମାନଙ୍କ ବୃତିଗତ ଦକ୍ଷତା, ଆଇନଗତ ଜ୍ଞାନ ଓ ନ୍ୟାୟିକ କାର୍ଯ୍ୟଦକ୍ଷତା ଅଧିକ ସୁଦୃଢ଼ ହେବ। ଏହା ସରକାରୀ ମାମଲାର ସଫଳ ପରିଚାଳନା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ପ୍ରଭାବଶାଳୀ କରିବାରେ ସହାୟକ ହେବ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ସୂଚନାନୁସାରେ, ଦୁଇ ଦିନିଆ ଏହି ଇଣ୍ଡକ୍ସନ ଓ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୨୮ ଜୁନ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ କ୍ଷେତ୍ରର ବରିଷ୍ଠ ବିଚାରପତି, ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ ଓ ଆଇନ ବିଶେଷଜ୍ଞମାନେ ଏଥିରେ ସମ୍ବଳିତ ହୋଇ ସରକାରୀ ଓକିଲମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବେ।