Odiapua.com

ଭଦ୍ରକରେ ଡକାୟତି ଘଟଣାର ପର୍ଦ୍ଦାଫାସ୍‌, ଝାଡ଼ଖଣ୍ଡରୁ ଧରାପଡ଼ିଲେ ଅଭିଯୁକ୍ତ, ନଗଦ ଟଙ୍କା ସହ ସୁନା-ରୂପା ଓ ଗାଡ଼ି ଜବତ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ଏକ ଡକାୟତି ଘଟଣାର ତଦନ୍ତ କରି ପୁଲିସ ସଫଳତାର ସହ ଅଭିଯୁକ୍ତମାନଙ୍କୁ ଝାଡ଼ଖଣ୍ଡରୁ ଧରିବା ସହ ବିପୁଳ ପରିମାଣର ଲୁଟ୍ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତମାନେ ଘରେ ପଶି ପରିବାରର ସଦସ୍ୟମାନଙ୍କୁ ବନ୍ଧୁକ ଦେଖାଇ ଏକ କୋଠରୀରେ ଅଟକ ରଖିବା ପରେ ଦୁଇଟି ଲୁହା ଆଲମିରା ଭାଙ୍ଗି ନଗଦ ଟଙ୍କା, ସୁନା-ରୂପା ଅଳଙ୍କାର ଓ ମୋବାଇଲ୍ ଫୋନ୍ ଲୁଟି ନେଇଥିବା ଅଭିଯୋଗ ରହିଛି। ଏ ସଂପର୍କରେ ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଏକ ଜିଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଘଟଣାରେ ପ୍ରାୟ ୯୦ ହଜାର ଟଙ୍କା ନଗଦ, ପ୍ରାୟ ୧୪ ଭରି/ତୋଳା ସୁନା ଅଳଙ୍କାର, ପ୍ରାୟ ୨୫୦ ଗ୍ରାମ୍ ରୂପା ଅଳଙ୍କାର ଏବଂ ଦୁଇଟି ମୋବାଇଲ୍ ଫୋନ୍ ଲୁଟ୍ ହୋଇଥିଲା। ଘଟଣା ସମୟରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ହୋହଲ୍ଲା କରିବାରୁ ଅଭିଯୁକ୍ତମାନେ ଲୋକଙ୍କ ଆଡ଼କୁ ବନ୍ଧୁକ ଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ତରବରିଆ ଭାବେ ଫେରାର ହେବା ସମୟରେ ସେମାନେ ଘଟଣାସ୍ଥଳରେ ଗୋଟିଏ ହିରୋ ଏକ୍ସଟ୍ରିମ୍ ମୋଟରସାଇକେଲ୍ (ଓଡି-୨୨-ଏଏ-୯୫୯୭) ଏବଂ ଗୋଟିଏ ଏନଫିଲ୍‌ଡ ବୁଲେଟ (ଓଡି-୨୨-ଏଇ-୨୧୬୫) ଛାଡ଼ି ଯାଇଥିଲେ। ଏହି ଗାଡ଼ିଗୁଡ଼ିକ ପୁଲିସ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାଗ ଯୋଗାଇଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ଭଦ୍ରକ ରୁରାଲ୍ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତମାନଙ୍କ ଠିକଣା ଚିହ୍ନଟ କରିଥିଲା ଏବଂ ଶେଷରେ ଝାଡ଼ଖଣ୍ଡରୁ ସେମାନଙ୍କୁ ଧରିଥିଲା। ପଚରାଉଚରା ଏବଂ ଅଭିଯୁକ୍ତମାନେ ଦେଇଥିବା ସୂଚନା ଆଧାରରେ ଲୁଟ୍ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଭରତ ସାଓ ଓରଫ ଖୁପା ଓରଫ ଫୌଜୀ ଓରଫ ମୁକେଶ ରାଜକ (୨୬)ଙ୍କ ଠାରୁ ୬୦ ହଜାର ଟଙ୍କା ନଗଦ, ପ୍ରାୟ ୩.୧୦ ଗ୍ରାମ୍ ସୁନା ଅଳଙ୍କାର ଏବଂ ପ୍ରାୟ ୨୨୦ ଗ୍ରାମ୍ ରୂପା ଅଳଙ୍କାର ଜବତ ହୋଇଛି। ସେହିପରି ମହମ୍ମଦ କାରିମ୍ ଅନସାରୀ ଓରଫ ଡ୍ରାଇଭର ଓରଫ ମୁନାଙ୍କ ଠାରୁ ୪୦ ହଜାର ଟଙ୍କା ନଗଦ ଏବଂ ପ୍ରାୟ ୨୫୦ ଗ୍ରାମ୍ ରୂପା ଅଳଙ୍କାର ଜବତ କରାଯାଇଛି। ଓମ୍‌ପ୍ରକାଶ ଦାସଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ନଗଦ ଓ ପ୍ରାୟ ୨୫.୭୦ ଗ୍ରାମ୍ ରୂପା ଅଳଙ୍କାର, ଲାଲବାହାଦୁର ସାଓଙ୍କ ଠାରୁ ୪ ହଜାର ୫ ଶହ ଟଙ୍କା ନଗଦ ଓ ପ୍ରାୟ ୨୬.୩୦ ଗ୍ରାମ୍ ରୂପା ଅଳଙ୍କାର ଏବଂ ଦେବୀଲାଲ୍ ଦାସଙ୍କ ଠାରୁ ୫ ହଜାର ୫ ଶହ ଟଙ୍କା ନଗଦ ଓ ପ୍ରାୟ ୨୫.୪୦ ଗ୍ରାମ୍ ରୂପା ଅଳଙ୍କାର ଜବତ ହୋଇଛି। ଏହାସହ କାଳାଚାନ୍ଦ ସାଓଙ୍କ ଠାରୁ ୩ ହଜାର ଟଙ୍କା ନଗଦ ଓ ପ୍ରାୟ ୧୮.୫୦ ଗ୍ରାମ୍ ରୂପା ଅଳଙ୍କାର ଜବତ କରାଯାଇଛି। ତଦନ୍ତ ସମୟରେ ଡକାୟତିରେ ବ୍ୟବହୃତ ବ୍ରିଜା କାର (ଜେଏଚ-୧୦-ସିଇ-୦୭୪୦) ମଧ୍ୟ ପୁଲିସ ଜବତ କରିଛି। ଏହାଛଡ଼ା ସମୁଦାୟ ୬ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। ପୂର୍ବରୁ ୦୭.୦୮.୨୦୨୬ରେ କୋର୍ଟ ଚାଲାଣ ହୋଇଥିବା ଅଭିଯୁକ୍ତ ଆଦିତ୍ୟ ରଣାଙ୍କ ଠାରୁ ମଧ୍ୟ ପ୍ରାୟ ୭୦ ଗ୍ରାମ୍ ସୁନା ଏବଂ ୩୫୦ ଗ୍ରାମ୍ ରୂପା ଜବତ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କ ବିରୋଧରେ ଭଦ୍ରକ ରୁରାଲ୍‌, ବାରଙ୍ଗ, ସିମୁଳିଆ ଓ ଧାମନଗର ଥାନା ସମେତ ବିଭିନ୍ନ ଥାନାରେ ଡକାୟତି, ଲୁଟ୍ ଓ ଅସ୍ତ୍ର ଆଇନ ସମ୍ବନ୍ଧୀୟ ଏକାଧିକ ମାମଲା ରୁଜୁ ରହିଛି। ଏଥିମଧ୍ୟରେ ଭଦ୍ରକ ରୁରାଲ୍ ଥାନା କେସ୍ ନଂ-୪୧୯, ତାରିଖ ୨୩.୦୫.୨୦୨୬; ଭଦ୍ରକ ରୁରାଲ୍ ଥାନା କେସ୍ ନଂ-୫୪୧, ତାରିଖ ୧୪.୦୭.୨୦୨୬; ବରଙ୍ଗ ଥାନା କେସ୍ ନଂ-୩୪୬, ତାରିଖ ୧୪.୦୭.୨୦୨୬; ବାରଙ୍ଗ ଥାନା କେସ୍ ନଂ-୮୯, ତାରିଖ ୨୦.୦୨.୨୦୨୬; ସିମୁଳିଆ ଥାନା କେସ୍ ନଂ-୧୮୨, ତାରିଖ ୧୪.୦୫.୨୦୨୬; ସିମୁଳିଆ ଥାନା କେସ୍ ନଂ-୨୫୫, ତାରିଖ ୦୪.୦୭.୨୦୨୬; ବରଙ୍ଗ ଥାନା କେସ୍ ନଂ-୧୪୮, ତାରିଖ ୧୦.୦୫.୨୦୨୬ ଏବଂ ଧାମନଗର ଥାନା କେସ୍ ନଂ-୩୧୭, ତାରିଖ ୦୩.୦୮.୨୦୨୬ ରହିଛି। ଏହି ମାମଲାଗୁଡ଼ିକରେ ବିଏନଏସର ବିଭିନ୍ନ ଧାରା ସହିତ ଆର୍ମସ ଆକ୍ଟ ଧାରା ମଧ୍ୟ ଲାଗୁ ହୋଇଥିବା ପୁଲିସ ସୂଚନାରୁ ଜଣାପଡ଼ିଛି। ତଦନ୍ତ ଜାରି ରହିଥିବାବେଳେ ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୁଲିସ । ଏହି ଘଟଣାରେ ଅନ୍ୟ କେତେଜଣ ସହଯୋଗୀ ସମ୍ପୃକ୍ତ ଅଛନ୍ତି। ଲୁଟ୍ ହୋଇଥିବା ଅବଶିଷ୍ଟ ସାମଗ୍ରୀ କେଉଁଠାରେ ରହିଛି ଏବଂ ଡକାୟତିରେ ଆହୁରି କେଉଁ ସାମଗ୍ରୀ ବ୍ୟବହାର କରାଯାଇଥିଲା, ସେ ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି। ଜବତ ସାମଗ୍ରୀ ଓ ଅଭିଯୁକ୍ତମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।